ଭୁବନେଶ୍ୱର,୦୨/୦୮: ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଓ  ସଂସ୍କୃତି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଖୁବ୍‌ଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ହେବ । ପୁରୀର ପବିତ୍ରତାକୁ ସମ୍ମାନ ଦେଇ ଏହାର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ  କରିବେ ସରକାର । ଶୁକ୍ରବାର ଖାରବେଳ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ  ଏହାର ରୋଡମ୍ୟାପ୍‌କୁ ନେଇ ଆଲୋଚନା ହୋଇଛି । 

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ  ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ସହରାଞ୍ଚଳ ଭିତ୍ତିଭୂମି ବୃଦ୍ଧି  ସହ ପୁରୀର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବାକୁ ଶ୍ରୀମତୀ ପାଢ଼ୀ  ଗୁରୁତ୍ୱ ଦେଇଥିଲେ । ସାଂସ୍କୃତିକ ଗୌରବ, ଐତିହ୍ୟ ସଂରକ୍ଷଣ ଓ ସହରାଞ୍ଚଳ ରୂପାନ୍ତରଣ  ପାଇଁ ସରକାର ବହୁ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ । 

ଏହି ବୈଠକରେ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି  ବିଭାଗ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ  ଡାକୁଆ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଓବିସିସି ପରିଚାଳନା ନିର୍ଦ୍ଦେଶକ  ସମୀର୍‌ ହୋତା, ଶ୍ରୀମନ୍ଦିର ପ୍ରଶାସନ (ଉନ୍ନୟନ) ଦେବବ୍ରତ ସାହୁ ଏବଂ ଓଡ଼ିଶା ଭାଷା  ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ଦେବପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।