ପଟିୟାଲା ଜେଲରେ ସିଦ୍ଧୁଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି; ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ତସ୍କରୀ ଅଭିଯୁକ୍ତ ରହୁଥିବା ସେଲ୍ରେ ରଖାଯାଇଛି

ଚଣ୍ଡିଗଡ ୨୨/ ୦୫ : ରୋଡ୍ ରେଜ୍ ମାମଲାରେ ଜେଲରେ ଥିବା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ସିଦ୍ଧୁଙ୍କୁ ପଟିୟାଲା ଜେଲରେ ଥିବା ଲାଇବ୍ରେରୀ ବାରାକ୍ ନମ୍ବର ୧୦ରେ ରଖାଯାଇଛି । ବଡ କଥା ହେଉଛି ସିଦ୍ଧୁଙ୍କୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ରହୁଥିବା ସେଲରେ ରଖାଯାଇଛି । ଯିଏକି ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ତସ୍କରୀ ମାମଲାରେ ଜେଲରେ ବନ୍ଦୀ ଅଛି ।
ତେବେ ଘଟଣା ଏଥିପାଇଁ ଗମ୍ଭୀର ଯେ, ସିଦ୍ଧୁ ତାଙ୍କ ରାଜନୈତିକ ଜୀବନରେ ଅନେକ ଥର ଡ୍ରଗ୍ସ ମୁଦ୍ଦା ଉଠାଇଛନ୍ତି । ଜେଲ କର୍ତ୍ତୃପକ୍ଷଙ୍କ ଦ୍ବାରା ଏଭଳି ତ୍ରୁଟି ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି । ଡ୍ରଗ୍ସ ମାଫିଆକୁ ଅନ୍ୟ ଏକ ବାରାକ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଶୁଣିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ, ୧୯୮୮ ମସିହାରେ ରୋଡ୍ ରେଜ୍ ମାମଲାରେ ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିଲେ । ରାୟ ଶୁଣାଣିର ଗୋଟିଏ ଦିନ ପରେ ସିଦ୍ଧୁ ପଟିୟାଲା କୋର୍ଟକୁ ଯାଇ ଆତ୍ମସମର୍ପଣ କରିଥିଲେ । ଶନିବାର ସନ୍ଧ୍ୟାରେ ଔପଚାରିକ କାର୍ଯ୍ୟ ସରିବା ପରେ ସିଦ୍ଧୁଙ୍କୁ ବାରାକ୍ରେ ବନ୍ଦ କରିଦିଆଯାଇଛି । ସେ ଯେଉଁ ବାରାକ୍ରେ ରହିଛନ୍ତି ସେଠାରେ ପୂର୍ବରୁ ସିଆଇଏର ପୂର୍ବତନ ଇସ୍ପେକ୍ଟର ଇନ୍ଦ୍ରଜିତ ସିଂହ ମଧ୍ୟ କଏଦୀ ଭାବେ ରହୁଛନ୍ତି । ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ତାଙ୍କ ବିରୁଦ୍ଧରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର କାରବାର ନେଇ ସଙ୍ଗୀନ ମାମଲା ରହିଥିଲା । ଏହି ଘଟଣାରେ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତି ସାମିଲ ଥିବା ନେଇ ସେତେବେଳେ ଚର୍ଚ୍ଚା ହେଉଥିଲା ।
ତେବେ ଏହି ମାମଲାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଜେଲ ସୁପରିନଟେଣ୍ଡେଣ୍ଟ ସଞ୍ଜିତ ତିଓ୍ବାନା କହିଛନ୍ତି, ‘ଏଭଳି ଘଟଣାକୁ ସାର୍ବଜନୀନ କରାଯିବା ଉଚିତ ନୁହେଁ । ଜେଲ ଭିତରର ଘଟଣାକୁ ନେଇ ବାହାରେ ପ୍ରକାଶ ନକରିବାକୁ ଅଧିକାରୀମାନଙ୍କୁ କଡା ନିୟମାବଳୀ ରହିଛି । ତେବେ ସୂତ୍ର ଅନୁଯାୟୀ, ଡ୍ରଗ୍ସ ତସ୍କରୀ ଅଭିଯୁକ୍ତକୁ ଅନ୍ୟ ଏକ ସେଲ୍କୁ ସ୍ଥାନାନ୍ତରଣ କରାଯାଇଛି । ଏହା ସହିତ ସିଦ୍ଧୁଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି ।