ଭୁବନେଶ୍ୱର,୧।୯ : ଶ୍ରୀମନ୍ଦିରର ପରିଚାଳନା କମିଟିର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟମାନେ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି।  ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କମିଟି  ସଦସ୍ୟମାନେ ଧନ୍ୟବାଦ ଜଣାଇଛନ୍ତି। ପରିଚାଳନା କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ଦିର ନୀତିକାନ୍ତି, ପର୍ବପର୍ବାଣୀ କିପରି ଶୃଙ୍ଖଳିତ ଭାବେ ପାଳିତ ହେବ ଏବଂ ପୁରୀ ସହରର ବିକାଶ କିପରି ତ୍ୱରାନ୍ୱିତ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। 

ମହାପ୍ରଭୁଙ୍କ ସେବା ଓ ମନ୍ଦିର ବିକାଶ କାମରେ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ପରିଚାଳନା କମିଟି ସଦସ୍ୟମାନଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପୁରୀ ସହରରେ ଅନେକ ସୁବିଧା ଉପଲବ୍ଧ କରାଯିବ। 

ପରିଚାଳନା କମିଟିର ସଦସ୍ୟ କୃଷ୍ଣଚନ୍ଦ୍ର ସାମନ୍ତରାୟ (ସୁଆର ମହାସଭା), ରଘୁବୀର ଦାସ (ମଠାଧୀଶ), ରାମନାରାୟଣ ଗୋଚ୍ଛିକାର (ପ୍ରତିହାରୀ ନିଯୋଗ), ମଧୁସୂଦନ ସିଂହାରୀ (ପୁଷ୍ପାଳକ ନିଯୋଗ) ଏବଂ  ଜଗନ୍ନାଥ ପୂଜାପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।