ନୂଆଦିଲ୍ଲୀ,୨୯/୧୧: ଭାରତ ଦୀର୍ଘ ଦଶନ୍ଧି ପରେ ନିଜର ସବୁଠୁ ବଡ଼ ଭୂକମ୍ପ ବିପଦ ମାନଚିତ୍ର (ସେସ୍ମିକ ଜୋନେସନ୍ ମ୍ୟାପ୍)କୁ ବଦଳାଇଛି । ନୂଆ ମାନଚିତ୍ର ସମଗ୍ର ହିମାଳୟ କ୍ଷେତ୍ରକୁ ପ୍ରଥମ ଥର ସର୍ବୋଚ୍ଚ ବିପଦପୂର୍ଣ୍ଣ ଜୋନ୍ ‘ଭିଆଇ’ରେ ଶ୍ରେଣୀଭୁକ୍ତ କରିଛି । ଏହା ଅନୁସାରେ, ଦେଶର ୬୧ ପ୍ରତିଶତ କ୍ଷେତ୍ର ମଧ୍ୟମରୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଜୋନ୍କୁ ଆସିଛି । ପୃଥିବୀର ସବୁଠୁ ତୀବ୍ର ଧକ୍କା ହେଉଥିବା ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ହିମାଳୟ ଦଣ୍ଡାୟମାନ ।

ଭାରତୀୟ ପ୍ଲେଟ୍ ପ୍ରତି ବର୍ଷ ୫ ସେମି ଉତ୍ତର ଦିଗକୁ ଠେଲି ହେଉଛି । ଏହା ଦ୍ୱାରା ଭୂମି ତଳେ ଖୁବ୍ ଚାପ ସୃଷ୍ଟି ହେଉଛି । ଏହି ଚାପ ହଠାତ୍ ବଢ଼ିବାରୁ ଭୂକମ୍ପ ଆସେ । ହିମାଳୟ ତଳେ ୩ ବଡ଼ ଫାଟମେନ୍ ଫ୍ରଣ୍ଟାଲ୍ ଥ୍ରଷ୍ଟ୍, ମେନ୍ ବାଉଣ୍ଡ୍ରି ଥ୍ରଷ୍ଟ୍ ଓ ମେନ୍ ସେଣ୍ଟ୍ରାଲ ଥ୍ରଷ୍ଟ୍ ରହିଛି । ଏଗୁଡ଼ିକ କେତେବେଳେ ବି ଫାଟିପାରେ । ଖାସ୍ କଥା ହେଉଛି ମଧ୍ୟ ହିମାଳୟରେ ବିଗତ ୨୦୦ ବର୍ଷରୁ କୌଣସି ବଡ଼ ଭୂକମ୍ପ ଆସିନାହିଁ- ଅର୍ଥାତ୍ ସେଠାରେ ଖୁବ୍ ଚାପ ସଂଗଠିତ ହୋଇ ରହିଛି । ନୂଆ ମାନଚିତ୍ର ଅନୁସାରେ, ସମଗ୍ର ହିମାଳୟ ଏବେ ଭିଆଇ ଜୋନ୍ରେ ଅଛି । ଦେହରାଦୁନ ଭଳି ସହର ଏବେ ଅଧିକ ବିପଦରେ ଅଛି । ପୂର୍ବ ଜୋନ୍ର ସୀମାରେ ନିର୍ମିତ ସହର ଏବେ ଉଚ୍ଚ ବିପଦପୂର୍ଣ୍ଣ ଜୋନ୍ ରୂପେ ପରିଗଣିତ ହେବେ । ନରମ ମାଟି କିମ୍ବା ସକ୍ରିୟ ଫାଟ ଉପରେ ନୂଆ ବସତି ନିର୍ମାଣ ଉପରେ ରୋକ ଲଗାଇବା ଏବଂ ପୁରୁଣା ଅଟ୍ଟାଳିକାଗୁଡ଼ିକୁ ମଜଭୁତ କରିବା ଏବେ ଅତ୍ୟନ୍ତ ଜରୁରି ହୋଇଛି । ଏବେ ଉତ୍ତରାଖଣ୍ଡ, ହିମାଳୟ, ଜମ୍ମୁ-କାଶ୍ମୀର, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ପୂର୍ବୋତ୍ତରରେ ସମସ୍ତ ପାହାଡ଼ିଆ ଅଞ୍ଚଳ ସବୁଠୁ ଅଧିକ ବିପଦପୂର୍ଣ୍ଣ ଜୋନ୍ରେ ଅଛନ୍ତି । ଦିଲ୍ଲୀଏନ୍ସିଆର୍, ଗୁଜରାଟ (କଚ୍ଛ), ବିହାର-ନେପାଳ ସୀମା ମଧ୍ୟ ଉଚ୍ଚ ବିପଦପୂର୍ଣ୍ଣ ଜୋନ୍ରେ ଅଛି । କେବଳ ଦକ୍ଷିଣ ଭାରତର କିଛି ଅଂଶ କମ୍ ବିପଦରେ ଅଛି । ବୈଜ୍ଞାନିକଙ୍କ ଅନୁସାରେ, ଏହି ମାନଚିତ୍ର ଆମକୁ ଚେତାବନୀ ଦେଉଛି ଯେ କୌଣସି ମୁହୂର୍ତ୍ତରେ ବଡ଼ ଭୂକମ୍ପ ଆସିପାରେ । ଏବେଠୁ କାର୍ଯ୍ୟାନୁଷ୍ଠାନ ନେଲେ ଧନ-ଜୀବନ ରକ୍ଷା ହୋଇପାରିବ ।