ନୂଆଦିଲ୍ଲୀ, ୧।୧: ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଅଘଟଣ । ସ୍ୱିଜରଲ୍ୟାଣ୍ଡର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ କ୍ରାନ୍ସ-ମୋଣ୍ଟାନାରେ ନୂଆ ବର୍ଷ ଉତ୍ସବ ପାଳନ ଅବସରରେ ଏକ ବାର୍ରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି ।
ବିସ୍ଫୋରଣଟି ଲେ କନଷ୍ଟେଲେସନ ବାର୍ ଓ ଲଞ୍ଜ ନାମକ ଏକ ବାର୍ରେ ଘଟିଥିଲା । ବିସ୍ଫୋରଣ ପରେ ବାର୍ରେ ନିଆଁ ଲାଗିଯାଇଥିଲା । ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ବାରର୍ରୁ କଳା ଧୂଆଁ ବାହାରୁଥିବା ଦେଖାଯାଉଛି । ପୁଲିସର କହିବାନୁସାରେ, ବିସ୍ଫୋରଣର କାରଣ ଜଣାପଡ଼ିନାହିଁ । କିଛି ସ୍ଥାନୀୟ ଲୋକଙ୍କ କହିବାନୁସାରେ, କନସର୍ଟ ସମୟରେ ବାଣ ଫୁଟିବା ଯୋଗୁଁ ଏହି ନିଆଁ ଲାଗିଥାଇପାରେ, କିନ୍ତୁ ପୁଲିସ୍ ଏହାକୁ ସ୍ପଷ୍ଟ କରିନାହିଁ । ପୁଲିସ ଅଧିକାରୀ ଗାଏତାନ୍ ଲାଥିଓନ୍ କହିଛନ୍ତି, “ଅଜଣା କାରଣରୁ ବିସ୍ଫୋରଣ ଘଟିଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି ।” ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ହେଲ୍ପଲାଇନ ଜାରି ହୋଇଥିବା ପୁଲିସ କହିଛି ।
କହିରଖୁଛୁ ଯେ, କ୍ରାନ୍ସ-ମୋଣ୍ଟାନା ସ୍ୱିଜରଲ୍ୟାଣ୍ଡର ଆଲ୍ପସ୍ ପର୍ବତ ମଝିରେ ଅବସ୍ଥିତ ଏକ ସୁନ୍ଦର ସ୍କି ରିଜର୍ଟ, ଯେଉଁଠାରେ ସ୍କିଂ, ସ୍ନୋବୋର୍ଡିଂ ଓ ଗଲ୍ଫ ପାଇଁ ବିଶ୍ୱରୁ ପର୍ଯ୍ୟଟକ ଆସନ୍ତି । ଏହା ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବେର୍ନରୁ ପ୍ରାୟ ୨ ଘଣ୍ଟା ଦୂରରେ ଅବସ୍ଥିତ । ଏହି ବିସ୍ପୋରଣ ଘଟଣା ପୂର୍ବରୁ ମଧ୍ୟ ଜେନେଭାର ପୁରୁଣା ଲକ୍ ଜରୀ ହୋଟେଲ ଫୋର୍ ସିଜିନ୍ସ ହୋଟେଲ ଦେସ୍ ବରଗେସ୍ ରେ ଆଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ କିଛି ଲୋକ ଆହତ ହୋଇଥିଲେ। ପ୍ରତିବର୍ଷ ଗରମ ଓ ଶୁଷ୍କ ପାଗ ଅନୁଭୂତ ହେଉଥିବାରୁ ସ୍ୱିଜରଲ୍ୟାଣ୍ଡ ଜଙ୍ଗଲ ଅଗ୍ନିକାଣ୍ଡ ଭଳି ସମସ୍ୟାର ସମ୍ମୁଖୀନ ହୁଏ । ୨୦୦୧ରୁ ୨୦୨୪ ମଧ୍ୟରେ ଏହି ଦେଶର ୩%ଠାରୁ ଅଧିକ ଜଙ୍ଗଲ ଅଞ୍ଚଳ ଅଗ୍ନିକାଣ୍ଡରେ ଜଳିଯାଇଛି ।