ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟେଷ୍ଟ ଦଳରେ ରୋହିତଙ୍କ ସ୍ଥାନ ନେବାକୁ ଦୌଡ଼ରେ ଏକାଧିକ ଖେଳାଳି, ଖୁବ୍‌ଶୀଘ୍ର ନୂଆ ଅଧିନାୟକ ନିଯୁକ୍ତ କରିବ ବିସିସିଆଇ

Published By : Prameya | May 10, 2025 12:59 PM

ମୁମ୍ବାଇ,୧୦/୦୫: ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ଚାମ୍ପିଅନ୍ସ ଟ୍ରଫି ଜିତାଇଥିବା ରୋହିତ ଶର୍ମା ସମ୍ପ୍ରତି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ତାଙ୍କ ସ୍ଥାନରେ ବିସିସିଆଇ ସିନିୟର ଚୟନ କମିଟି ଖୁବ୍‌ ଶୀଘ୍ର ନୂଆ ଅଧିନାୟକ ନିଯୁକ୍ତ କରିବ । କିଛି  ସିନିୟର ଖେଳାଳିଙ୍କ ସହ ଯୁବ ଖେଳାଳି ମଧ୍ୟ ଅଧିନାୟକ ଦୌଡ଼ରେ ରହିଛନ୍ତି । ଖାଲି ସେତିକି ନୁହେଁ ଟେଷ୍ଟ ଦଳରେ ରୋହିତ ଖାଲି କରିଥିବା ସ୍ଥାନ ପାଇଁ ମଧ୍ୟ ଅନେକ ଖେଳାଳି  ଦାବିଦାର ରୂପେ ଉଭା ହୋଇଛନ୍ତି । ଆସନ୍ତା  ମାସରେ ଭାରତୀୟ ଦଳ ୫ମ୍ୟାଚ୍‌ ବିଶିଷ୍ଟ  ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା  କରିବ । ଜୁନ୍‌ ୨୦ରୁ ଟେଷ୍ଟ ସିରିଜ ଆରମ୍ଭ  ହେବ । 

ଧ୍ରୁବ ଜୁରେଲ 

ଜଣେ ଦକ୍ଷ ୱିକେଟ୍‌ କିପର ବ୍ୟାଟର ଭାବେ  ଜୁରେଲ ଟେଷ୍ଟ ଦଳର ନିୟମିତ ସଦସ୍ୟ  ହେବାର କ୍ଷମତା ରଖିଛନ୍ତି । ସେ ଇତି ମଧ୍ୟରେ  ୪ଟି ଟେଷ୍ଟ ଖେଳିସାରିଛନ୍ତି ଓ ୪୦.୪୦  ହାରରେ ୨୦୨ ରନ ସଂଗ୍ରହ କରିଛନ୍ତି । ତଥାପି ସେ ଦଳର ତୃତୀୟ ୱିକେଟ୍‌ କିପର ।  କାରଣ ଅନ୍ୟ ୱିକେଟ୍‌ କିପର ଭାବେ ରିଷଭ  ପନ୍ତ ଓ କେଏଲ ରାହୁଲ ଦଳର ସ୍ଥାୟୀ  ସଦସ୍ୟ ରହିବେ । ବର୍ଡର-ଗାଭାସ୍କର ଟ୍ରଫିର  ପଞ୍ଚମ ଟେଷ୍ଟରେ ରୋହିତ ଏକାଦଶରୁ ବାଦ  ପଡ଼ିଥିଲେ ଓ ତାଙ୍କ ସ୍ଥାନରେ ଜୁରେଲଙ୍କୁ ସ୍ଥାନ ମିଳିଥିଲା । ବର୍ତ୍ତମାନ ରୋହିତ ଅବସର ନେଇଛନ୍ତି । ତେଣୁ ଜୁରେଲ ଏହି ସ୍ଥାନ ପାଇଁ  ପ୍ରବଳ ଦାବିଦାର ରହିବା ସ୍ୱାଭାବିକ । ତାଙ୍କୁ  ଦ୍ୱିତୀୟ ୱିକେଟ୍‌ କିପର ଭାବେ ସ୍ଥାନ ମିଳିଲେ  ରାହୁଲ କେବଳ ବ୍ୟାଟିଂ ଉପରେ ଧ୍ୟାନ  ଦେଇପାରିବେ । 

କରୁଣ ନାଏର 

ବର୍ତ୍ତମାନ ଭାରତୀୟ ଘରୋଇ କ୍ରିକେଟ୍‌ରେ  ସବୁଠୁ ଚର୍ଚ୍ଚିତ ଖେଳାଳି ହେଉଛନ୍ତି କରୁଣ  ନାଏର । ୩୩ବର୍ଷିୟ ନାଏରଙ୍କ ନିକଟରେ  ଢ଼େର ଅଭିଜ୍ଞତା ରହିଛି । ବୀରେନ୍ଦ୍ର ସେହୱାଗଙ୍କ  ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ଟେଷ୍ଟ  କ୍ରିକେଟ୍‌ରେ ତ୍ରିଶତକ ଅର୍ଜନ କରିଛନ୍ତି । ୨୦୧୭ରେ ସେ ଇଂଲଣ୍ଡ ବିପକ୍ଷରେ  ଏହି ଐତିହାସିକ ଇନିଂସ ଖେଳିଥିଲେ । 

