ନୂଆଦିଲ୍ଲୀ,୦୬/୦୧: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଛନ୍ତି । ୪୦ ବର୍ଷୀୟ ଧାୱନ ତାଙ୍କ ଦୀର୍ଘଦିନର ବାନ୍ଧବୀ ତଥା ପ୍ରେମିକା ଆୟର୍ଲାଣ୍ଡ ମଡେଲ ସୋଫି ସାଇନଙ୍କ ହାତ ଧରିବେ । ବିବାହ ଲାଗି କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ସରିଛି । ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ଶିଖର-ସୋଫିଙ୍କ ବିହାଘର ହେବ । ଦିଲ୍ଲୀ-ଏନସିଆରର ଏକ ହୋଟେଲରେ ବିବାହ ଅନୁଷ୍ଠିତ ହେବ । ବହୁ ଫିଲ୍ମ ଷ୍ଟାର ଓ ଭାରତୀୟ କ୍ରିକେଟର ଅତିଥି ଭାବେ ସାମିଲ ହେବା ନେଇ ସୂଚନା ମିଳିଛି । ଏହି ବିବାହକୁ ଧାୱନ ଓ ତାଙ୍କ ପତ୍ନୀ ହେବାକୁ ଯାଉଥିବା ସୋଫିଆ ଯଥା ସମ୍ଭବ ସିକ୍ରେଟ ରଖିଛନ୍ତି । ଦୀର୍ଘ ଦିନ ହେବ ଦୁହେଁ ପରସ୍ପରକୁ ଡେଟ୍ କରି ଆସୁଛନ୍ତି ।

ଚାମ୍ପିଆନ୍ସ ଟ୍ରଫିରେ ଏକାଠି ନଜର ଆସିଥିଲେ- ଗତବର୍ଷ ଦୁବାଇରେ ଅନୁଷ୍ଠିତ ଚାମ୍ପିଆନ୍ସ ଟ୍ରଫିରେ ପ୍ରଥମ ଥର ଏକାଠି ନଜର ଆସିଥିଲେ ଧାୱନ-ସୋଫି । ଏହାପରେ ସୋଫିଙ୍କ ସହ ଧାୱନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ମାସ ତଳେ ଉଭୟ ଏକାଠି ମଧ୍ୟ ରହୁଛନ୍ତି । ନକଟରେ ସେମାନେ ଖ୍ରୀଷ୍ଟମାସ ପାଳନ କରୁଥିବାର ଫଟୋ ସେୟାର କରିଥିଲେ । ଦୁହିଁଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆ ଓ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା- କିଛି ବର୍ଷ ପୂର୍ବେ ଶିଖର ଓ ସୋଫି ଦୁବାଇରେ ଦେଖା ହୋଇଥିଲେ । ପ୍ରଥମେ ସେମାନେ ବନ୍ଧୁ ହୋଇଥିଲେ । ଏହାପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ସୋଫିଙ୍କୁ ଆଇପିଏଲ ୨୦୨୪ରେ ଅନେକ ଥର ଦେଖିବାକୁ ମିଳିଥିଲା । ୨୦୨୧ରେ ଆୟେଶାଙ୍କଠୁ ଅଲଗା ହେବା ନେଇ ଘୋଷଣା କରିଥିଲେ ଶିଖର ଧାୱନ ।

କିଏ ସୋଫି ସାଇନ ? ରିପୋର୍ଟ ମୁତାବିକ, ସୋଫି ଜଣେ ଆଇରିଶ ଉତ୍ପାଦର ପରାମର୍ଶଦାତା । ସେ ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମାର୍କେଟିଂରେ ଏବଂ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଥିଲେ । ଏହା ପୂର୍ବରୁ ସେ ଆୟର୍ଲାଣ୍ଡର କାସଲରୋୟ କଲେଜରେ ଅଧ୍ୟୟନ କରିଛନ୍ତି । ବର୍ତ୍ତମାନ ସେ ଆବୁଧାବିରେ ନର୍ଦର୍ଣ୍ଣ ଟ୍ରଷ୍ଟ କର୍ପୋରେସନରେ ଦ୍ୱିତୀୟ ଉପଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

କହି ରଖୁଛି କି, ଶିଖର ଧାୱନ ପ୍ରଥମେ ଭାରତୀରେ ଜନ୍ମତି ଅଷ୍ଟ୍ରେଲୀୟ କିକ୍ ବକ୍ସର ଆୟୋଶା ମୁଖାର୍ଜୀଙ୍କୁ ୨୦୧୨ରେ ବିବାହ କରିଥିଲେ । ଧାୱନଙ୍କଠାରୁ ଆୟେଶା ବସୟରେ ୮ ବର୍ଷ ବଡ଼ । ତାଙ୍କର ପୂର୍ବରୁ ୨ଟି ସନ୍ତାନ ଥିଲେ । ୨୦୨୩ରେ ଧାୱନ-ଆୟେଶାଙ୍କର ଛାଡ଼ପତ୍ର ହୋଇଥିଲା ।