ବରିଷ୍ଠ କଳାକାର ରାମଚନ୍ଦ୍ର ପ୍ରତିହାରୀ ଆଉନାହାନ୍ତି

ପୁରୀ,୨୭ା୧(ବ୍ୟୁରୋ): ଅଭିନୟ ଜଗତର ଧ୍ରୁବତାରା ତଥା ଜୟଦେବ ପୁରସ୍କାରପ୍ରାପ୍ତ ବର୍ଷୀୟାନ ଅଭିନେତା ରାମଚନ୍ଦ୍ର ପ୍ରତିହାରୀ ଆଉନାହାନ୍ତି । ତାଙ୍କ ବିୟୋଗରେ କଳା ଜଗତର ଅପୂରଣୀୟ କ୍ଷତି ଘଟିଛି । ଅନେକ ତାଙ୍କୁ କଳା ଜଗତର ଭୀଷ୍ମ ପିତାମହ ବୋଲି ମାନନ୍ତି । ମହାପ୍ରଭୁଙ୍କ ସେବାୟତ କୂଳରେ ଜନ୍ମ ହୋଇ ମଧ୍ୟ ପିଲା ବୟସରୁ ଅଭିନୟ ପାଇଁ ଘରଦ୍ୱାର ଛାଡ଼ିଥିଲେ ରାମଚନ୍ଦ୍ର । ଚଳଚ୍ଚିତ୍ର, ନାଟକ, ଅପେରାରେ ଅଭିନୟ ସହ ନୂଆ କଳାକାର ଉତାରିବାରେ ଓସ୍ତାଦ ଥିଲେ । କଳାଜୀବନରେ ୬୫ବର୍ଷର ନିରନ୍ତର ଯାତ୍ରାର ରବିବାର ଅନ୍ତ ଘଟିଛି । ବଡ଼ଦାଣ୍ଡସ୍ଥିତ ଅନ୍ନପୂର୍ଣ୍ଣା ଥିଏଟରର ଭଙ୍ଗା କୋଠରିରେ ଦେହାନ୍ତ ହୋଇଛି । ତାଙ୍କୁ ୮୩ ବର୍ଷ ହୋଇଥିଲା । କିଛି ଦିନ ଅସୁସ୍ଥ ରହିବାପରେ ଆଜି ଅପରାହ୍ନରେ ପରିବାର ଗହଣରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୩୬ ଜାନୁୟାରୀ ୧୭ ତାରିଖ ହରଚଣ୍ଡୀ ସାହିରେ ଜନ୍ମଗ୍ରହଣ କରିଥିଲେ । ପିତା ହେଉଛନ୍ତି ସ୍ୱର୍ଗତ ଜମ୍ବେଶ୍ୱର ପ୍ରତିହାରୀ ଓ ମାତା ଗୌରୀମଣି ଦେବୀ । ବେତାର ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ସ୍ୱର୍ଗତ ପ୍ରତିହାରୀଙ୍କ ପ୍ରଥମ ନାଟକ ଥିଲା କର୍ଣ୍ଣ ଅର୍ଜ୍ଜୁନ । ଏଥିରେ ସେ ଶକୁନି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ।
ଚଳଚ୍ଚିତ୍ର ଭାଇଭାଉଜ, ମାଣିକ ଯୋଡି଼, କିଏ କାହାର, ନୂଆ ବୋହୁ, ଘର ସଂସାର, ଅରୁନ୍ଧତୀ, ମୁକ୍ତି, ଜୟ ଜଗନ୍ନାଥରେ ତାଙ୍କ ଅଭିନୟ ଅଭୁଲା । କାରାଗାର, ନଷ୍ଟ ଉର୍ବଶୀ, ନୂଆ ଜୀବନ, ଚଉଠି ରାତି, ସ୍ୱର୍ଣ୍ଣଲତା, ଅତିଥି, ଲୁହାଶିକୁଳି, ମଲାଜହ୍ନ, କାଚକାଞ୍ଚନ, ପହିଲି ରଜ ଆଦି ଶତାଧିକ ନାଟକରେ ଭିନ୍ନ ଭିନ୍ନ ଚରିତ୍ରରେ ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ ।
ଜଣେ ଦକ୍ଷ କଳାକାର ଓ ନିର୍ଦ୍ଦେଶକ ଭାବେ ସେ ଶହ ଶହ ମଞ୍ଚରେ ସମ୍ମାନିତ ହୋଇଥିଲେ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜୟଦେବ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ସହ ଅନେକ ଉପାଧି ତଥା ମଞ୍ଚ ସମ୍ରାଟ, ଉତ୍କଳକଳା, ଶଙ୍ଖଶ୍ରୀ, ଶ୍ରୀକ୍ଷେତ୍ର ଶ୍ରୀ, ବିଷ୍ଣୁପ୍ରିୟା ସ୍ମୃତି ସମ୍ମାନ, ଶତାବ୍ଦୀର କଳାକାର ସମ୍ମାନ, ନାଟକ ସମ୍ରାଟ, ଚାଖିଖୁଣ୍ଟିଆ ସମ୍ମାନ, ବାଣୀଚିତ୍ର, ପରଂପରା ସମ୍ମାନ ସହ ଆହୁରି ଅନେକ ଉପାଧିରେ ସମ୍ବର୍ଦ୍ଧିତ ହୋଇଛନ୍ତି । ପେସାଦାର ରଙ୍ଗମଞ୍ଚ, ଜନତା ରଙ୍ଗମଞ୍ଚ, ମଡର୍ଣ୍ଣ ନାଟ୍ୟ ପ୍ରତିଷ୍ଠାନ, ମଞ୍ଚରୂପା ନାଟକ, ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ ।
ଆଜି ରାତିରେ ବହୁ କଳାପ୍ରେମୀଙ୍କ ଗହଣରେ ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁତ୍ର ପ୍ରଦୀପ୍ତ କୁମାର ପ୍ରତିହାରୀ ମୁଖାଗ୍ନି ଦେଇଛନ୍ତି । ଚଳଚ୍ଚିତ୍ର, ନାଟକ, ଅପେରା ଆଦିରେ ଅଭିନୟ ତଥା ନିର୍ଦ୍ଦେଶନା ଦର୍ଶକଙ୍କ ହୃଦୟରେ ତାଙ୍କୁ ସବୁଦିନ ବଞ୍ଚାଇ ରଖିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ପ୍ରତିହାରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ରଙ୍ଗଶାଳାର ନିର୍ଦ୍ଦେଶକ ବିକ୍ରମ ସାହୁ ଓ ବରିଷ୍ଠ କଳାକାରମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।