ନୂଆଦିଲ୍ଲୀ ୨୫/୦୬: ବିଗତ ପ୍ରାୟ ୩୦ ବର୍ଷ ଧରି ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟକୁ ଯାତ୍ରା କରୁଥିବା ପର୍ବତାରୋହୀମାନେ ଏକ ବରଫାବୃତ ଶରୀରକୁ ଅତିକ୍ରମ କରୁଛନ୍ତି । ଏହି ମୃତ ବ୍ୟକ୍ତି ‘ଗ୍ରୀନ୍ ବୁଟ୍ସ’ ନାମରେ ପରିଚିତ । ଏବେ ଭାରତୀୟ କର୍ତ୍ତୃପକ୍ଷମାନେ ଏକ ବିପଦପୂର୍ଣ୍ଣ ଅଭିଯାନର ଯୋଜନା କରୁଛନ୍ତି, ଯେଉଁଥିରେ ଏହି ବରଫାବୃତ୍ତ ଶରୀରକୁ ତଳକୁ ଅଣାଯିବ । ସଫଳ ହେଲେ, ଦୀର୍ଘ ଦଶନ୍ଧି ପରେ ଏଭରେଷ୍ଟର ଏହି ରହସ୍ୟର ସମାଧାନ ହେବ ।
ଇଣ୍ଡୋ-ତିବତ ସୀମା ପୁଲିସ (ଆଇଟିବିପି) ଏଭରେଷ୍ଟର ଉତ୍ତର ଗଡ଼ାଣିରୁ ଗ୍ରୀନ୍ ବୁଟ୍ସର ପୁନରୁଦ୍ଧାର ଲାଗି ଉଚ୍ଚ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ କରୁଥିବା ଏଜେନ୍ସିଗୁଡ଼ିକଠାରୁ ନିଲାମ ଆହ୍ୱାନ କରିଛି । ଟେଣ୍ଡର ଦସ୍ତାବିଜ ଅନୁସାରେ, ଚୟନ ହୋଇଥିବା ଟିମ୍କୁ ଅକ୍ଟୋବର ସୁଦ୍ଧା ଅବଶେଷକୁ ଦିଲ୍ଲୀକୁ ଆଣିବାକୁ ପଡ଼ିବ । ନେପାଳ ସ୍ଥିତ ଏଭରେଷ୍ଟ ଶେରପା ଅଭିଯାନର ପ୍ରତିଷ୍ଠାତା ଟିଶିରିଙ୍ଗ ଜାଙ୍ଗବୁ ଶେରପା କହିଛନ୍ତି, ଏହି ମିଶନ ସାଧାରଣ ପର୍ବତାରୋହଣ ତୁଳନାରେ ଦୁଇଗୁଣ ବିପଦପୂର୍ଣ୍ଣ ହେବ । ଜାଙ୍ଗବୁ ଶେରପାଙ୍କ ଅନୁସାରେ, ମୃତ ଶରୀରର ପୁନରୁଦ୍ଧାର ଲାଗି ୧୦ ଜଣ ଉଚ୍ଚ ପ୍ରଶିକ୍ଷିତ ପର୍ବତାରୋହୀଙ୍କୁ ସପ୍ତାହେ ଲାଗିବ । ସେ ଏଭରେଷ୍ଟ ଶିଖରରେ ଅନେକ ଥର ପହଞ୍ଚିଛନ୍ତି । ପର୍ବତର ଉକ୍ତ କ୍ଷେତ୍ରରୁ ୫ ମୃତ ଶରୀର ଉଦ୍ଧାର ଲାଗି ୨୦୨୪ରେ ସେ ମିଶନର ନେତୃତ୍ୱ ନେଇଥିଲେ । ଖରାପ ପାଣିପାଗ ଏଭଳି ଅଭିଯାନକୁ ବସନ୍ତ ଋତୁ ପୂର୍ବରୁ ଅସମ୍ଭବ କରେ । ତେଣୁ ଟେଣ୍ଡରରେ ଉଲ୍ଲେଖ ହୋଇଥିବା ଜୁନ୍-ଅକ୍ଟୋବର ସମୟସୀମାକୁ ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି ।
