ନୂଆଦିଲ୍ଲୀ ୧୦/୧୧: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଟି ଚାଳକଙ୍କୁ  ହେଲମେଟ୍‌ ନ ପିନ୍ଧିବାରୁ ୨୧ ଲକ୍ଷ ଟଙ୍କା ଜରିମାନା ହୋଇଛି ।  ତାହା ତାଙ୍କ ସ୍କୁଟି ଦାମ୍‌ର ୨୦ ଗୁଣ ବୋଲି ସେ ପ୍ରକାଶ କରିଛନ୍ତି । ସେହି ଚାଲାଣର ଫଟୋ ଏବେ ସୋସିଆଲ୍‌  ମିଡିଆରେ ଭାଇରାଲ୍‌ ହେଉଛି ।

ସୂଚନା  ଅନୁସାରେ, ଗତ ମଙ୍ଗଳବାର ନ୍ୟୁ ମଣ୍ଡି  ଅଞ୍ଚଳରେ ହେଲମେଟ୍‌ ଯାଞ୍ଚ ସମୟରେ ଅନ୍‌ମୋଲ ସିଂଘଲଙ୍କୁ ଅଟକା ଯାଇଥିଲା ।  ସେ ହେଲ୍‌ମେଟ ପିନ୍ଧିନଥିଲେ । ତାଙ୍କ ନିକଟରେ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର  ମଧ୍ୟ ନଥିଲା । ଏହାପରେ ପୁଲିସ ତାଙ୍କ ସ୍କୁଟିକୁ ଜବତ କରିଥିଲା । ଏଥିସହ ଜରିମାନା ବାବଦରେ ୨୦ ଲକ୍ଷ ୭୪ ହଜାର ଟଙ୍କା ଦେବାକୁ  ଚାଲାଣ କାଟିଥିଲା । ତେବେ ଏତେ ପରିମାଣର ଜରିମାନା  ରାଶିକୁ ଦେଖି ସିଂଘଲ ଚକିତ ହୋଇ ସୋସିଆଲ୍‌ ମିଡିଆରେ  ତାର ଫଟୋ ଉଠାଇ ସେୟାର କରିଥିଲେ । ଏହାପରେ ପୁଲିସର ପଦକ୍ଷେପକୁ ଅନେକ ସମାଲୋଚନା କରିଥିଲେ । ସେଥିଯୋଗୁ ବାଧ୍ୟହୋଇ ପରେ ଅଧିକାରୀମାନେ ତାଙ୍କ ଜରିମାନା ରାଶି  କମାଇ ୪ ହଜାର ଟଙ୍କା କରିଛନ୍ତି । 

ମୁଜାଫରନଗର ଟ୍ରାଫିକ୍‌ ଏସ୍‌ପି ଅତୁଲ  ଚୌବେ କହିଛନ୍ତି, ଚାଲାଣ କାଟୁଥିବା  ସବ୍‌ ଇନ୍‌ସପେକ୍ଟରଙ୍କ ଏକ ଭୁଲ୍‌ ଯୋଗୁ  ଏଭଳି ହୋଇଛି । ହେଲମେଟ୍‌ ନଥିବାରୁ  ମାମଲାରେ ମୋଟର ଯାନ ଅଧିନିୟମର  ଧାରା ୨୦୭ ଲାଗୁ ହୋଇଥିଲା । କିନ୍ତୁ ସବ୍‌  ଇନ୍‌ସପେକ୍ଟର ୨୦୭ ପରେ ଏମ୍‌ଭି ଆକ୍ଟ  ଲେଖିବାକୁ ଭୁଲି ଯାଇଥିଲେ । ଫଳରେ  ୨୦୭ ଏବଂ ଏହି ଧାରା ଅନୁସାରେ ଲାଗୁ ହେଉଥିବା ସର୍ବନିମ୍ନ  ଜରିମାନା ୪୦୦୦ ମିଶି ୨୦,୭୪,୦୦୦ ହୋଇଯାଇଥିଲା ।  ଏହି ତ୍ରୁଟି ଯୋଗୁ ଆମେ ଦୁଃଖିତ ।