ପୁରୀ,୧୧/୧୨: ‘ବେଳାରେ ଗଣ୍ଡେ ଖାଉନାହାନ୍ତି ମହାପ୍ରଭୁ । ଆମ ସମୟରେ ଠାକୁରଙ୍କ ଭୋଗ ଠିକ୍ ବେଳାରେ ସରୁଥିଲା । ସକାଳ ୭ଟାରେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ, ୯ଟାରେ ସକାଳ ଧୂପ ବଢ଼ି ୧୦ଟା ବେଳକୁ ଭଅଣ୍ଡ ଶେଷ । କେମିତି ଠାକୁରେ ଗଣ୍ଡେ ବେଳାରେ ଖାଇଦେବେ ..., ଦାଉଁ ଦାଉଁ କରି ଠାକୁରଙ୍କ ତିନିଟା ଭୋଗ ସାରିବାକୁ ଅଛି । ଭୋଗ ସରିଗଲେ କିପରି ଠାକୁରେ ଟିକେ ଶୋଇପଡ଼ିବେ... । ଶୀଘ୍ର ଖାଇ ସଅଳ ଶୋଇବେ ଠାକୁରେ... ଏହି ଗୋଟିଏ ଚିନ୍ତା ଆମର ରହିଥାଏ । ଦିନ ୩ଟା ସୁଦ୍ଧା ମଧ୍ୟାହ୍ନ ଧୂପ ସରି ମହାପ୍ରଭୁ ନିଦ୍ରା ଯିବେ । ପୁଣି ସନ୍ଧ୍ୟାରେ ଦ୍ୱାର ଖୋଲି ମହାପ୍ରଭୁଙ୍କ ନୀତି ଆଗେଇବ । ଏବେ କିନ୍ତୁ ଆଗଭଳି ଠାକୁରଙ୍କ ନୀତି ନାହିଁ କି ବିଚାର! ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ହେଲେ ସବୁ ସମସ୍ୟା ହେବ’ । ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ପ୍ରମୁଖ ସେବା ପ୍ରଦାନ କରୁଥିବା ଅମିନ ମହାସୁଆର ତଥା ୮୩ ବର୍ଷୀୟ ବରିଷ୍ଠ ସେବାୟତ ବାବାଜୀ ମହାସୁଆରଙ୍କ ଏଭଳି ପ୍ରତିକ୍ରୀୟା ବଡ଼ଦେଉଳ ନୀତି ପରିଚାଳନା ଉପରେ ପ୍ରଶ୍ନବାଚୀ ଲଗାଇଛି ।
ଶ୍ରୀମନ୍ଦିରରେ ଠାକୁରଙ୍କ ରୀତିନୀତି ହିଁ ସର୍ବାଗ୍ରେ । ହେଲେ ବଡ଼ଦେଉଳ ନୀତି ପ୍ରତି କାହାରି ଧ୍ୟାନ ନାହିଁ । ସକାଳଧୂପ ସରିଲା ବେଳକୁ ପ୍ରାୟ ଦିନ ମଧ୍ୟାହ୍ନ । ଦିନରେ ଠାକୁରେ ପ୍ରାୟତଃ ବିଶ୍ରାମ ନେଉନାହାନ୍ତି । ରାତିରେ ଯେତେବେଳେ ପହୁଡ଼ ହେଲେ ମଧ୍ୟ ପରଦିନ ମଙ୍ଗଳ ଆଳତି ହେଲା ବେଳକୁ ସକାଳ ୭ଟା ପାଖଉଛି । ମଙ୍ଗଳବାର ରାତ୍ର ସାଢ଼େ ୧୨ଟାରେ ପହୁଡ଼ ହୋଇଥିଲେ ସୁଦ୍ଧା ବୁଧବାର ସକାଳ ୬ଟା ୪୫ରେ ସରିଲା ମହାପ୍ରଭୁଙ୍କ ମଙ୍ଗଳଆଳତି । ସକାଳ ଧୂପ ସରିଲା ବେଳକୁ ଦିନ ୧୨ଟା । ସୂର୍ଯ୍ୟ ମୁଣ୍ଡ ଉପରେ । ଛପନପଉଟି ଭୋଗ ପ୍ରିୟ କାଳିଆ ସାଆନ୍ତେଙ୍କୁ ସକାଳର ରାଜଭୋଗ ଲାଗିଲା ବେଳକୁ ସୂର୍ଯ୍ୟଦେବ ପଶ୍ଚିମ ମୁହାଁ । ଯାହାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଉଛି ଅଭିଜ୍ଞ ତଥା ବରିଷ୍ଠ ସେବକ ମହଲରେ । ଆଗେ ନୀତିରେ ଏଭଳି ସ୍ଥିତି ଉପୁଜିଲେ କୁହାଯାଉଥିଲା କର୍ମଚାରୀଙ୍କ ଅଭାବ । ବର୍ତ୍ତମାନ ୭୫ ଜଣ ନୂତନ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ତଥାପି ମଧ୍ୟ କାହିଁକି ଠାକୁରଙ୍କ ନୀତିରେ ସୁଧାର ଆସୁ ନଥିବା ଚାପା ଅସନ୍ତୋଷ ପ୍ରକାଶ ପାଉଛି ।
ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ, ଦ୍ୱାର ଫିଟା ଓ ମଙ୍ଗଳ ଆଳତି ପ୍ରାତଃ ୫ଟା କିମ୍ବା ଏହା ପୂର୍ବରୁ ନିୟମ । ଶାରଦୀୟ ପୂଜା, କାର୍ତ୍ତିକ ମାସ ଓ ପହିଲି ଭୋଗ ସମୟରେ ଭିନ୍ନ କଥା । ମଇଲମର ନିର୍ଦ୍ଧାରିତ ସମୟ ପ୍ରାତଃ ୬ଟା । ଅବକାଶ ସମୟ ୬ଟା ୩୦ ମଧ୍ୟରେ । ମଇଲମ ୬ଟା ୪୫ରେ । ସାହାଣମେଲା ଦର୍ଶନ ସକାଳ ୭ଟା । ୮ଟାରୁ ୮ଟା୩୦ ମଧ୍ୟରେ ବେଶଲାଗି । ରୋଷ ହୋମ ଓ ସୂର୍ଯ୍ୟପୂଜା ୮ଟା ୪୫ ମଧ୍ୟରେ । ଗୋପାଳବଲ୍ଲଭର ନିର୍ଦ୍ଧାରିତ ସମୟ ସକାଳ ୯ଟା । ସକାଳ ଧୂପର ସମୟ ସକାଳ ୧୦ଟା । ମଇଲମ ହୋଇ ଭୋଗମଣ୍ଡପ ହେବ ୧୧ଟାରେ । ମଧ୍ୟାହ୍ନ ଧୂପ ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ହେବାର ନିୟମ । ଅପରାହ୍ଣ ପ୍ରାୟ ୨ଟାରେ ଠାକୁରଙ୍କ ମଧ୍ୟାହ୍ନ ପହୁଡ଼ ହୋଇ ସନ୍ଧ୍ୟା ୬ଟା ମଧ୍ୟରେ ପହୁଡ଼ ଫିଟିଲେ ସନ୍ଧ୍ୟା ଆଳତି । ରାତି ୭ଟାରୁ ୮ଟା ମଧ୍ୟରେ ସନ୍ଧ୍ୟା ଧୂପ ବଢ଼ିବ । ରାତି ୧୦ଟା