ମୃତକ ପିନ୍ଧିଥିବା ସବୁଜ ରଙ୍ଗର ଜୋତା ସ୍ପଷ୍ଟ ଦୃଶ୍ୟମାନ ହେଉଥିବାରୁ ତାଙ୍କୁ ଗ୍ରୀନ୍ ବୁଟ୍ସ ନାମ ଦିଆଗଲା । ତିବତୀୟ ମାର୍ଗ ଦେଇ ଯାତ୍ରା କରୁଥିବା ପର୍ବତାରୋହୀଙ୍କ ପାଇଁ ଏହି ଅବଶେଷ ଏକ ମାର୍କର୍ ପାଲଟିଛି । ଏହି ମୃତ ଶରୀର ୨୬,୨୦୦ ଫୁଟ ଉଚ୍ଚ ଏଭରେଷ୍ଟର ‘ଡେଥ୍ ଜୋନ୍’ରେ ପଡ଼ିରହିଛି, ଯେଉଁଠି ଅମ୍ଳଜାନ ସ୍ତର ବିପଦପୂର୍ଣ୍ଣ ରୂପେ ତଳକୁ ଖସିଯାଏ ।
ଆହୁରି ପଢ଼ନ୍ତୁ...Earthquake: ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଶକ୍ତିଶାଳୀ ଭୂମିକମ୍ପ ଝଟ୍କା; ମାଟିରେ ମିଶିଲା ଘର, ଅନେକ ଦେଶକୁ ସୁନାମୀ ବିପଦ
ଦୀର୍ଘ ବର୍ଷ ଧରି ଗ୍ରୀନ୍ ବୁଟ୍ସ ଇଣ୍ଡୋ-ତିବତ ସୀମା ପୁଲିସର ୨୮ ବର୍ଷୀୟ ସଦସ୍ୟ ଟିସେୱାଙ୍ଗ ପାଲଜୋରଙ୍କର ବୋଲି ବିଶ୍ୱାସ କରାଯାଉଥିଲା । ୧୯୯୬, ମେ’ ୧୦ରେ ଏଭରେଷ୍ଟ ଶିଖରରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ସମୂହ ମଧ୍ୟରେ ସେ ଅନ୍ୟତମ ଥିଲେ । ଶୃଙ୍ଗ ପାଖରେ ହଠାତ୍ ଭୟଙ୍କର ଝଡ଼ ହେଲା । ଏହା ସତ୍ତେ୍ୱ ୩ ଜଣ ପର୍ବତାରୋହୀ ଆରୋହଣ ଜାରି ରଖିଲେ । କିନ୍ତୁ କେହି ବି ଫେରିଲେ ନାହିଁ । ଗ୍ରୀନ୍ ବୁଟ୍ସ ଏକମାତ୍ର ବ୍ୟକ୍ତି ଯାହାଙ୍କ ଅବଶେଷ ମିଳିଲା ବୋଲି ଦୀର୍ଘ ବର୍ଷ ଧରି ବିଶ୍ୱାସ କରାଯାଉଥିଲା । ତେବେ ଇଣ୍ଡୋ-ତିବତ ସୀମା ପୁଲିସ ଟେଣ୍ଡର ଦସ୍ତାବିଜ ମୃତ ଶରୀରକୁ ଭାରତୀୟ ସୈନ୍ୟ ଦୋର୍ଜେ ମୋରୁପ ଭାବେ ଚିହ୍ନଟ କଲା । ସେ ଟିସେୱାଙ୍ଗ ପାଲଜୋରଙ୍କ ଅନ୍ୟତମ ସାଥୀ ପର୍ବତାରୋହୀ ଥିଲେ । ରିପୋର୍ଟ ଅନୁସାରେ, ଡିଏନ୍ଏ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି ।