ନୂଆଦିଲ୍ଲୀ,୧୩/୧୨; ୫୦ ବର୍ଷ ପରେ ବଡ଼ ପରଦାରେ ‘ଶୋଲେ’ । ନୂଆ ଅନ୍ଦାଜ୍, ନୂଆ କ୍ଲାଇମାକ୍ସ । ଭାରତୀୟ ସିନେମା ଜଗତର ଏହି ସବୁଠୁ ଚର୍ଚ୍ଚିତ ଫିଲ୍ମରେ ଦର୍ଶକ ଯାହା ଦେଖିନଥିଲେ, ୫୦ ବର୍ଷ ପରର ‘ଶୋଲେ’ରେ ତାହା ଦେଖିବାକୁ ପାଇବେ । ଶତାବ୍ଦୀର ଏହି ମହା ମନୋରଞ୍ଜନଧର୍ମୀ ଫିଲ୍ମର ଟାଇଟଲ୍ ‘ଶୋଲେ- ଦ ଫାଇନାଲ କଟ୍’ । ୧୫୦୦ ସିନେ ପରଦାରେ ଫିଲ୍ମ ରିଲିଜ୍ ଯୋଜନା ହୋଇଛି । ୪କେ ଭର୍ସନ ସହିତ ପରଦାକୁ ଫେରିଛି ରମେଶ ସିପ୍ପିଙ୍କ ‘ଶୋଲେ: ଦ ଫାଇନାଲ କଟ୍’, ଯେଉଁଥିରେ ଦର୍ଶକ ପ୍ରଥମ ଥର ମୂଳ କ୍ଲାଇମାକ୍ସ ଦେଖିବାକୁ ପାଇବେ ।

ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଦ୍ୱାରା ଫିଲ୍ମର ସଂରକ୍ଷଣ କରାଯାଇଛି । ମୂଳ ଫିଲ୍ମର ସଂରକ୍ଷିତ ସଂସ୍କରଣ ସିନେମା ଇତିହାସରେ ସ୍ୱତନ୍ତ୍ର ସ୍ଥାନ ବହନ କରିଛି, କାରଣ ରିଲିଜ୍ ପୂର୍ବରୁ ଏହାର ମୂଳ କ୍ଲାଇମାକ୍ସ ସିନ୍‌କୁ ହଟାଇ ଦିଆଯାଇଥିଲା । ସେତେବେଳେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଫିଲ୍ମର ହିଂସାତ୍ମକ ସିନ୍କୁ ନେଇ ଆପତ୍ତି ଉଠାଇଥିଲା । ୧୯୭୫ ମସିହା ‘ଶୋଲେ’ରେ ଠାକୁର ବଲଦେବ ସିଂହ (ସଞ୍ଜୀବ କୁମାର) ନିଜର କଣ୍ଟାଯୁକ୍ତ ଜୋତାରେ ଡାକୁ ଗବ୍ୱର ସିଂହ (ଅମଜାଦ ଖାନ୍) କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ଏହି ଭୟଙ୍କର ଡାକୁକୁ ପୁଲିସ ଗିରଫ କରିଥିଲା ଏବଂ ଠାକୁରଙ୍କୁ ମନେପକାଇ ଦେଇଥିଲା ଯେ ଆଇନକୁ ହାତକୁ ନେବା ଭୁଲ । କିନ୍ତୁ ସଲିମଜାବେଦଙ୍କ ଦ୍ୱାରା ଲିଖିତ ମୂଳ କ୍ଲାଇମାକ୍ସରେ ଠାକୁର ବଲଦେବ ସିଂହ ପ୍ରତିଶୋଧ ନେବା ପାଇଁ ନିଜର କଣ୍ଟାଯୁକ୍ତ ଜୋତାରେ ଗବ୍ୱର ସିଂହକୁ ହତ୍ୟା କରିଥିଲେ ।

