କୋଣାର୍କ,୧୫/୧ :  ଆସନ୍ତା ଜାନୁଆରୀ ୨୫ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼ । ପୂର୍ବ ରାତିରୁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଅପରାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଏସପି ପ୍ରତୀକ ସିଂ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ସରିଲେ ୨୫ତାରିଖ ସପ୍ତମୀ ତୀଥିରେ ମାହେନ୍ଦ୍ରବେଳା ୪ଟା୪୧ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନି ଠାକୁର ସ୍ନାନ କରିବେ ।

. ଜାନୁଆରୀ ୨୫ରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼

. ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦ୍ବିତୀୟ ସମନ୍ବୟ ବୈଠକ

. ମାହେନ୍ଦ୍ରବେଳା ୪ଟା୪୧ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନି ଠାକୁର ସ୍ନାନ କରିବେ

. ଶନିବାର ରାତି ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ

. ୩ ଦିନ ବନ୍ଦ ମଦ ଦୋକାନ

ରାତି ୪ଟା୪୧ରୁ ସାଧୁ ସନ୍ଥ ଓ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ସୁଯୋଗ ପାଇବେ । ଚନ୍ଦ୍ରଭାଗା ମେଳା ପଡ଼ିଆରେ ପାନୀୟ ଜଳ ଯୋଗାଣ ନିମନ୍ତେ ୬୦ଟି ନଳକୂପ, ୪୦ଷ୍ଟାଣ୍ଡ ପୋଷ୍ଟ, ଏକ ଶହ ଅସ୍ଥାୟୀ ଶୌଚାଳୟ, ୪ଟି ପାଣି ଟ୍ୟାଙ୍କର, ବୁଡ଼ ୩ଦିନ ପୂର୍ବରୁ ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ବିଶୋଧନ, ଟ୍ରାଫିକ ବ୍ୟବସ୍ଥା, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ କୋଣାର୍କ ବସଷ୍ଟାଣ୍ଡରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ମାଘ ଷଷ୍ଠି ଓ ସପ୍ତମୀ ଦୁଇ ଦିନ ପରିମଳ, ପାର୍କିଂ, ଆଲୋକ ବ୍ୟବସ୍ଥା, ଚନ୍ଦ୍ରଭାଗା ବେଳାଭୂମି ଓ ତୀର୍ଥ ପୁଷ୍କରିଣୀରେ ୫୦ଜଣ ଲାଇଫ ଗାର୍ଡ଼, ଶନିବାର ରାତି ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ, ସୂଚନା ପ୍ରସାରଣ, ଶାନ୍ତିଶୃଙ୍ଖଳା ନିମନ୍ତେ ୪୨ସେକ୍ସନ ଫୋର୍ସ ମୁତୟନ, ଯାନବାହାନ ନିୟନ୍ତ୍ରଣ ଆଦି ବ୍ୟବସ୍ଥାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ। ସପ୍ତମୀ ଦୁଇ ଦିନ ପୂର୍ବରୁ ସୁଚାରୁ ରୂପେ କାର୍ଯ୍ୟ ତୁଲାଇବା ପାଇଁ ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଥିଲା ।

ଷଷ୍ଠୀ ଓ ସପ୍ତମୀ ଦୁଇ ଦିନ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ । କୋଣାର୍କରେ ୩ ଦିନ ମଦ ଦୋକାନ ବନ୍ଦ ରହିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଶରତ ଚନ୍ଦ୍ର ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରୀୟରଞ୍ଜନ ପୃଷ୍ଟି, ତହସିଲଦାର ସୂର୍ଯ୍ୟଶଙ୍କର ଦାଶ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ତିନି ଠାକୁରଙ୍କ ସେବାୟତ, ମେଳାର ବ୍ୟବସ୍ଥା ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, କୋଣାର୍କର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।