ଭୁବନେଶ୍ବର,୧୬/୧ : ସୁନ୍ଦରଗଡ଼ରେ ହଟିଲା ୧୬୩ଧାରା । ସୁନ୍ଦରଗଡ଼ରେ ବର୍ତ୍ତମାନ ସ୍ବାଭାବିକ ହେବ ଇଣ୍ଟରନେଟ ସେବା । ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସ୍ଥାନୀୟ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ହଠାତ୍ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏସ୍ଡିପିଓ ନିର୍ମଳ ମହାପାତ୍ର ଓ ଟାଉନ ଥାନା ପୁଲିସ୍ ପହଞ୍ଚି ବୁଝାସୁଝା କରିଥିଲେ । ଦୁଇ ଗୋଷ୍ଠୀର ନେତୃବୃନ୍ଦଙ୍କୁ ଡାକି ନିଜ ନିଜ ଲୋକଙ୍କୁ ବୁଝାଇ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ହେଲେ କେହି ଶୁଣି ନ ଥିଲେ । ଅପରାହ୍ନ ୧ଟାରେ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ । ପଥର ମାଡ଼ରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ସ୍ଥିତି ଜଟିଳ ହେଉଥିବା ଦେଖି ଅଧିକ ପୁଲିସ୍ ଫୋର୍ସ ପହଞ୍ଚିଥିଲେ । ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା । ଉତ୍ତେଜନା ଭିତରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ପୁଣିଥରେ ଦୁଇ ଥରେ ଗୋଷ୍ଠୀ ପକ୍ଷରୁ ପଥର ମାଡ଼ ହୋଇଥିଲା । ଫଳରେ ପୁଲିସ୍ ଫୋର୍ସ ଛତ୍ରଭଙ୍ଗ ଦେଇଥିଲେ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଡିଆଇଜି, ଏସ୍ପି ଅତିରିକ୍ତ ପୁଲିସ୍ ଫୋର୍ସ ସହ ପହଞ୍ଚିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଏନ୍ଏସ୍ ୧୬୩ ଲାଗୁ କରାଯାଇଥିଲା । ଇଣ୍ଟରନେଟ୍ ସେବାକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା । ଶୁକ୍ରବାର ସୁନ୍ଦରଗଡ଼ ଟାଉନ୍ର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଥିଲା ।