ଆସିକା, ୨୯/୦୮: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଢ଼ଉଗାଁ ଛକରେ ସିରିଜ୍ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଢଉଗାଁର ୪୮ ବର୍ଷୀୟ ବସନ୍ତ ପରିଡା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ସନ୍ତୋଷ କୁମାର ପରିଡ଼ାକୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି ।

ସୂଚନା ମୁତାବକ, ଶୁକ୍ରବାର ଭୋର ୫ଟା ବେଳେ ଏକ ଟ୍ରକ୍ ୫୯ ନଂ ଜାତୀୟ ରାଜପଥରେ ଆସିକା ପଟୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲା । ଏହି ସମୟରେ ଜମି କାର୍ଯ୍ୟ ସାରି ଘରକୁ ଫେରୁଥିଲେ ବସନ୍ତ । ଟ୍ରକ୍ ପ୍ରଥମେ ବସନ୍ତଙ୍କ ଉପରେ ଚଢିବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ,ଦୋକାନ, ଜଣେ ବ୍ୟକ୍ତିଙ୍କ ଘର, ଗୋଟିଏ ବାଇକ ଏବଂ ସାଇକେଲ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ଢଉଗାଁ ଗାଁର ବସନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡି ଧରି ଚମ୍ପଟ୍ ମାରୁଥିବା ବେଳେ ଗାଁ ଲୋକେ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୁଲିସରେ ଜିମା ଦେଇଛନ୍ତି। ଡ୍ରାଇଭର ନିଜେ ସ୍ବୀକାର କରିଛି ଯେ, ସେ ଅଧିକ ଭାଙ୍ଗ ସେବନ ଫଳରେ ତାଙ୍କୁ ନିଶା ହୋଇଯିବାରୁ ଏପରି ଦୁର୍ଘଟଣା ହୋଇଛି। ଅନ୍ୟ ପଟେ ଏହି ଦୁର୍ଘଟଣାରେ ମୃତକ ବସନ୍ତଙ୍କ ପରିବାର ପୁରା ଭାଙ୍ଗି ପଡିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରିବା ସହ ଟ୍ରକ୍କୁ ଅଟକ ରଖିଛି। ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ କରୁଛି। ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ରେଡ୍ କ୍ରସ୍ ପାଣ୍ଠିରୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲ୍ ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଧରାକୋଟ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ ।