ଭଦ୍ରକ,୦୯/୧୦: ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ବୁଧବାର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦିଲ୍ଲୀପ ରାଉତରାଏ ବୈଠକର ଅଧ୍ୟକ୍ଷତା କରି ୭ ଦିନ ଧରି ପାଳିତ ହେବାକୁ ଥିବା ଏହି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ମେଳାରେ ଅଧିକ ଜନସମାବେଶ ହେତୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରାଯାଇଥିଲେ ମଧ୍ୟ ପର୍ବ ପାଳନରେ ଜନସାଧାରଣ ବିଭିନ୍ନ କ୍ଷେତ୍ରରେ ପୁଲିସକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।
ଏଥର ପୂର୍ବ ପରମ୍ପରା ଅନୁଯାୟୀ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଏହି ଐତିହାସିକ ମେଳା ଅନୁଷ୍ଠିତ ହେବ ବୋଲି ଏସ୍ପି ଶ୍ରୀ ରାଉତ ବୈଠକରେ ସୂଚନା ଦେଇଥିଲେ । ପୂଜା ୨୧ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ସକାଳେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ମା'ଙ୍କ ବିସର୍ଜନ ପାଇଁ ପ୍ରଶାସନ ତରଫରୁ ଚଳିତବର୍ଷ ଡଗରାସାହି କେନାଲ ରୋଡ୍ ଓ ଛପୁଲିଆ ଠାରେ ୨ ଗୋଟି କୃତ୍ରିମ ଜଳାଶୟ ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା ରହିଛି । ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂଜା କମିଟି ମାନଙ୍କର ପ୍ରମୁଖ କର୍ମକର୍ତା ସହ ହିନ୍ଦୁ ସୁରକ୍ଷା ସମିତିର ପ୍ରମୁଖ ବିଦ୍ୟାଧର ସାହୁ, ଶାନ୍ତି କମିଟିର ସଦସ୍ୟ ସୁଧାକର ରାଉତ, ଗୌରାଙ୍ଗ ପଣ୍ଡା, ଅତିଶ ବେହେରା, ମୁସଲିମ୍ ଜମାତର ନୌସାଦ, ସେକ୍ ରାଜୁ, ସେକ୍ ଉମର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର (ବିଚାର ବିଭାଗ) କାର୍ତିକନାଥ ମଣ୍ଡଳ ଓ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଣ୍ଟିଆଙ୍କ ସମେତ ପୂର୍ତ, ଗ୍ରାମୀଣ ଉନ୍ନୟନ, ଜଳ ପରିମଳ ଓ ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ବୈଠକରେ ଉପସ୍ଥିତ ଥିବା ୯ଟି ପୂଜା କମିଟିର ପ୍ରମୁଖମାନେ ସେମାନଙ୍କ ପୂଜା ମଣ୍ଡପର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ ଗୁଡିକରେ ସିସିଟିଭ୍ କ୍ୟାମେରା ଲଗାଇ ପୁଲିସ୍ କେଣ୍ଟ୍ରୋଲ ରୁମ୍ ସହ ସଂଯୋଗ ସ୍ଥାପନା କରିବାକୁ କୁହାଯାଇଥିଲା । ଏହାବ୍ୟତୀତ ସମ୍ଭାବ୍ୟ ବିଦ୍ୟୁତ୍ ସଂଯୋଗ ଛିନ୍ନ ରୋକିବା ପାଇଁ ସମସ୍ତ ପୂଜା ମଣ୍ଡପରେ ଡିଜିର ବ୍ୟବସ୍ଥା କରିବାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । କାଳୀପୂଜା ସମୟରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାନଯିବାକୁ ଏସ୍ପି ଶ୍ରୀ ରାଉତ ଗୁରୁତ୍ୱ ଦେଇଥିଲେ । ଯଦି ଏହାର ବ୍ୟତିକ୍ରମ ହୁଏ, ତେବେ ପୁଲିସ୍ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଦେଇଥିଲେ । ଏଥିପାଇଁ ଏକ ୨୪ ଘଂଟିଆ ସୋସିଆଲ ମିଡିଆ ସେଲ୍ କରାଯାଇଛି ।