ମଙ୍ଗଳବାର ସରିବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ୱର,୨୩/୦୫: ଦିନ ବିଶିଷ୍ଟ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ମଙ୍ଗଳବାର ସମାପନ ହେବ । ପବିତ୍ର ବିନ୍ଦୁସାଗର ସରୋବରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହିତ ବାସୁଦେବ, ଦୁର୍ଗା ଓ ମା’ପାର୍ବତୀ ବିଗତ ୨୦ ଦିନ ହେଲା ନୌକା ବିହାର କରୁଥିଲେ ।
ଆଜି ନିର୍ଦ୍ଧାରିତ ସମୟ ଅର୍ଥାତ ସନ୍ଧ୍ୟା ୫ଟା୩୦ରେ ଶ୍ରୀଜିଉଗଣ ବ୍ରହ୍ମାଘାଟ ପହଞ୍ଚି ସିଂହାସନକୁ ବିଜେ କରିବା ପରେ ନୌକା ବିହାର ଆରମ୍ଭ ହେବ । ଅଷ୍ଟଚଣ୍ଡିଙ୍କ ଉଦ୍ଦେଶ୍ୟରେ ୮ଟି କରି ସମୁଦାୟ ଦିନ ଓ ରାତି ପାଇଁ ନାଉରିଆ ୧୬ଟି ଭଉଁରୀ ଦେବେ । ତେଣୁ ଏହି ନୀତିକୁ ଭଉଁରୀ କୁହାଯାଏ ।
ସେହିପରି ମଙ୍ଗଳବାର ଶେଷ ସନ୍ଧ୍ୟାରେ ବ୍ରହ୍ମାଘାଟରୁ ଚାପଖେଳ ଆରମ୍ଭ ହେବା ପରେ ମଠଘାଟ ଯିବେ । ଏହା ପରେ ମୋହିନୀକ ଘାଟ, ବଡୁସାହି ଘାଟ, ମଧୁବାବୁ ଘାଟ, ଜଗତି ଓ ଶେଷରେ ବିଶ୍ରାମ ଘାଟ ପହଞ୍ଚିବେ । ସମସ୍ତ ଘାଟରେ ସେବାୟତ ମାନେ ଆମ୍ବ, ପଣସ, ମାଣ୍ଡୁଅ, କାକରା, ଚୁଡାଘଷା ଆଦି ସୁସ୍ୱାଦୁ ବ୍ୟଞ୍ଜନରେ ଦିଅଁଙ୍କୁ ଆପ୍ୟାୟିତ କରିବେ । ସର୍ବ ଶେଷରେ ବିଶ୍ରାମ ଘାଟ ପହଞ୍ଚିବା ପରେ ହଳଦୀ ପାଣି ସିଞ୍ଚନ କରାଯାଇ ମନ୍ଦିରକୁ ଫେରିବେ । ଏହି ନୀତିସହ ଶ୍ରୀଲିଙ୍ଗରାଜଙ୍କ ଚଳିତ ବର୍ଷର ଚନ୍ଦନ ଯାତ୍ରା ସମାପନ ହେବ ।