ନୂଆଦିଲ୍ଲୀ, ୪/୯ : ଇଡି ଅଫିସରେ ହାଜର ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧୱନ। ବେଆଇନ ବେଟିଂ ଆପ୍ ମାମଲାରେ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଧୱନ ୱାନଏକ୍ସବେଟ୍(1xBet) ନାମକ ଅନଲାଇନ୍ ପ୍ଲାଟଫର୍ମରେ ବେଆଇନ ବେଟିଂ କାର୍ଯ୍ୟକଳାପରେ ଜଡିତ ଥିବା ଅଭିଯୋଗ ହୋଇଛି। ଏହି ବେଟିଂ ଆପ୍‌ର ପ୍ରଚାର ପ୍ରସାର ପାଇଁ ଧୱନଙ୍କର ଫଟୋ ବ୍ୟବହାର କରାଯାଇଥିଲା। ଧୱନ ଏହା ବଦଳରେ ଟଙ୍କା ନେଇଛନ୍ତି କି ନାହିଁ ସେ ବିଷୟରେ ଇଡି ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଧୱନ ଇଡି ଅଫିସ୍‌ରେ ପହଞ୍ଚିଥିବା ସୂଚନା ମିଳିଛି। 

ଏହା ପୂର୍ବରୁ ଇଡି ପୂର୍ବତନ କ୍ରିକେଟର ସୁରେଶ ରାଇନା, ହରଭଜନ ସିଂହ, ଯୁବରାଜ ସିଂହ, ସୋନୁ ସୁଦ ଏବଂ ଉର୍ବଶୀ ରୌତେଲାଙ୍କୁ ବି ପଚରାଉଚରା କରିସାରିଛି। ଏତଦ୍ ବ୍ୟତୀତ ଅନ୍ୟ କିଛି କମ୍ପାନୀ ଓ ଡିଜିଟାଲ୍ ପ୍ଲାଟଫର୍ମ ବିଷୟରେ ଯାଞ୍ଚ କରାଯାଇଛି। ଏହି ବେଟିଂ ଆପ୍ ଜରିଆରେ ବଡ଼ ଧରଣର ଠକେଇ ହେଉଛି। ସବୁଠୁ ବଡ଼ କଥା ହେଲା ବହୁ ବଡ଼ ବଡ଼ ଫିଲ୍ମ ହ୍ଟାର ଓ କ୍ରିକେଟର ଏହି ବେଟିଂ ଆପ୍‌ର ପ୍ରଚାର ପ୍ରସାର କରୁଥିଲେ। ତେଣୁ ଇଡି ଏହି ମାମଲାରେ ତନାଘନା କରୁଛି। 

ଶିଖର ଧୱନଙ୍କ ବିରୋଧରେ ଏଯାବତ୍ କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ। ହେଲେ ଧୱନଙ୍କୁ ଇଡି ସମନ ପଠାଇବା ପରେ ଜଣାପଡ଼ୁଛି ଯେ, ଇଡି ମାମଲାକୁ ଗୁରୁତର ସହ ନେଇଛି। ଆଗାମୀ ଦିନରେ ଏହି ମାମଲାରେ ଆହୁରି ବଡ଼ ବଡ଼ିଆଙ୍କ ନାମ ଆସିପାରେ ବୋଲି ଚର୍ଚ୍ଚା ହେଉଛି।