ଶିବାଳୟରେ ଗଞ୍ଜେଇ ଭୋଗ ଲାଗି ବାରଣକୁ ବିରୋଧ କଲା ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ

ବାରିପଦା ସିଟି, ୨୪/୫ : ରାଜ୍ୟ ସରକାରଙ୍କ ପକ୍ଷରୁ ଶିବାଳୟରେ ମହାଦେବଙ୍କୁ ଗଞ୍ଜେଇ ଭୋଗ ଲାଗି ବାରଣ ନେଇ ନୂତନ ନିୟମକୁ ବିରୋଧ କରିଛନ୍ତି ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ। ଏହାକୁ ସଙ୍ଘ ସଭାପତି କାମେଶ୍ୱର ତ୍ରିପାଠୀ ଘୋର ବିରୋଧ କରିବା ସହିତ ନୂତନ ଆଇନକୁ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି। ଏନେଇ ମୟୂରଭଞ୍ଜ ଜିଲ୍ଲା ବାରିପଦା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାଜ୍ୟ ମନ୍ଦିର ସେବାୟତ ସଙ୍ଘ ସଭାପତି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ମହାଦେବଙ୍କ ମନ୍ଦିରରେ ଗଞ୍ଜେଇ ଭୋଗ ଲାଗିବା ଯୁଗ ଯୁଗ ଧରି ପରମ୍ପରା, ସଂସ୍କୃତି ରହିଥିବା ବେଳେ କାହିଁକି ବନ୍ଦ କରାଯିବ ବୋଲି ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ତେବେ ଯଦି ବେଆଇନ ଭାବେ ଗଞ୍ଜେଇ ବ୍ୟବହାର କରାଯାଉଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି। ସରକାର ଗଞ୍ଜେଇ ବାରଣ ନିଷ୍ପତ୍ତିର ଯଦି ପୁନର୍ବାର ବିଚାର ନକରନ୍ତି ଆଗକୁ ରାଜ୍ୟରେ ଏହାକୁ ଘୋର ବିରୋଧ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।