ଗତ ରଣଜୀ ଟ୍ରଫିରେ ସେ ମୋଟ୍‌  ୮୬୩ ରନ ସଂଗ୍ରହ କରିବା ସହ ବିଦର୍ଭକୁ  ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ  କରିଥିଲେ । ଏଥିରେ ୪ଟି ଶତକ ରହିଥିଲା ।  ରଣଜୀ ପ୍ରଦର୍ଶନ ଜରିଆରେ ସେ ଟେଷ୍ଟ ଦଳକୁ  ଫେରିବା ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିଛନ୍ତି ।  ତାଙ୍କ ନିକଟରେ ଉଭୟ ଅଭିଜ୍ଞତା ଓ ଟେକନିକ ରହିଛି । ମଧ୍ୟକ୍ରମରେ ଜଣେ ଦକ୍ଷ ବ୍ୟାଟରଙ୍କ  ଆବଶ୍ୟକତା ମଧ୍ୟ ରହିଛି । ତେଣୁ ରୋହିତଙ୍କ ସ୍ଥାନ ନେବା ପାଇଁ ନାଏର ଉପଯୁକ୍ତ ସଦସ୍ୟ । ସେ ଗତ ୨ଟି ସିଜନ ଧରି କାଉଣ୍ଟି କ୍ରିକେଟ୍‌ ମଧ୍ୟ  ଖେଳିଛନ୍ତି ଓ ୫୬.୭୧ ହାରରେ ୭୩୬ ରନ  ସଂଗ୍ରହ କରିଛନ୍ତି । ତେଣୁ ଇଂଲଣ୍ଡ ଗସ୍ତରେ ତାଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । 

ସାଇ ସୁଦର୍ଶନ

୨୩ବର୍ଷିୟ ସାଇ ସୁଦର୍ଶନ ରୋହିତଙ୍କ  ସ୍ଥାନ ନେବା ପାଇଁ ପ୍ରମୁଖ ଦାବିଦାର । ରୋହିତ ଓପନର ଭାବେ ଖେଳୁଥିଲେ ।  ସୁଦର୍ଶନ ମଧ୍ୟ ଜଣେ ପ୍ରତିଭାବାନ ଓପନିଂ  ବ୍ୟାଟର । ଗତ ଦୁଇ ବର୍ଷ ହେଲା ସୁଦର୍ଶନଙ୍କୁ  ଏ’ ଦଳରେ ନିୟମିତ ଭାବେ ସୁଯୋଗ  ଦିଆଯାଉଛି । ଓପନ କରିବା ସହ ମଧ୍ୟ  କ୍ରମରେ ଖେଳିବା ଭଳି ଦକ୍ଷତା ଓ ଟେକନିକ୍‌ ତାଙ୍କ ନିକଟରେ ରହିଛି । ସେ କାଉଣ୍ଟି  କ୍ରିକେଟ୍‌ରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି । 

ରଜତ ପାତିଦାର

ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ଦଳର ଅଧିନାୟକ ଥିବା ରଜତ  ପାତିଦାର ଟେଷ୍ଟ ଦଳର ଅନ୍ୟତମ ଦାବିଦାର  ରହିଛନ୍ତି । ଗତ ଇଂଲଣ୍ଡ ବିପକ୍ଷ ଘରୋଇ  ଟେଷ୍ଟ ସିରିଜରେ ପାତିଦାରଙ୍କୁ ୩ଟି ମ୍ୟାଚ୍‌  ଖେଳିବାକୁ ସୁଯୋଗ ମିଳିଥିଲା । ମାତ୍ର ସେ  ନିରାଶ କରିଥିଲେ । ଏଥର ରଣଜୀ ଟ୍ରଫିରେ  ତାଙ୍କ ପ୍ରଦର୍ଶନ ବେଶ୍‌ ଦମ୍‌ଦାର ରହିଥିଲା ।  ସେ ୩୯୫ରନ ସଂଗ୍ରହ କରିଥିଲେ । ମଧ୍ୟ  କ୍ରମରେ ବ୍ୟାଟିଂ କରିବାର କ୍ଷମତା ପାତିଦାରଙ୍କ ନିକଟରେ ରହିଛି । ରୋହିତଙ୍କ ଅନୁପସ୍ଥିତିରେ  ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଅଭିଜ୍ଞ  ରାହୁଲଙ୍କୁ ଓପନର ଭାବେ ଖେଳାଇବା ଏକ  ପ୍ରକାର ନିଶ୍ଚିତ । ତେଣୁ ବ୍ୟାଟିଂ କ୍ରମର ୫  କିମ୍ବା ୬ନଂ ସ୍ଥାନରେ ଜଣେ ଦକ୍ଷ ବ୍ୟାଟରଙ୍କୁ  ଖେଳାଇବାକୁ ଯୋଜନା କରାଯାଉଛି ।  ପାତିଦାର ଏହି ସ୍ଥାନ ପାଇଁ ଉପଯୁକ୍ତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.