ନୂଆଦିଲ୍ଲୀ: ଆଗ୍ରାରେ ଥିବା ଐତିହାସିକ ତାଜମହଲ୍‌କୁ ମଙ୍ଗଳବାର ଇମେଲ୍‌ ମାଧ୍ୟମରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି ।  ସ୍କୁଲ, ଏୟାରପୋର୍ଟ ପରେ ଏବେ ବିଶ୍ବ ଐତିହ୍ୟସ୍ଥଳକୁ ଦୁର୍ବୁତ୍ତମାନେ ଧମକ ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଜମହଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଆଗ୍ରା ପୋଲିସ ତତ୍ପରତା ପ୍ରକାଶ କରିଛି । ଏସିପି ସୈୟଦ ଅହମ୍ମଦ ନ୍ୟୁଜ୍‌ ଏଜେନ୍ସି ଏଏନଆଇକୁ ସୂଚନା ଦେଇ କହିଛନ୍ତି ଯେ, ‘ପର୍ଯ୍ୟଟନ ବିଭାଗକୁ ଏହି ଧମକପୂର୍ଣ୍ଣ ଇମେଲ୍‌ ମିଳିଛି । ତାଜଗଞ୍ଜ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।’

ସେପଟେ ଇମେଲ୍‌ ମିଳିବା ପରେ ବୋମା ନିରୋଧୀ ଦଳ ଏବଂ ପୋଲିସ ମିଳିତ ଭାବେ ତାଜମହଲ୍‌ରେ ପ୍ରବେଶ କରି ଛାନଭିନ କରିଛନ୍ତି ।  ତାଜମହଲ ସମେତ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବ୍ୟାପକ ଅଭିଯାନ ଜାରି ରହିଛି । ତେବେ ଭାରତରେ ବିଦ୍ୟାଳୟ ଏବଂ ଏୟାର ଲାଇନ୍ସ ସମେତ ବିଭିନ୍ନ କ୍ଷେତ୍ରକୁ ଧମକ ମିଳିବା ମାମଲାରେ ବୃଦ୍ଧି ଘଟିଛି । ଏହା ଦ୍ବାରା ଲୋକଙ୍କ ମନରେ ଭୟ ବଢ଼ୁଥିବା ବେଳେ ଦେଶର କ୍ଷତି ମଧ୍ୟ ହେଉଛି । 

ଏହା ପୂର୍ବରୁ ବିମାନଗୁଡ଼ିକୁ ଲଗାତାର ଧମକ ମିଳିବା ପରେ ଏୟାର ଲାଇନ୍ସ ଚିନ୍ତାରେ ପଡ଼ିଯାଇଥିଲେ । ଯାତ୍ରୀଙ୍କୁ ବହୁ ଅସୁବିଧାର ସାମନା କରିବାକୁ ପଡ଼ିଥିବା ବେଳେ କ୍ଷତି ସହିଥିଲେ ଏୟାର ଲାଇନ୍ସ । ଗତ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରୁ ଖୁଲାସା ହୋଇଥିଲା ଯେ, ଅଗଷ୍ଟ ୨୦୨୨ରୁ ୧୩ ନଭେମ୍ବର ୨୦୨୪ ମଧ୍ୟରେ ଘରୋଇ ଏୟାର ଲାଇନ୍ସକୁ ଅତିକମ୍‌ରେ ୧୧୪୩ ଥର ବୋମା ଧମକ ମିଳିଛି । ସବୁଠୁ ଚିନ୍ତାର ବିଷୟ ହେଉଛି, କେବଳ ୨୦୨୪ରେ ଏଭଳି ୯୯୪ଟି ମାମଲା ସାମ୍ନାକୁ ଆସିଛି । ଏହା ଭାରତର ସୁରକ୍ଷା ପ୍ରତି ବଡ଼ ଆହ୍ବାନ ସୃଷ୍ଟି କରିଛି ।