ନୂଆଦିଲ୍ଲୀ ୨୫/୦୬: ଜେନେରାଲ ମୋଟର୍ସ କମ୍ପାନି ମିଶିଗାନ ସ୍ଥିତ ନିଜର ଫ୍ୟାକ୍ଟ୍ରି ଜିରୋ ଆସେମ୍ବ୍ଲି ପ୍ଲାଣ୍ଟରେ ୫୦ ରୋବୋ କର୍ମଚାରୀଙ୍କୁ ନିଯୁକ୍ତ କରିଛି । ଏଥିପାଇଁ କମ୍ପାନି ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରିଦେଇଛି । କମ୍ପାନି ଗତ ମେ’ରେ ନିଜର ଆଇଟି ଡିଭିଜନ୍ରୁ ୬୦୦ରୁ ଅଧିକ ଇଞ୍ଜିନିୟରଙ୍କୁ ବାହାର କରିଥିଲା, ଯାହା ଉକ୍ତ ବିଭାଗରେ କର୍ମଚାରୀଙ୍କ ସଂଖ୍ୟାର ୧୦ ପ୍ରତିଶତରୁ ଅଧିକ ଥିଲା । ଏହା ଜରିଆରେ କମ୍ପାନି ଖର୍ଚ୍ଚ କାଟ ସହିତ ଉତ୍ପାଦନ ଦକ୍ଷତା ବୃଦ୍ଧିର ମାର୍ଗ ଖୋଜୁଛି । ମାନବ କର୍ମଚାରୀଙ୍କ ସ୍ଥାନରେ ରୋବୋ ନିଯୁକ୍ତ କରିବା ପାଇଁ ଶ୍ରମିକ ସଂଗଠନମାନେ କମ୍ପାନିକୁ ସମାଲୋଚନା କରୁଛନ୍ତି ।
କମ୍ପାନିରେ ନବନିଯୁକ୍ତ ରୋବା ‘କୋବୋଟ୍’ ନାମରେ ପରିଚିତ । ଏମାନେ ଉତ୍ପାଦନ କ୍ଷେତ୍ରରେ ମାନବ କର୍ମଚାରୀଙ୍କ ସହିତ କାମ କରୁଛନ୍ତି । ଯାନଗୁଡ଼ିକର ବଡି ପ୍ୟାନେଲ ଯୋଡ଼ିବା ଭଳି କାମରେ ସହଯୋଗ କରୁଛନ୍ତି । ଇ-ଯାନର ଆଶାଠୁ ଦୁର୍ବଳ ଚାହିଦା ଯୋଗୁ କମ୍ପାନି ନିଜ ଉତ୍ପାଦନ ରଣନୀତିରେ ଏହି ପରିବର୍ତ୍ତନ ଆଣିଛି । ଏହା ପୂର୍ବରୁ ଅକ୍ଟୋବର ୨୦୨୫ରେ ଜିଏମ୍ ୨୦୦ରୁ ଅଧିକ କମ୍ପ୍ୟୁଟର-ଏଡେଡ୍ ଡିଜାଇନ୍ (ସିଏଡି) ଇଞ୍ଜିନିୟରଙ୍କୁ ଚାକିରିରୁ ବିଦା କରିଥିଲା ।
ଆହୁରି ପଢ଼ନ୍ତୁ...Green Boots Everest: ଭାରତୀୟ କର୍ତ୍ତୃପକ୍ଷଙ୍କ ବିପଦପୂର୍ଣ୍ଣ ଅଭିଯାନ, ୩୦ ବର୍ଷ ପରେ ଏଭରେଷ୍ଟରୁ ଫେରିବ ମୃତ ଶରୀର
ଏହି ପଦକ୍ଷେପକୁ ଠିକ୍ ବୋଲି ଦର୍ଶାଇ କମ୍ପାନି କହିଛି, କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନୁହେଁ, ବରଂ ସହଯୋଗ କରିବାକୁ ରୋବୋ ମୁତୟନ କରାଯାଇଛି । କର୍ମକ୍ଷେତ୍ରରେ ଅଧିକ ଉନ୍ନତ ଟେକ୍ନୋଲୋଜି ଆଣିବା ଉଦ୍ଦେଶ୍ୟରେ ଉତ୍ପାଦନ ବିଭାଗରେ କୋବୋଟ୍ଙ୍କୁ ମୁତୟନ କରାଯାଇଥିବା ଜିଏମ୍ର ପ୍ରବକ୍ତା କେଭିନ କେଲି ଗଣମାଧ୍ୟମକୁ କହିଛନ୍ତି । କର୍ମଚାରୀଙ୍କ ସୁରକ୍ଷାରେ ସୁଧାର ସହିତ କାରଖାନାର କାମକୁ ଆହୁରି ସୂକ୍ଷ୍ମ ଓ ପ୍ରତିଯୋଗିତାମୂଳକ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ପ୍ରଭାବିତ ହୋଇଥିବା କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ବାହାର କରାଯାଇଛି । ତେବେ ସେମାନେ କେବେ କାମକୁ ଫେରିବେ, କେଲି ସେ ବିଷୟରେ କିଛି କହିନାହାନ୍ତି ।