ଭୁବନେଶ୍ୱର,୨୧/୦୩: ବର୍ଷ ପରେ ବର୍ଷ ବିତୁଛି । ହେଲେ ଟିଟିଲାଗଡ଼ର କୁମୁଡ଼ା ପାହାଡ଼ରେ ବୃକ୍ଷରୋପଣ ହୋଇପାରୁନି । ସୂର୍ଯ୍ୟକିରଣ ପଡି଼ଲେ, ଚମକି ଉଠୁଛି ଏହି ଲଣ୍ଡା ପାହାଡ଼ । ପ୍ରତିବର୍ଷ ଭଳି ଏଥର ବି ଟିଟିଲାଗଡ଼ ବାସିନ୍ଦା ଖରା ଦାଉରେ ଛାଟିପିଟି ହେବେ । ସହରର ପାରଦ ସବୁ ଥର ଭଳି ରେକର୍ଡ ଭାଙ୍ଗିବ ।  ବିଶ୍ୱ ବନ ଦିବସ ପାଳନ କରାଯାଉଥିବାବେଳେ ଲଣ୍ଡା ପାହାଡ଼କୁ ନେଇ ଚିନ୍ତା ପ୍ରକାଶ ପାଇଛି । ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ସୁରେଶ ପନ୍ତ ଗତବର୍ଷ ପାରଳାଖେମୁଣ୍ଡି ବନଖଣ୍ଡର ମୋହନା ରେଞ୍ଜରେ ଥିବା ଡେଙ୍ଗମା ପାହାଡ଼କୁ ଯାଇଥିଲେ । ଉଦ୍ଦେଶ୍ୟ ଥିଲା, ଏହି ଲଣ୍ଡା ପାହାଡ଼କୁ ସବୁଜିମାରେ ଭରିବା ।

ଶ୍ରୀ ପନ୍ତଙ୍କ ଗସ୍ତ ବେଳେ ଅଳ୍ପ କିଛି ହେକ୍ଟରରେ ଚାରା ରୋପଣ ହେଲା । ତା’ ପରେ, ଯଥା ପୂର୍ବଂ, ତଥା ପରଂ । ଗତବର୍ଷ ବିଶ୍ୱ ବନ ଦିବସରେ ଖୋଦ୍ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲଣ୍ଡା ପାହାଡ଼କୁ ସବୁଜିମାରେ ଭରି ଇକୋ ସିଷ୍ଟମ ଓ ଜୈବ ବିବିଧତା ବଜାୟ ରଖିବାକୁ ବନ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । କିନ୍ତୁ ଖୋଦ୍ ମନ୍ତ୍ରୀଙ୍କ ବଚନକୁ ପାଳିବାରେ ପଛେଇଛି ବନ ବିଭାଗ । ବନ ବିଭାଗ ତଥ୍ୟ ମୁତାବକ, ୨୦୨୧- ୨୨ରୁ ୨୦୨୫-୨୬ ମସିହା ଭିତରେ ବନ ବିଭାଗ ଟାର୍ଗେଟ ରଖିଥିଲା, ୫୦୦୫.୫ ହେକ୍ଟର ଜମିରେ ବୃକ୍ଷରୋପଣ । ହେଲେ, ଗଲା ୫ ବର୍ଷରେ ୪୨୭୭.୪୬ ହେକ୍ଟର ପାହାଡ଼ରେ ଚାରା ରୋପଣ କରାଗଲା ।

ବାକି, ୭୨୮ ହେକ୍ଟର ଜମିରେ ଚାରା ଲଗାଇବାକୁ ଭୁଲିଗଲା ବନ ବିଭାଗ । ୨୦୨୧- ୨୨ରେ କେବଳ କାମ୍ପା ଅଧୀନରେ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କରାଯାଉଥିଲା । ସେହିବର୍ଷ ୧୩୧୬ ହେକ୍ଟର ପାହାଡ଼ ଜମିରେ ସବୁଜିମା ପାଇଁ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ୧୩୨୬ ହେକ୍ଟର ଜମିରେ ଚାରା ରୋପଣ ହୋଇଥିଲା । ତା’ପରଠୁ ୪ ବର୍ଷ ଧରି ଗ୍ରୀନ ମହାନଦୀ ମିଶନ (ଜିଏମ୍ଏମ୍) ଓ ରାଜ୍ୟରେ ସବୁଜିମା ବଢ଼ାଇବା ପାଇଁ ଆଇଜିସି ଯୋଜନା ଯୋଗେ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ପାଇଁ ନିଷ୍ପତ୍ତି ନିଆଗଲା । ୨୦୨୨-୨୩ ମସିହାର ଜିଏମ୍ଏମ୍ ଅଧୀନରେ ୫୦୦ ହେକ୍ଟର ଜାଗାରୁ ୪୨୪ ହେକ୍ଟରରେ ବୃକ୍ଷରୋପଣ କରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ ।

ଆହୁରି ପଢନ୍ତୁ-ଗାଧୋଇବା ବେଳେ ଘଟିଲା ଅଘଟଣ: କେନାଲରେ ବୁଡ଼ି ଯୁବକ ମୃତ

ସେହିପରି ଆଇଜିସି ଯୋଜନାରେ ୫୦୦ ହେକ୍ଟରରୁ ୨୦ ହେକ୍ଟର ପାହାଡି଼ଆ ଜମିରେ ବୃକ୍ଷରୋପଣ କରିବାରେ ବିଫଳ ହୋଇଥିଲା ବନ ବିଭାଗ । ୨୦୨୨-୨୩ ମସିହାରେ କାମ୍ପା ଅଧୀନରେ ୨୨୮୯.୫ ହେକ୍ଟର ଜାଗାରେ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମାତ୍ର ୧୨୫୪.୮୯ ହେକ୍ଟର ଜମିରେ ଚାରା ରୋପଣ ସମ୍ଭବ ହୋଇପାରିଲା । ତା’ ପରବର୍ଷ କାମ୍ପା ପାଇଁ କୌଣସି ଟାର୍ଗେଟ ନଥିଲା । ତଥାପି ୩୯୩ ହେକ୍ଟର ପାହାଡି଼ଆ ଜମିକୁ ସବୁଜିମା କରିବାକୁ ଚାରା ରୋପଣ ହୋଇଥିଲା । ଓଡି଼ଶା ପରିବେଶ ସମିତି ସଭାପତି ଡା. ଏସ୍. ଏନ୍ ପାତ୍ର କହିବା ମୁତାବକ, ଲଣ୍ଡା ପାହାଡ଼ରେ ସବୁଜିମା ଭରିଗଲେ, ସେଠାକାର ଇକୋ ସିଷ୍ଟମ ସନ୍ତୁଳିତ ରହିବ । ଜୈବ ବିବିଧତା ବଜାୟ ରହିବ । ତାପମାତ୍ରା କମିବ । ପାହାଡ଼ର ଗଛପତ୍ରରେ ଭାସମାନ ବାଦଲ ମାଡ଼ ହେଲେ, ଅଧିକରୁ ଅଧିକ ବୃଷ୍ଟିପାତ ହେବ ।