କଟକ,୨୨/୧୨: ଆଜି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ତା’ର  ୬୯ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ଅବସରରେ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ତଥା  ପୂର୍ବତନ ସଭାପତି ଡ. ସୁଶାନ୍ତ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ପ୍ରାଣୀ ସମ୍ପଦ  ବିଭାଗ ନିର୍ଦ୍ଦେଶକ ରାମାଶିଷ ହାଜରା, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର, ମାଧ୍ୟମିକ  ଶିକ୍ଷା ନିର୍ଦ୍ଦେଶକ ମନୋରଞ୍ଜନ ମଲ୍ଲିକ୍‌, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର  ଯୋଗଦେବେ । ଏହି ଅବସରରେ ବୋର୍ଡ ପକ୍ଷରୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ  ପୁରସ୍କାର ପ୍ରଦାନ କରାଯିବ । ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ବିଶେଷ ଉତ୍ସବରେ ବୋର୍ଡର କର୍ମଚାରୀମାନେ ସାମାଜିକ ନାଟକ ଓ ଅନ୍ୟାନ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ କରିବେ । 

ସୂଚନାଯୋଗ୍ୟ, ବୋର୍ଡର ପୂର୍ବାପେକ୍ଷା ପରୀକ୍ଷା  ପରିଚାଳନା ଦାୟିତ୍ୱ ବଢ଼ିଛି । ପୂର୍ବରୁ କେବଳ ବାର୍ଷିକ ମାଟ୍ରିକ ପରୀକ୍ଷା ଏବଂ  ସପ୍ଲିମେଣ୍ଟାରୀ ଭଳି କେତକ ହାତଗଣତି ପରୀକ୍ଷା ପରିଚାଳନା କରାଯାଉଥିଲା । କିନ୍ତୁ  ଏବେ ଓଟିଇଟି, ଓଏସ୍‌ଏସ୍‌ଟିଇଟି, ଆଦର୍ଶ ବିଦ୍ୟାଳୟ ପ୍ରବେଶିକା, ଓଡ଼ିଆ ଏକକ  ପରୀକ୍ଷା, ବିଭିନ୍ନ ବୃତ୍ତି ପରୀକ୍ଷା ବୋର୍ଡ ପକ୍ଷରୁ ପରିଚାଳନା କରାଯାଉଛି । ସେହିପରି  ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟଖସଡ଼ା ପ୍ରସ୍ତୁତି, ପରୀକ୍ଷା ଦାୟିତ୍ୱ ବଢ଼ିଥିଲେ ହେଁ  ସେହି ଅନୁଯାୟୀ କର୍ମଚାରୀ ବୃଦ୍ଧି ହେଉନାହିଁ । ରାଜ୍ୟର ଏହି ପ୍ରମୁଖ ଅନୁଷ୍ଠାନରେ  ମାନବ ସମ୍ବଳ ଅଭାବ ରହିଛି । ଏଣୁ କେତେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକାରେ  ନିୟୋଜିତ କରାଯାଇ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରାଯାଉଥିବା ଜଣାପଡ଼ିଛି।