ଭୁବନେଶ୍ୱର, ୧୮/୦୫: ବିଶ୍ୱବ୍ୟାପୀ ମହାପ୍ରଭୁଙ୍କ ମହିମା ଗାନ କରାଯିବ । ସାରା ବିଶ୍ୱରେ ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ହେବ । ମହାବାହୁଙ୍କ ସଂସ୍କୃତିର ପ୍ରଚାର ପ୍ରସାରକୁ ପ୍ରୋତ୍ସାହନ ମିଳିବ । ରାଜ୍ୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ । ସେଠାରେ ପ୍ରଭୁଙ୍କ ସମସ୍ତ ରୀତିନୀତି, ଅବତାର, ପରମ୍ପରା ଏବଂ ସ୍କନ୍ଧ ପୁରାଣର କାହାଣୀକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଯିବ ।
ନିକଟରେ ଏହାର ସମୀକ୍ଷା କରି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏଠାରେ ୩୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସହ ଏକ ଦୃଶ୍ୟ-ଶ୍ରାବ୍ୟ ହଲ୍ ଏବଂ ମୁକ୍ତାକାଶ ମଞ୍ଚ ରହିବ । ପାଖାପାଖି ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସଂଗ୍ରହାଳୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଇତିହାସ, ଦର୍ଶନ, ପରମ୍ପରା ଓ ଲୋକଜୀବନରେ ଏହାର ଗଭୀର ପ୍ରଭାବକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯିବ । ଶ୍ରୀଜଗନ୍ନାଥ ସଂସ୍କୃତି, ପ୍ରାଚୀନ ଇତିହାସ ଓ ଧାର୍ମିକ ଐତିହ୍ୟ ଉପରେ ଗଭୀର ଗବେଷଣା ସହ ପ୍ରାଚୀନ ଜ୍ଞାନ ଓ ପରମ୍ପରାର ସଂରକ୍ଷଣକୁ ବିଶେଷ ଗୁରୁତ୍ୱ ଦିଆଯିବ ।
ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି, ପୁରାତନ ମନ୍ଦିରଗୁଡ଼ିକର ଦୁର୍ଲଭ ଦସ୍ତାବିଜ, ପାରମ୍ପରିକ ତଥ୍ୟ ଓ ଐତିହାସିକ ପ୍ରମାଣଗୁଡ଼ିକୁ ଆଧୁନିକ ଡିଜିଟାଲ୍ ପ୍ରଣାଳୀ ମାଧ୍ୟମରେ ସଂରକ୍ଷିତ କରାଯିବ । ଫଳରେ ଆଗାମୀ ପିଢ଼ି ଆମ ସମୃଦ୍ଧ ଐତିହ୍ୟ ଓ ଆଧ୍ୟାତ୍ମିକ ଜ୍ଞାନକୁ ସହଜରେ ଅନୁଭବ, ଅଧ୍ୟୟନ ଓ ଗବେଷଣା କରିପାରିବେ । ଏହାଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଆହୁରି ସୁଦୃଢ଼ ହେବ ।
ଅଧିକ ପଢ଼ନ୍ତୁ :- Gun Point Loot : କେନ୍ଦୁଝରରେ ବଡ ଡକାୟତି, ମୁଣ୍ଡରେ ବନ୍ଧୁକ ରଖି ୮ ଲକ୍ଷ ଲୁଟ୍...
ମହାପ୍ରଭୁଙ୍କ ଅସୀମ କୃପାରେ ଓଡ଼ିଆ ଅସ୍ମିତା, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟ ସହ ଅଭିନ୍ନ ଭାବେ ଜଡିତ ଏହି ପବିତ୍ର ପରମ୍ପରା ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରହିବ । ଗୁରୁତ୍ୱ ସହ ଓଡ଼ିଶା ସରକାର ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର ଓ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ବି ବାରମ୍ବାର ଏହାର ସମୀକ୍ଷା କରୁଛନ୍ତି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।