ଭୁବନେଶ୍ୱର, ୨୧/୦୩ : ଘୋଷଣାରେ ସୀମିତ ଭୁବନେଶ୍ୱରରେ ଦ୍ୱିତୀୟ ସ୍ମୃତିବନ ପ୍ରତିଷ୍ଠା । ୨୦୨୪ରୁ ଏନେଇ ଯୋଜନା କରାଯାଇଛି । ଜାଗା ବି ଖୋଜାଯାଉଛି । ହେଲେ କାମ ଆଗେଇପାରୁନି । ଏବେ ଭୁବନେଶ୍ୱର-ଖୋର୍ଦ୍ଧା ଏନ୍ଏଚ୍ ପାର୍ଶ୍ଵ ଭଗବାନପୁରରେ ରହିଛି ସ୍ମୃତିବନ । ଯେଉଁଠି ଲୋକେ ସେମାନଙ୍କ ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସ୍ମୃତିରେ ଗଛ ଲଗାଉଛନ୍ତି । ହେଲେ ଯେତିକି ଗଛ ଲଗାଯିବା କଥା, ତାଠୁ ଅଧିକ ଗଛ ଲାଗିଗଲାଣି । ଫଳରେ ଆଉ ସେଠାରେ ସ୍ଥାନ ନାହିଁ । ଏଣୁ ଦ୍ୱିତୀୟ ସ୍ମୃତିବନ ପାଇଁ ଦାବି ହୋଇଆସୁଛି ।
ପୂର୍ବପୁରୁଷଙ୍କ ସ୍ମୃତି ବଖାଣିବ ସ୍ମୃତିବନ । କେବଳ ସ୍ମୃତି ବଖାଣିବନି, ରାଜଧାନୀରେ ସବୁଜ ପରିବେଶ ସୃଷ୍ଟି ହେବ । ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବ । ଏଭଳି ଯୁଗାନ୍ତକାରୀ ଲକ୍ଷ୍ୟ ନେଇ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୧୭.୫ ଏକର ପରିମିତ ଜମିରେ ସ୍ମୃତିବନ ପ୍ରତିଷ୍ଠା ହୋଇଥିଲା । ଏହାକୁ ଦୁଇଟି ଭାଗ କରାଯାଇଥିଲା, ପ୍ରଥମଟି ଥିଲା ସ୍ମୃତି ବାଟିକା ଓ ଅନ୍ୟଟି ଶ୍ରଦ୍ଧା ବାଟିକା । ଜଣେ ବ୍ୟକ୍ତି ନିଜର ପରଲୋକଗତ ପ୍ରିୟଜନଙ୍କ ସ୍ମୃତିରେ ସ୍ମୃତି ବାଟିକାରେ ଗଛ ଲଗେଇପାରିବେ । ସେହିଭଳି ନିଜର କୌଣସି ସ୍ମରଣୀୟ ଦିନକୁ (ଯଥା ନିଜର ବା ପ୍ରିୟଜନଙ୍କ ଜନ୍ମଦିନ, ବିବାହ ବାର୍ଷିକୀ, କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ ବା ସେହିଭଳି କୌଣସି ସ୍ମରଣୀୟ ଦିନ) ଅଧିକ ସ୍ମରଣୀୟ କରିବା ପାଇଁ ଶ୍ରଦ୍ଧା ବାଟିକାରେ ଗଛ ଲଗାଇପାରିବେ । ବନର ସୌନ୍ଦର୍ଯ୍ୟ ରକ୍ଷା ତଥା ସନ୍ତୁଳନ ଓ ସମତା ରକ୍ଷା ପାଇଁ କେବଳ ଅଶୋକ, ନିମ୍ବ, ରକ୍ତଚନ୍ଦନ ଏବଂ ବଉଳ ଗଛ ଲଗେଇବାର ବ୍ୟବସ୍ଥା ରହିଛି ।
ଇତିମଧ୍ୟରେ ୧୧ବର୍ଷ ବିତିଗଲାଣି । ଏଠାରେ ସର୍ବାଧିକ ୧୧୫୦ ଗଛ ଲାଗିପାରିବ । ହେଲେ ୧୨୬୦ରୁ ଅଧିକ ଗଛ ଲାଗିସାରିଲାଣି । ତେଣୁ ଆଉ ଜାଗା ନାହିଁ । ୨୦୨୪ ମସିହାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅବସରରେ ବିଭାଗୀୟ ଅଧିକାରୀମାନେ ସ୍ମୃତିବନରେ ଗଛ ଲଗାଇବା ସହ ଖୁବଶୀଘ୍ର ସହର ଉପକଣ୍ଠରେ ଆଉ ଏକ ସ୍ମତିବନ ପାଇଁ ଯୋଜନା କରିଥିଲେ । ଏନେଇ ତତ୍କାଳୀନ ସିଟି ଡିଏଫ୍ଓ ମଧ୍ୟ ଆଗ୍ରହ ପ୍ରକାଶ କରିବା ସହ ଜାଗା ଖୋଜିବାକୁ ତତ୍ପରତା ଦେଖାଇଥିଲେ । ହେଲେ ଏହା ଆଗେଇପାରିନି । ଏନେଇ ବର୍ତ୍ତମାନର ସିଟି ଡିଏଫ୍ଓ ବିଶ୍ୱରାଜ ପଣ୍ଡା କହିଛନ୍ତି, ଆମେ ବି ଏହା ଉପରେ ବିଚାର କରୁଛୁ । ପୁରୁଣା ସ୍ମୃତିବନରେ ଆଉ ଜାଗା ନାହିଁ ଗଛ ଲଗାଇବାକୁ । ତେଣୁ ନୂଆ ସ୍ମୃତି ବନ ପ୍ରତିଷ୍ଠା କରିବାକୁ କାମ ଚାଲିଛି । ପ୍ରୟାସ ଚାଲିଛି, ଜମି ମିଳିଲେ ଆଗେଇବୁ ।
ଏହି ଖବରଟିକୁ ପଢନ୍ତୁ- ପଛେଇଛି ଲଣ୍ଡା ପାହାଡ଼ରେ ସବୁଜିମା ଅଭିଯାନ,୭୨୮ ହେକ୍ଟରରେ ବୃକ୍ଷରୋପଣ ଶୂନ