ବିଜେପି ପାଇଁ ଶତ୍ରୁ ହେବେ କି ଶତ୍ରୁଘ୍ନ ? କଂଗ୍ରେସ ଓ ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ବିଜେପି ସାଂସଦ ସିହ୍ନା

source;www.latestly.com
ପାଟଣା ୨୬/୩: କଂଗ୍ରେସରେ ମିଶିପାରନ୍ତି ଶତ୍ରୁଘ୍ନ ସିହ୍ନା । ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ସେ ହାତ ଧରିବା ନେଇ ଅନୁମାନ କରାଯାଉଛି । ପାଟଣା ସାହିବରୁ ବିଜେପି ଦ୍ୱାରା ଟିକେଟ ନମିଳିବା ପରେ ଅଭିନେତା ତଥା ରାଜନେତା ସିହ୍ନାଙ୍କୁ ନେଇ ଅଟକଳ ଲଗାଯାଉଛି ଯେ ସେ ୨୮ ମାର୍ଚ୍ଚରେ ବିହାରରେ ହେବାକୁ ଥିବା ମହାମେଣ୍ଟରେ ସାମିଲ ହୋଇପାରନ୍ତି ।
ଏହି ଅଟକଳକୁ ଅଧିକ ଦୃଢ କରିଛନ୍ତି ଶତ୍ରୁଘ୍ନ । ସେ ମଙ୍ଗଳବାର କଂଗ୍ରେସର ଅଧ୍ଯକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରି ଏହି ଅନୁମାନ ଉପରେ ମୋହର ଲଗାଇଦେଇଛନ୍ତି । ସେ ବିଜେପି ବିରୁଦ୍ଧରେ ବିହାରରେ ପ୍ରସ୍ତୁତ ମହାମେଣ୍ଟରେ ସାମିଲ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଶତ୍ରୁଘ୍ନ ସିହ୍ନା ରାହୁଲଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ(ରାହୁଲ) ମଉକା ଦେଖି ଚଉକା ମାରିଛନ୍ତି । ସେ ଏହା ମଧ୍ଯ କହିଛନ୍ତି ଯେ ରାହୁଲଙ୍କ ‘ନ୍ଯାୟ’ ଯୋଜନା ଏକ ମାଷ୍ଟରଷ୍ଟ୍ରୋକ୍ । ଏପରିକି ସେ ବିଜେପିକୁ ମଧ୍ଯ ଟାର୍ଗେଟ୍ କରିଛନ୍ତି । ବିଜେପି ଏହି ଯୋଜନାକୁ ଏକ ଛଳ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି । ଆପଣ କଲେ ରାସଲୀଳା, ଆମେ କଲେ କ୍ଯାରେକ୍ଟର ଢିଲ୍ଲା ବୋଲି କହିଛନ୍ତି ଶତ୍ରୁଘ୍ନ ।
ଏତିକିରେ କଂଗ୍ରେସର ଗୁଣଗାନ କରିବାରେ ଥକି ନାହାନ୍ତି ସିହ୍ନା । କଂଗ୍ରେସ ଶାସିତ ୩ ରାଜ୍ଯ ଯଥା ମଧ୍ଯ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଚାଷୀଙ୍କ ଋଣ ଛାଡ୍ କରାଯିବା କଥା ମଧ୍ଯ ସେ କହିଛନ୍ତି । ତେବେ ସିହ୍ନା ପାଟଣା ସାହିବରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।