ନୂଆଦିଲ୍ଲୀ,୧୬।୨: ଆଇସିସି ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାକିସ୍ତାନ। ମ୍ୟାଚ୍ ପୂର୍ବରୁ ଏହି ମହାମୁକାବିଲା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା। ଲାଗୁଥିଲା ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ କଡ଼ା ମୁକାବିଲା ଦେବ। କିନ୍ତୁ ସେପରି କିଛି ଘଟିଲା ନାହିଁ। ପାକିସ୍ତାନ ପୁଣି ଥରେ ଭାରତ ନିକଟରେ ପରାସ୍ତ ହେଲା। ପାକିସ୍ତାନ ୬୧ ରନ୍ ରେ ମ୍ୟାଚ୍ ହାରିଗଲା। ଏହି ପରାଜୟ ପାକିସ୍ତାନୀ ପ୍ରଶଂସକ ଏବଂ ସେମାନଙ୍କର ପୂର୍ବତନ ଖେଳାଳିମାନଙ୍କୁ ଗଭୀର ଆଘାତ ଦେଇଚି। ସୋଏବ ଅଖତର ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭିଙ୍କ ଉପରେ ବର୍ଷିଥିବା ବେଳେ, ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦି ମଧ୍ୟ ତାଙ୍କ ଜ୍ୱାଇଁ ଶାହିନ୍ ଆଫ୍ରିଦିଙ୍କୁ କଡା ସମାଲୋଚନା କରିଛନ୍ତି।
ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଏକ ପାକିସ୍ତାନୀ ଶୋ’ରେ କହିଥିଲେ, ସିନିୟର ଖେଳାଳି ଶାହିନ୍ ଆଫ୍ରିଦି, ବାବର ଆଜମ ଏବଂ ଶାଦାବ ଖାନଙ୍କୁ ଦଳରୁ ବାହାର କରାଯିବା ଉଚିତ। ସେମାନଙ୍କ ସ୍ଥାନରେ ଜୁନିଅର ଏବଂ ଏବଂ ନୂତନ ଖେଳାଳିମାନଙ୍କୁ ସୁଯୋଗ ଦିଆଯିବା ଉଚିତ। ସେ ଏହା ମଧ୍ୟ କହିଥିଲେ ଯେ ସେ ନାମ୍ବିଆ ବିପକ୍ଷ ମ୍ୟାଚ୍ ଠାରୁ ଏହା ଆରମ୍ଭ କରିବା ଚାହାଁନ୍ତି।
ଶାହିଦ ଆଫ୍ରିଦି ଏହି ତିନି ଖେଳାଳିଙ୍କୁ ବାହାର କରିବା ବିଷୟରେ କଥା ହୋଇ କହିଛନ୍ତି, "ଆମେ ସମସ୍ତେ ବହୁତ ଦିନ ଧରି ଏହି ଖେଳାଳିଙ୍କୁ ଖେଳୁଥିବା ଦେଖିଆସୁଛୁ। ଆମେ ଆଶା କରୁଛୁ ଯେ ସେମାନେ ଏହି ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ। ଏତେ ସିନିଅର ଖେଳାଳି ଅଛନ୍ତି। ଯଦି ସେମାନେ ଖେଳାଳି ଖେଳୁନାହାଁନ୍ତି, ତେବେ ଜୁନିଅର ଯେଉଁମାନଙ୍କୁ ବାହାରେ ବସିଯାଇଛି ତାଙ୍କୁ କାହିଁକି ଖେଳାଯାଉ ନାହିଁ? ଉଲ୍ଲେଖନୀୟ ଯେ,ଶାହିନ ଆଫ୍ରିଦି ହେଉଛନ୍ତି ଶାହିଦ ଆଫ୍ରିଦିଙ୍କ ଜ୍ବାଇଁ। ସାହିଦଙ୍କ ଝିଅ ଅଂଶା ଆଫ୍ରିଦିଙ୍କୁ ୨୦୨୩ରେ ବିବାହ କରିଥିଲେ ଶାହିନ।
୨୫ ବର୍ଷୀୟ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ପାଇଁ ୨୦୨୬ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ତିନୋଟି ମ୍ୟାଚ୍ରେ ମାତ୍ର ତିନୋଟି ୱିକେଟ୍ ନେଇଛନ୍ତି। ଭାରତ ବିପକ୍ଷରେ ଶାହିନ ଦୁଇ ଓଭରରେ ୩୧ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଆମେରିକା ବିପକ୍ଷରେ ସେ ଚାରି ଓଭରରେ ୪୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ, ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ସେ ତିନି ଓଭରରେ ୨୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।
ଆହୁରି ପଢନ୍ତୁ :ଭାରତଠୁ ପ୍ରଚଣ୍ଡ ପ୍ରହାର ପରେ ଯନ୍ତ୍ରଣାରେ ଛଟପଟ କ୍ୟାପ୍ଟେନ୍ ସଲମାନ, ଜାଣନ୍ତୁ କାହାକୁ କଲେ ଦାୟୀ ?