ମୁମ୍ବାଇ ୧୯/୧୨: ‘ଲାପତା ଲେଡିଜ୍’ ନୁହେଁ, ଅସ୍କାର ନୋମିନେସନ୍ ପାଇଁ ଶର୍ଟଲିଷ୍ଟ୍ ହୋଇଛି ‘ସନ୍ତୋଷ’ । ଦ ଏକାଡେମୀ ଅଫ୍ ମୋସନ ପିକ୍ଚର ଆର୍ଟସ ଆଣ୍ଡ୍ ସାଇନ୍ସେସ୍ (ଏଏମ୍ପିଏଏସ୍) ଗତ ବୁଧବାର ଅସ୍କାର-୨୦୨୫ ରେସ୍ ପାଇଁ ଯୋଗ୍ୟ ପ୍ରୋଜେକ୍ଟଗୁଡ଼ିକର ନାଁ ଘୋଷଣା କରିଛି । ଏହି ତାଲିକାରେ ସ୍ଥାନ ପାଇଛି ‘ସନ୍ତୋଷ’ । ଅନ୍ତର୍ଜାତୀୟ ସହ-ପ୍ରଯୋଜନାରେ ନିର୍ମିତ ଏହି ହିନ୍ଦୀ ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିଭାଗରେ ଶର୍ଟଲିଷ୍ଟ୍ କରାଯାଇଛି । ଏହି ବିଭାଗରେ ଅସ୍କାର ନୋମିନେସନ୍ ପାଇଁ ମୋଟ୍ ୧୫ ଫିଲ୍ମକୁ ଚୟନ କରାଯାଇଛି । ସମଗ୍ର ବିଶ୍ୱରୁ ମୋଟ୍ ୮୫ ଫିଲ୍ମ ଏହି ବିଭାଗ ପାଇଁ ଆବେଦନ କରିଥିଲେ ।
‘ସନ୍ତୋଷ’ଗ୍ରାମୀଣ ଉତ୍ତର ଭାରତର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ବ୍ରିଟେନ ଏହାକୁ ଔପଚାରିକ ଆବେଦନ ରୂପେ ଅସ୍କାର ପଠାଇଥିଲା। ଗତ ମେ’ରେ ଅନୁଷ୍ଠିତ ୭୭ତମ କାନ୍ ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମଟି ପ୍ରଦର୍ଶିତ ହୋଇଥିଲା, ଯାହାକୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ। ଫିଲ୍ମର ମୁଖ୍ୟ କଳାକାର ଶାହାନା ଗୋସ୍ୱାମୀ ଇନ୍ଷ୍ଟାଗ୍ରାମ୍ରେ ନିଜର ଖୁସି ପ୍ରକାଶ କରିଛନ୍ତି । ଫିଲ୍ମ ଟିମ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ଖାସ୍କରି ଏହାର ଲେଖିକା-ନିର୍ଦ୍ଦେଶିକା ସନ୍ଧ୍ୟା ସୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୮୫ ଫିଲ୍ମରୁ ‘ସନ୍ତୋଷ’ ୧୫ ଫିଲ୍ମ ମଧ୍ୟରେ ସ୍ଥାନ ପାଇବା ଅନନ୍ୟ ସଫଳତା ବୋଲି ସେ କହିଛନ୍ତି । ଏଥିସହ ଫିଲ୍ମକୁ ଭଲପାଇଥିବା ଓ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।
‘ସନ୍ତୋଷ’ରେ ସନ୍ଧ୍ୟା ଜଣେ କମ୍ ବୟସ୍କ ବିଧବା ଭୂମିକାରେ ଅଭିନୟ କରିଛନ୍ତି । ସରକାରୀ ଯୋଜନା ଅନୁସାରେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ପୁଲିସ କନ୍ଷ୍ଟେବଳ ଚାକିରି ମିଳିଛି । ଫିଲ୍ମର କାହାଣୀରେ ସେ ଏକ ଦୁର୍ନୀତିଗ୍ରସ୍ତ ସଂସ୍ଥା ମଧ୍ୟରେ ଫସିଛନ୍ତି । ଦଳିତ ସମୁଦାୟର ଜଣେ କିଶୋରୀର ନିର୍ମମ ହତ୍ୟା ମାମଲାରେ କଠୋର-ଅନୁଭବୀ ଡିଟେକ୍ଟିଭ୍ ଇନ୍ସପେକ୍ଟର ଶର୍ମା (ସୁନିତା ରାଜୱାର)ଙ୍କ ସହ ସେ କାମ କରିଛନ୍ତି । ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ରକ୍ ଅନ୍!!’(୨୦୦୮) ଫିଲ୍ମରେ ସହ-ଅଭିନେତ୍ରୀ ଭୂମିକା ପାଇଁ ପରିଚିତି ପାଇଥିଲେ ଶାହାନା । ୨୦୦୯ରେ ମୁକ୍ତିପ୍ରାପ୍ତ ‘ଫିରାକ୍’ ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତ୍ରୀ ବିଭାଗରେ ନୋମିନେଟ୍ ହୋଇଥିଲେ । ଏହା ପରେ ୨୦୧୨ରେ ‘ହିରୋଇନ୍’ ଓ ‘ମିଡ୍ନାଇନ୍ସ ଚିଲଡ୍ରେନ୍’ ଫିଲ୍ମରେ ଅଭିନୟ କଲେ । ‘ଏ ସ୍ୱିଟେବଲ୍ ବୟ’ (୨୦୨୦) ସିରିଜ୍ରେ ତାଙ୍କ ଭୂମିକା ପ୍ରଶଂସିତ ହୋଇଥିଲା । ‘ଜ୍ୱିଗାଟୋ’ (୨୦୨୩) ଫିଲ୍ମରେ ଶାହାନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅସ୍କାର ନୋମିନେସନ୍ ପାଇଁ ଶର୍ଟଲିଷ୍ଟ ହୋଇଥିବା ଏହି ଫିଲ୍ମକୁ ନୋମିନେଟ୍ କରାଯିବାର କୌଣସି ଗ୍ୟାରେଣ୍ଟି ନାହିଁ । ତଥାପି ଏପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟ ବଡ଼ ସଫଳତା । ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖ(ବୁଧବାର)ଠୁ ସମସ୍ତ ୨୩ ବିଭାଗରେ ଭୋଟିଂ ମାଧ୍ୟମରେ ନୋମିନିଙ୍କ ନାଁ ଚୂଡ଼ାନ୍ତ ହେବ । ସେମାନେ ଅସ୍କାର୍ ପୁରସ୍କାର ପାଇଁ ପ୍ରତିଯୋଗିତା କରିବେ । ଜାନୁଆରୀ ୧୨ ତାରିଖ(ରବିବାର)ରେ ଭୋଟ୍ ଶେଷ ହେବ । ୧୭ ତାରିଖ (ଶୁକ୍ରବାର) ନୋମିନେସନ୍ ଘୋଷଣା ହେବ ।