ନୂଆଦିଲ୍ଲୀ,୯।୨: ଏପଷ୍ଟିନ୍ ଫାଇଲ୍ସ ପ୍ରକାଶ ପାଇବା ପରେ, ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଫାଇଲ୍ସର ବର୍ତ୍ତମାନର ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପଦବୀ ମଧ୍ୟ ଯାଇପାରେ। ଯଦିଓ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କେବେ ଜେଫ୍ରି ଏପଷ୍ଟିନଙ୍କୁ ଭେଟି ନାହାଁନ୍ତି, ତଥାପି ଅନେକ ବିଶ୍ୱ ନେତା ଏବଂ ବ୍ୟକ୍ତିତ୍ୱଙ୍କ ସହ ତାଙ୍କର ସମ୍ପର୍କ ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଛି, ଯାହା ତାଙ୍କ ପଦବୀକୁ ବିପଦରେ ପକାଇଛି। ବ୍ରିଟିଶ ରାଜପରିବାରର ସଦସ୍ୟ ପୂର୍ବତନ ପ୍ରିନ୍ସ ଆଣ୍ଡ୍ରୁ ମାଉଣ୍ଟବ୍ୟାଟେନ୍-ୱିଣ୍ଡସର, ଏପଷ୍ଟିନ ସହ ତାଙ୍କର ବନ୍ଧୁତା ପାଇଁ ପୂର୍ବରୁ ଯାଞ୍ଚର ପରିସରକୁ ଆସିସାରିଛନ୍ତି।

ଏପଷ୍ଟିନଙ୍କ ସହ ସମ୍ପର୍କ ଯୋଗୁଁ ଷ୍ଟାରମର ତାଙ୍କୁ ବରଖାସ୍ତ କରିବା ପରେ ୱାଶିଂଟନରେ ବ୍ରିଟିଶ ରାଷ୍ଟ୍ରଦୂତ ପିଟର ମାଣ୍ଡେଲସନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ମାଣ୍ଡେଲସନଙ୍କ ବିରୋଧରେ ଏବେ ଆପରାଧିକ ତଦନ୍ତ ଚାଲିଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର ମାଣ୍ଡେଲସନଙ୍କ ନିଯୁକ୍ତିକୁ ନେଇ ବିବାଦର ସମ୍ମୁଖୀନ ହୋଇଛନ୍ତି। ରବିବାର ଷ୍ଟାର୍ମରଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମୋର୍ଗାନ୍ ମ୍ୟାକସ୍ୱିନି ଇସ୍ତଫା ଦେଇଛନ୍ତି। ତଥାପି ଷ୍ଟାର୍ମରଙ୍କ ଉପରୁ ବିପଦ ହଟିନାହିଁ। ତାଙ୍କ ଉପରେ ଇସ୍ତଫା ଦେବା ନେଇ ପ୍ରବଳ ଚାପ ରହିଛି।

ଏହି ବିବାଦ ସମୟରେ ଷ୍ଟାର୍ମରଙ୍କ ଉତ୍ତରାଧିକାରୀ ଭାବେ ଶବାନା ମାହମୁଦଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶବାନା ବର୍ତ୍ତମାନ ବ୍ରିଟେନର ଗୃହମନ୍ତ୍ରୀ ଅଛନ୍ତି। ପ୍ରଥମ ମୁସଲିମ୍ ମହିଳା ଭାବେ ଶବାନା ବ୍ରିଟେନର ଗୃହମନ୍ତ୍ରୀ ହୋଇପାରିଛନ୍ତି। ୨୦୨୪ରେ ବର୍ମିଂହାମରେ ଜଣେ ଗାଜା ସମର୍ଥକଙ୍କୁ ପରାସ୍ତ କରି ସେ ବ୍ରିଟିଶ ସଂସଦକୁ ଆସିଥିଲେ। ବର୍ମିହାମରେ ୧୯୮୦ରେ ପାକିସ୍ତାନ ବାପାମା’ଙ୍କଠାରୁ ଜନ୍ମିତ ଶବାନାଙ୍କ ପିଲାଦିନ ସାଉଦି ଆରବରେ କଟିଥିଲା । କିନ୍ତୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଆଇନ ପଢ଼ିବାକୁ ସେ ବ୍ରିଟେନ ଫେରିଥିଲେ। ଷ୍ଟାର୍ମର ଇସ୍ତଫା ଦେଲେ ୪୫ ବର୍ଷୀୟ ଶବାନା ବ୍ରିଟେନର ପ୍ରଥମ ମୁସଲମାନ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ୨୦୨୫ରେ ସେ ବ୍ରିଟେନ୍ର ଗୃହମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ସେତେବେଳେ ତାଙ୍କ ଆଗରେ ସବୁଠାରୁ ବଡ଼ ଟାସ୍କ ଥିଲା ବ୍ରିଟେନ୍ର ସୀମା ସୁରକ୍ଷା କରିବା।