ନୂଆଦିଲ୍ଲୀ : ସମୁଦ୍ର ପୃଷ୍ଠ ଏବେ ପୂର୍ବାପେକ୍ଷା ଅତ୍ୟଧିକ ଗରମ ହେବାରେ ଲାଗିଛି। ସମୁଦ୍ର ପୃଷ୍ଠରେ ଏହି ପରିବର୍ତ୍ତନ କୌଣସି ଗୋଟିଏ ଅଞ୍ଚଳରେ ନୁହେଁ, ବରଂ ପୂରା ଦୁନିଆଁ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏକ ନୂଆ ବୈଜ୍ଞାନିକ ଅଧ୍ୟୟନ ଆଶ୍ଚର୍ଯ୍ୟକର ଖୁଲାସା କରିଛି ଯେ, ଗତ ୮୦ବର୍ଷରେ ସମୁଦ୍ର ପୃଷ୍ଠରେ ଉଷ୍ଣତାର ଦିନ ତିନି ଗୁଣା ବଢି ଯାଇଛି। ୧୯୪୦ ଦଶକରେ ଯେଉଁଠି ବର୍ଷ ସାରା ହାରାହାରି ୧୫ଦିନ ହିଁ ସମୁଦ୍ର ପୃଷ୍ଠରେ ଅତ୍ୟଧିକ ଉଷ୍ଣତା ଅନୁଭୂତ ହେଉଥିଲା , ସେଠାରେ ଆଜି ଏହି ପରିମାଣ ବଢି ପାଖାପାଖି ୫୦ ଦିନ ଯାଏ ପହଞ୍ଚି ସାରିଛି। 

ଏହି ପରିବର୍ତ୍ତନ କେବଳ ନମ୍ୱରର କାହାଣୀ ନୁହେଁ , ବରଂ ଏହା ପଛରେ ଲୁଚିଥିବା ସତ ଆମର ପୃଥିବୀ ଓ ଆମର ଭବିଷ୍ୟତ ପାଇଁ   ବିପଦର ଘଣ୍ଟି ସଦୃଶ ହୋଇଛି। ବୈଜ୍ଞାନିକଙ୍କ ସ୍ପଷ୍ଟ ଭାବେ କହିବା ହେଲା ଯେ, ବୈଶ୍ୱିକ ତାପମାତ୍ରାରେ ହେଉଥିବା ବୃଦ୍ଧି, ଅର୍ଥାତ୍‌ ଗ୍ଲୋବାଲ ୱାର୍ମିଂ ଏହାର ମୁଖ୍ୟ କାରଣ। ନୂଆ ଅଧ୍ୟୟନ ଅନୁସାରେ, ଆଜି ଯେଉଁ ସମୁଦ୍ର ହିଟ୍‌ୱେଭ୍‌ସ ଅର୍ଥାତ୍‌ ଅତ୍ୟଧିକ ଗରମ ସାମୁଦ୍ରିକ ପାଣିପାଗ ପରିବର୍ତ୍ତନ ଘଟଣା ସାଜିଛି, ଏଥିରୁ ପାଖାପାଖି ଅଧା ତ କେବଳ ଗ୍ଲୋବାଲ ୱାର୍ମିଂ କାରଣରୁ ହେଉଛି। ଏହି ରିସର୍ଚ୍ଚକୁ ଭୂମଧ୍ୟସାଗର ପାଇଁ ଉନ୍ନତ ଅଧ୍ୟୟନ ସଂସ୍ଥା , ୟୁନିଭର୍ସିଟି ଅଫ୍‌ ରିଡିଂ, ଇଣ୍ଟରନ୍ୟାସନାଲ ସ୍ପେସ୍‌ ସାଇନ୍ସ ଇନଷ୍ଟିଚ୍ୟୁଟ୍‌ ଓ ୟୁନିଭର୍ସିଟି ଅଫ୍‌ ଦ ବାଲିଆରିକ୍‌ ଆଇଲ୍ୟାଣ୍ଡସ୍‌ର ବୈଜ୍ଞାନିକଙ୍କ ଟିମ୍‌ ସଫଳ କରିଛନ୍ତି।