​​​​​​​ଶତାବ୍ଦୀର ଏହି ଚର୍ଚ୍ଚିତ ଫିଲ୍ମରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମାମାଲିନୀ, ଜୟା ବଚ୍ଚନ, ସଞ୍ଜୀବ କପୁର, ସଚିନ ପିଲଗାଓଁକର, ଗୋବର୍ଦ୍ଧନ ଆସ୍ରାନି, ଅମଜାଦ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ଦର୍ଶକୀୟ ଆଦୃତି ପାଇଥିଲା ଏବଂ ସେ ବର୍ଷ ସର୍ବାଧିକ ବ୍ୟବସାୟ କରିଥିଲା । ଗତ ଅଗଷ୍ଟରେ ‘ଶୋଲେ’ର ରିଲିଜ୍କୁ ୫୦ ବର୍ଷ ପୂରିଥିଲା । ୫୦ ବର୍ଷ ପରେ ବି ସିନେମା ଉଦ୍ୟୋଗ ଓ ସିନେପ୍ରେମୀ ‘ଶୋଲେ’କୁ ନେଇ ଚର୍ଚ୍ଚା କରିବେ ବୋଲି ନିର୍ଦ୍ଦେଶକ ରମେଶ ସିପ୍ପି କଦାପି କଳ୍ପନା କରିନଥିଲେ । ଦୀର୍ଘ ବର୍ଷ ପରେ ବି ଏହା ଦର୍ଶକଙ୍କୁ ଥିଏଟରକୁ ଆକୃଷ୍ଟ କରିବ ବୋଲି ତାଙ୍କର ଧାରଣା ନ ଥିଲା । ୫୦ ବର୍ଷ ପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ସେ ଖୁବ୍ ଉତ୍ସାହିତ ଅଛନ୍ତି ।

ରମେଶ କହିଛନ୍ତି, କିଛି ମାସ ତଳେ ସେ ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଯୋଗ ଦେଇଥିଲେ । ସେଠାରେ ‘ଶୋଲେ’ ପ୍ରଦର୍ଶିତ ହୋଇଥିଲା । ଥିଏଟରରେ ଗୋଟିଏ ବି ସିଟ୍ ଖାଲି ନ ଥିଲା । ୫୦ ବର୍ଷ ତଳେ ଦର୍ଶକ ଯେମିତି ଉତ୍ସାହ ଦେଖାଇଥିବେ, ସମାନ ଉତ୍ସାହ ସେଠାରେ ପ୍ରଦର୍ଶନ କରିଥିଲେ । ଏହା ତାଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ଥିଲା । ତେବେ ଫିଲ୍ମର ଶେଷ ସିନ୍ରେ ପରିବର୍ତ୍ତନକୁ ନେଇ ସିପ୍ପି ଆଦୌ ଖୁସି ନ ଥିଲେ । କିନ୍ତୁ ଭାରତରେ ଆପାତକାଳ ସମୟରେ ସେନ୍ସର ବୋର୍ଡ ଏହାକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିବାରୁ ସେ ବାଧ୍ୟହୋଇ ପରିବର୍ତ୍ତନ କରିଥିଲେ । ଦର୍ଶକ ଏବେ ମୂଳ କ୍ଲାଇମାକ୍ସ ଦେଖିବାକୁ ସୁଯୋଗ ପାଇଛନ୍ତି । ଲୋକେ ଫିଲ୍ମର ଦୁଇଟିଯାକ ସଂସ୍କରଣକୁ ସର୍ବଦା ଭଲପାଉଥିବେ ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ରଙ୍କର ସବୁଠୁ ପ୍ରିୟ ଥିଲା ଜୟର ମୃତ୍ୟୁ ସିନ୍‌- ଦିବଂଗତ ‘ଶୋଲେ’ ନାୟକ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ଫିଲ୍ମ ବିଷୟରେ ଏକ ମଜାଦାର କଥା ଶେୟାରକରିଥିଲେ । ଏଫ୍ଏଚ୍ଏଫ୍ ନିର୍ଦ୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁରଙ୍କ ସହ ବାର୍ତ୍ତାଳାପରେ ଧର୍ମେନ୍ଦ୍ରଫିଲ୍ମରେ ନିଜର ସବୁଠୁ ପ୍ରିୟ ସିନ୍ ବିଷୟରେ କହିଥିଲେ । ତାହା ଥିଲା ଅମିତାଭଙ୍କ ଚରିତ୍ରଜୟର ମୃତ୍ୟୁ, ଯାହା ଫିଲ୍ମର ଦିଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ଫିଲ୍ମରେ ଏହି ସିନ୍ର ପ୍ରସ୍ତୁତିବିଷୟରେ ଧର୍ମେନ୍ଦ୍ର କହିଥିଲେ ‘ମୋ ପାଇଁ କିଛି ବି କଷ୍ଟକର ନୁହେଁ । ଚରିତ୍ର ଭିତରେ ମୁଁ ନିଜକୁ ପୂରାପୂରି ହଜାଇ ଦିଏ । ପ୍ରକୃମତ ଧର୍ମେନ୍ଦ୍ରକୁ ପଛରେ ଛାଡ଼ିଦିଏ । ଏହା ଭଗବାନଙ୍କ ଆଶୀର୍ବାଦ ।’

