ପୁରୀ,୧୦/୦୬: ସୋମବାର  ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀରେ  ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ରଥଯାତ୍ରା ନୀତିର ଶୁଭାରମ୍ଭ  ହୋଇଛି । ମଙ୍ଗଳବାର ଚାରମାଳ ବନ୍ଧା ସହ ଠାକୁରଙ୍କ ସେନାପଟା  ଲାଗି ନୀତି । ଏହି ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ରହିଛି । ଆଜି ଠାକୁରଙ୍କ ପହୁଡ଼ଠାରୁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଠାକୁରଙ୍କ  ଦର୍ଶନ ମିଳିବ ନାହିଁ । ସେହିଭଳି  ସ୍ନାନ ଯାତ୍ରା ବୁଧବାର ସକାଳ ୭ଟା  ସୁଦ୍ଧା ଠାକୁରଙ୍କ ପହଣ୍ଡି ଆରମ୍ଭ  ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ ସୂଚନା ମିଳିଛି ।  

ବୁଧବାର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦିରେ ଉଭା ହେବେ  ଶ୍ରୀଜିଉ । ଏଣୁ ସୋମବାର ବିଳମ୍ବିତ ରାତିରୁ  ଆରମ୍ଭ ହେଉଛି ବିଶେଷ ନୀତି । ଠାକୁରଙ୍କଠାରେ ଠିଆ ପହୁଡ଼ ଖଣ୍ଡୁଆ ପଡ଼ିବା ପରେ ରାତିରେ ବାହୁଟ କଣ୍ଟ ନୀତି କରିଥିଲେ । ମହାପ୍ରଭୁଙ୍କ  ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବାହୁଟ କଣ୍ଟ କରାଯାଇଛି । ଦଇତାପତିମାନେ  ସିଂହାସନରେ ଏହି କାର୍ଯ୍ୟ  କରିଛନ୍ତି । ଏହି ଅବସରରେ  କୋଠସୁଆଁସିଆ ସେବକମାନେ ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ  ହୋଇଛନ୍ତି । ସାମୂହିକ ଭାବେ ଏମାନେ ତଳୁ ରତ୍ନସିଂହାସନ  ପର୍ଯ୍ୟନ୍ତ ଚାରମାଳ(ଶିଡ଼ି) ବାନ୍ଧିଛନ୍ତି । 

ଚତୁର୍ଦ୍ଦଶୀ ସକାଳେ କୋଠ ସୁଆଁସିଆ ସେବକ ବାହାରିବା ପରେ  ଦଇତାପତିମାନେ ସେନାପଟା ଲାଗି କରିବେ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳବାର ସାଢେ ୬ଟାରୁ ଆରମ୍ଭ ହେବ ଏହି ସ୍ୱତନ୍ତ୍ର ନୀତି । ୧୧ଟାରେ ସରିବ ସେନାପଟା ଲାଗି । ଏହାପରେ  ଶ୍ରୀବିଗ୍ରହଙ୍କ ମଙ୍ଗଳାଳତି ୧୨ଟାରେ,ମଇଲମ,  ତଡ଼ପ ଲାଗି ଓ ଅବକାଶ ରୋଷହୋମ,  ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ହୋଇ ଅପରାହ୍ନ  ୨ଟାରେ ଠାକୁରଙ୍କ ବେଶ ଶେଷ ହେବ ।  ଏହାପରେ ଅନ୍ୟାନ୍ୟ ନୀତି ସହ ଚଉଠି କର୍ମ ରହିଛି । ଦେବସ୍ନାନ  ପୂର୍ଣ୍ଣିମା ଦିନ ଭୋର ସାଢ଼େ ୪ଟାରେ ଠାକୁରଙ୍କ ମଙ୍ଗଳାର୍ପଣ  ବଢ଼ି ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ୭ଟା ସୁଦ୍ଧା ପହଣ୍ଡି ଆରମ୍ଭ  ହୋଇଯିବ ।