ସାମୁଦ୍ରିକ ପ୍ରାଣୀଙ୍କ ପାଇଁ ବିପଦ –

ୟୁନିଭର୍ସିଟି ଅଫ୍‌ ରିଡିଂର ଡା. ଜିୟାଙ୍ଗବୋ ଫେଙ୍ଗ୍‌ ଚେତାବନୀପୂର୍ଣ୍ଣ ଶବ୍ଦରେ କହିଛନ୍ତି , ସାମୁଦ୍ରିକ ହିଟ୍‌ୱେଭ୍ସ ଅଣ୍ଟରୱାଟର ଇକୋସିଷ୍ଟମକୁ ନଷ୍ଟଭ୍ରଷ୍ଟ କରି ପାରେ। ଦୀର୍ଘକାଳୀନ ସମୁଦ୍ର ପୃଷ୍ଠ ଗରମ ରହିବା ପ୍ରବାଳ ରିଫ୍‌ସ , କେଲ୍ପ ଜଙ୍ଗଲ ଓ ସିଗ୍ରାସ ମିଡୋଜ୍‌ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ସାମୁଦ୍ରିକ ବାସସ୍ଥାନକୁ ନଷ୍ଟ କରିପାରେ। ଏହି ସ୍ଥାନ ସାମୁଦ୍ରିକ ଜୀବଙ୍କ ପାଇଁ ଘର ଭଳି ହୋଇଥାଏ ଏବଂ ଯଦି ଏହା ଶେଷ ହୋଇଯାଏ ତ ପୂରା ସାମୁଦ୍ରିକ ପ୍ରାଣୀ ସଙ୍କଟରେ ପଡ଼ି ପାରନ୍ତି। 

ସମୁଦ୍ର ହିଟ୍‌ୱେଭ୍ସର ପ୍ରଭାବ କେବଳ ସମୁଦ୍ର ପର୍ଯ୍ୟନ୍ତ ହିଁ ସୀମିତ ନାହିଁ। ବୈଜ୍ଞାନିକଙ୍କ କହିବାନୁସାରେ ,ଯେବେ ସମୁଦ୍ର ଉଷ୍ଣ ହୋଇଥାଏ , ତ ଏହା ବାତାବରଣକୁ ମଧ୍ୟ ଅସ୍ଥିର କରିଥାଏ, ଯେଉଁଥିରେ ଝଡ଼ ତୋଫାନ ଓ ପ୍ରବଳ ବର୍ଷା ହେବା ଭଳି ଘଟଣା ଖୁବ୍‌ ଅଧିକ ଓ ସାଧାରଣ ଅପେକ୍ଷା ବାରମ୍ୱାର ହୋଇଥାଏ। ଉଦାହରଣ ସ୍ୱରୂପ, ୨୦୨୩ରେ ନ୍ୟୁଜିଲ୍ୟାଣ୍ଡରେ ହୋଇଥିବା ସାଇକ୍ଲୋନ ଗାବ୍ରିଏଲ ସମୁଦ୍ରର ଅତ୍ୟଧିକ ଉଷ୍ଣତାରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଥିଲା, ଯେଉଁଥିରେ ୧୧ ଜଣ ଲୋକଙ୍କ ଜୀବନ ଯାଇଥିଲା ଏବଂ ପାଖାପାଖି ୬ ବିଲିୟନ ଡଲାରର କ୍ଷତି ହୋଇଥିଲା। 

୨୦୨୩ ଓ ୨୦୨୪ରେ ରେକର୍ଡ ସ୍ତରର ସାମୁଦ୍ରିକ ଉଷ୍ଣତା ଦେଖିବାକୁ ମିଳିଥିଲା , ଯାହାକି ଗତ କୌଣସି ବି ବର୍ଷର ତୁଳନାରେ ପାଖାପାଖି ୩.୫ ଗୁଣ ଅଧିକ। ଏହାର ସିଧା ପ୍ରଭାବ ମତ୍ସ୍ୟଚାଷ , ପର୍ଯ୍ୟଟନ ଓ ଉପକୂଳବର୍ତ୍ତୀ ସଂପ୍ରଦାୟର ଜୀବିକା ଉପରେ ପଡ଼ିଥିଲା। ପେରୁରେ ସାମୁଦ୍ରିକ ତାପମାତ୍ରାର କାରଣରୁ ଅଙ୍କୋଭି ମାଛ ନିଜର ପାରମ୍ପରିକ ସ୍ଥାନରୁ ହଟି ଯାଇଥିଲା, ଯେଉଁଥିରେ ସେଠାର ବାଣିଜ୍ୟକ ମାଛ ଧରିବା କାରଖାନ ସବୁ ବନ୍ଦ ହୋଇଯାଇ ଥିଲା ଏବଂ ପାଖାପାଖି ୧.୪ ବିଲିୟନ ଡଲାରର କ୍ଷତି ହୋଇଥିଲା।