ପ୍ରଥମ ଥର ବଡ଼ ପରଦାରେ ଦେଖିବେ ଅଭିଷେକ- ମହାନାୟକ ଅମିତାଭ ବଚ୍ଚନଙ୍କ ଏହି ପ୍ରସିଦ୍ଧ ଫିଲ୍ମକୁ ପ୍ରଥମ ଥର ଥିଏଟରରେ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି ପୁଅ ଅଭିଷେକ । ନିଜର ଉତ୍ସାହ ଶେୟାର କରି ସେ ଏକ୍ସରେ ଲେଖିଛନ୍ତି ‘ମହାନ କାହାଣୀକୁ ଦେଖିବାକୁ ମୁଁ ଖୁବ୍ ଉତ୍ସାହିତ! ପୂର୍ଣ୍ଣ ଗୌରବର ସହ ବଡ଼ ପରଦାରେ ‘ଶୋଲେ’ । ବଡ଼ ପରଦାରେ ମୁଁ କଦାପି ‘ଶୋଲେ’ ଦେଖିନାହିଁ । କେବଳ ଟିଭି ଓ ଭିଏଚ୍ଏସ୍/ଡିଭିଡିରେ ଦେଖିଛି । ଏହା ମୋର ଦୀର୍ଘ ଦିନର ସ୍ୱପ୍ନ ।’

​​​​​​​ଗବ୍ୱର ଭୂମିକା ଚାହୁଁଥିଲେ ଧର୍ମେନ୍ଦ୍ର: ସିପ୍ପି ‘ଶୋଲେ’ର ପ୍ରସ୍ତୁତି ସମୟର କଥା ମନେପକାଇ କହିଛନ୍ତି ‘ଏହା ଏକ ଅତି ସୁନ୍ଦର କାହାଣୀ ଥିଲା । ଫିଲ୍ମର ପ୍ରତ୍ୟେକ କଳାକାରଙ୍କୁ କାହାଣୀ ଶୁଣାଇବା ପରେ ସମସ୍ତେ ଖୁବ୍ ପ୍ରଶଂସା କରିଥିଲେ । ଧରମ୍ ଜୀ (ଧର୍ମେନ୍ଦ୍ର) କହିଥିଲେ ‘ସଞ୍ଜୀବ କୁମାରଙ୍କ କାହାଣୀ ଏବଂ ଗବର ଭୂମିକା ବହୁତ ଭଲହୋଇଛି । ମୁଁ ଗବ୍ୱର ସିଂହ ଭୂମିକା କାହିଁକି ପ୍ଲେ କରିପାରିବି ନାହିଁ ? ଅନେକ ଫିଲ୍ମରେ ମୁଁ ନାୟକ ଭୂମିକାରେ ଅଭିନୟ କରିଛି । ଏଥର ମୁଁ ଖଳନାୟକ ଭୂମିକାରେ ଅଭିନୟ କରିବା ଉଚିତ୍ ।’ ଏହାଶୁଣି ସିପ୍ପି ମଜାରେ କହିଲେ, ସଞ୍ଜୀବ କୁମାରଙ୍କ ଭୂମିକା ପ୍ଲେ କରିବା ପାଇଁ ଆପଣଙ୍କୁ ସ୍ୱାଗତ, କାହାଣୀ ଆପଣଙ୍କ ଉପରେ ପର୍ଯ୍ୟବେସିତ । କିନ୍ତୁ ଆପଣ ହେମାମାଲିନୀଙ୍କୁ ପାଇବେ ନାହିଁ । କାହାଣୀ ଶୁଣିଥିବା ପ୍ରତ୍ୟେକ କଳାକାର ସଞ୍ଜୀବ କପୁର କିମ୍ବା ଗବ୍ୱର ଭୂମିକା ପ୍ଲେ କରିବାକୁ ଚାହିଁଥିଲେ । କିନ୍ତୁ ଶେଷରେ ସମସ୍ତେ ନିଜ ନିଜ ଭୂମିକାକୁ ଗ୍ରହଣ କରିଥିଲେ ବୋଲି ସିପ୍ପି କହିଛନ୍ତି ।