ୱାଶିଂଟନ ୨୦/୦୨: ଆମେରିକାର  ୬ ରାଜ୍ୟ ଯଥା କେଣ୍ଟୁକି, ଭର୍ଜିନିଆ, ପଶ୍ଚିମ  ଭର୍ଜିନିଆ, ଟେନେସି ଓ ଇଣ୍ଡିଆନାରେ ଭୟଙ୍କର ବନ୍ୟା ଆସିଛି । ଏହାଯୋଗୁ ୧୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି ।  କେଣ୍ଟୁକି ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।  ଏଠାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ପଶ୍ଚିମ ଭର୍ଜିନିଆ ଓ ଜର୍ଜିଆରେ ଜଣେ ଲେଖାଏଁ  ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଆମେରିକାର  ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରାୟ ୯ କୋଟି ଲୋକ ଭୀଷଣ ଥଣ୍ଡା ପାଣିପାଗରେ ଘାଣ୍ଟି ହେଉଛନ୍ତି ।  ଏଠାରେ ତାପମାତ୍ରା ରେକର୍ଡ ସ୍ତରକୁ ଖସିଆସିଛି ।  

ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ବନ୍ଦ କରି  ଦିଆଯାଇଛି । ୧୪ ହଜାରରୁ ଅଧିକ ଘରକୁ  ବିଜୁଳି ଯୋଗାଣ ଠପ୍‌ ହୋଇପଡ଼ିଛି । ୧୭  ହଜାର ଘରକୁ ଜଳଯୋଗାଣ ବାଧାପ୍ରାପ୍ତ  ହୋଇଛି । ଜାତୀୟ ପାଣିପାଗ ସେବା ବିଭାଗର  ବୈଜ୍ଞାନିକ ଆଣ୍ଡ୍ରିଉ ଓରିସନ୍‌ କହିଛନ୍ତି, ମଧ୍ୟ  ଆମେରିକାରେ ବର୍ତ୍ତମାନ ତାପମାତ୍ରା ସର୍ବନିମ୍ନ  ତଳକୁ ଖସିଯାଇଛି । ମଧ୍ୟ-ପଶ୍ଚିମର କେତେକ  ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୫୦ରୁ ୬୦ ଡିଗ୍ରୀକୁ  ହ୍ରାସ ପାଇଛି । ଫଳରେ ସାଧାରଣ ଜୀବନଯାତ୍ରା ଅତି ମାତ୍ରାରେ ପ୍ରଭାବିତ ହୋଇଛି । ବାହାରକୁ   ବାହାରିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ଥଣ୍ଡା   ମଧ୍ୟରେ ବନ୍ୟା ସ୍ଥିତି ଲୋକଙ୍କ ଜୀବନ ଦୁର୍ବିଷହ   କରି ପକାଇଛି । ସୂଚନାଥାଉ କି ଗତ କିଛିଦିନ   ହେଲା କେଣ୍ଟୁକିର କେତେକ ଅଞ୍ଚଳରେ ୬   ଇଞ୍ଚ୍‌ (୧୫ ସେମି) ବର୍ଷା ହୋଇଥିଲା । ଏହି   କାରଣରୁ ବନ୍ୟା ସ୍ଥିତି ଉପୁଜିଥିଲା ।