ମଧ୍ୟରେ ମଇଲମ ହୋଇ ଚନ୍ଦନଲାଗି ଅନୁଷ୍ଠିତ ହେବ । ସାଢ଼େ ୧୦ଟାରେ ବଡ଼ସିଂହାର ବେଶ । ପରେ ବଡ଼ସିଂହାର ଧୂପ ବଢ଼ି ଖଟଶେଜଲାଗି, ବୀଣା ଓ ଗାନ, ପୁଷ୍ପାଞ୍ଜଳି, ପୁଷ୍ପଲାଗି, ପହୁଡ଼, ମୁଦ ଓ ଶୋଧ ରାତ୍ର ୧୧ଟା ୪୫ରୁ ୧୨ଟା ମଧ୍ୟରେ ହେବ । ସତ୍ତ୍ୱଲିପିର ଏଭଳି ନିର୍ଦ୍ଦେଶ ଠାରୁ ଢେର ଦୂରରେ ଅସଲ ନୀତି ।
ପୁଣି ଏକ ଅଭିଯୋଗ ଆସୁଛି କି କେତେକ କର୍ମଚାରୀଙ୍କ ଠାକୁରଙ୍କ ନୀତି ନେଇ ଅଭିଜ୍ଞତା ନଥିବାରୁ ନୀତି ପାଳନରେ ଖିଲାପ ହେଉଛି ଯାହାକି ପରେ ତୁଲାଇ ଦିଆଯାଉଛି । ସ୍ନାନ ପୂର୍ଣ୍ଣିମାଠାରୁ ରଥ ଯାତ୍ରା ଠାକୁରେ ବାହାରକୁ ଯାତ୍ରା କରିବା ସମୟରେ ସରକାର ଜାଗ୍ରତ ରହି ଯାହି ଯେମିତି ଦାୟିତ୍ୱ ତୁଲାଇ ବାକି ସମୟରେ ଠାକୁରଙ୍କ ନୀତି ପ୍ରତି ବେପରୁଆ ଭାବ ପ୍ରକାଶ ପାଉଛି । ଅଧିକାରୀମାନେ କାର୍ଯ୍ୟାଳୟରେ ବସି ବୈଠକ କରି ଗଣମାଧ୍ୟମରେ ବିବୃତି ଦେଉଥିବା ସ୍ଥଳେ ଅସଲରେ ବଡ଼ଦେଉଳରେ ଠାକୁରଙ୍କ ଅନନ୍ୟ ନୀତି ପ୍ରତି କାହାରି ଧ୍ୟାନ ରହୁନି । ଆଗେ ସାହାଣମେଲା ଦର୍ଶନ ସାଙ୍ଗକୁ ୫ଥର ଭଳି ଟିକେଟ ଦର୍ଶନ ବ୍ୟବସ୍ଥା ଥିଲା । ଭକ୍ତମାନେ ଗର୍ଭଗୃହକୁ ଯାଇ ଅତିନିକଟରୁ ଶ୍ରୀବିଗ୍ରହଙ୍କ ଦର୍ଶନ କରୁଥିଲେ । ଏବେ ସେସବୁ ବନ୍ଦ ରହିଥିଲେ ସୁଦ୍ଧା କାହିଁକି ମହାପ୍ରଭୁଙ୍କ ନୀତି ଅସଲ ସମୟରେ ନହେବ ବୋଲି ସ୍ୱତଃ ପ୍ରଶ୍ନ ଉଠୁଛି । ଅବଶ୍ୟ ପୂର୍ବ ତୁଳନାରେ ଏବେ ଶ୍ରୀଜଗନ୍ନାଥଙ୍କ ଦର୍ଶନାର୍ଥୀଙ୍କ ସଂଖ୍ୟା ମାତ୍ରାଧିକ ହୋଇଛି । ହେଲେ ଭକ୍ତଙ୍କ ଠାକୁର ଦର୍ଶନ ନାମରେ ଠାକୁରଙ୍କ ନୀତିକୁ ବଳି ପକାଯିବା କେତେ ଦୂର ଠିକ୍ ବୋଲି ମହାପ୍ରଭୁଙ୍କ ପ୍ରିୟ ସେବକ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କ ପ୍ରତିକ୍ରିୟା ମିଳିନାହିଁ ।