ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍ ରେଜ୍ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ

ଅମୃତସର ୨୦/ ୦୫ : ଆତ୍ମସମର୍ପଣ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ୧୯୮୮ ମସିହା ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ବର୍ଷେ ସଶ୍ରମ କାରାଦଣ୍ଡ ଶୁଣାଇବା ପରେ ଶୁକ୍ରବାର ପଟିୟାଲା କୋର୍ଟରେ ପହଞ୍ଚି ସିଦ୍ଧୁ ଆତ୍ମସମର୍ପଣ କରିଛନ୍ତି । ସ୍ବାସ୍ଥ୍ୟଗତ କାରଣରୁ କିଛି ଦିନ ପାଇଁ ମହଲତ ଦେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ । ଚିକିତ୍ସା ଜାରି ରହିଥିବାରୁ ଆତ୍ମସମର୍ପଣ କରିବା ପୂର୍ବରୁ କିଛି ସପ୍ତାହ ପାଇଁ ମହଲତ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସିଦ୍ଧୁଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଶୁକ୍ରବାର ପଟିୟାଲା ଚିଫ୍ ଜୁଡିସିୟାଲ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ନବଜୋତ ସିଂହ ସିଦ୍ଧୁ । ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ମେଡିକାଲ ଟେଷ୍ଟ ଏବଂ ଅନ୍ୟାନ୍ୟ ଆଇନ ଗତ କାର୍ଯ୍ୟ ଜାରିରହିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ନେତା ସିଦ୍ଧୁଙ୍କ ମିଡିଆ ଆଡଭାଇଜର ସୁରୀନ୍ଦର ଦଲ୍ଲା ।
କଣ ଥିଲା ଘଟଣାକ୍ରମ:
୧୯୮୮ ମସିହା ଡିସେମ୍ବର ୨୭ ତାରିଖରେ ସିଦ୍ଧୁ ଏବଂ ତାଙ୍କର ବନ୍ଧୁ ରୁପିନ୍ଦର ସିଂହ ସାନ୍ଧୁ ପଟିୟାଲାର ସେରାବାଲେ ବଜାରକୁ ଯାଇଥିଲେ । ଯାହାକି ଘରଠାରୁ ମାତ୍ର ଦେଢ କିଲୋମିଟର । ସେତେବେଳେ ସିଦ୍ଧୁ କ୍ରିକେଟ୍ କ୍ୟାରିୟର ଆରମ୍ଭ ହୋଇଥିଲା ।
କାର ପାର୍କିଂ କରିବାକୁ ନେଇ ୬୫ ବର୍ଷୀୟ ଗୁରମାନ ସିଂହଙ୍କ ସହ ସିଦ୍ଧୁଙ୍କ ଝଗଡା ହୋଇଥିଲା । ପରେ ହାତାହାତୀ ପର୍ଯ୍ୟନ୍ତ କଥା ଯାଇଥିଲା । ସିଦ୍ଧୁଙ୍କ ମାଡରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରନାମଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ରିପୋର୍ଟ ଆସିଥିଲା ।
ସେହିଦିନ ସିଦ୍ଧୁ ଏବଂ ତାଙ୍କ ବନ୍ଧୁଙ୍କ ବିରୁଦ୍ଧରେ କୋତଓ୍ବାଲୀ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ୧୯୯୯ ମସିହାରେ ମାମଲାକୁ ଖାରଜ କରିଦେଇଥିଲେ କୋର୍ଟ ।
ପରେ ୨୦୦୨ ମସିହାରେ ସିଦ୍ଧୁଙ୍କ ବିରୁଦ୍ଧରେ ହାଇକୋର୍ଟରେ ଅପିଲ କରିଥିଲେ ପଞ୍ଜାବ ସରକାର । ସେତେବେଳକୁ ସେ ରାଜନୀତିକୁ ଆସିଯାଇଥିଲେ । ୨୦୦୪ରେ ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ ନବଜୋତ ।
୨୦୦୬ ମସିହାରେ ହାଇକୋର୍ଟ ରୋଡ୍ ରେଜ୍ ମାମଲାର ରାୟ ପ୍ରକାଶ କରିଥିଲେ । କୋର୍ଟ ଉଭୟ ସିଦ୍ଧୁ ଏବଂ ତାଙ୍କ ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଥିଲେ । ଏହା ସହିତ ଏକ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସିଦ୍ଧୁ ଲୋକସଭାରୁ ଇସ୍ତଫା ଦେଇଥିଲେ ।
ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ନବଜୋତ ସିଂହ ସିଦ୍ଧୁ । ସେତେବେଳେ ତାଙ୍କ ସପକ୍ଷରେ କୋର୍ଟରେ ଲଢିଥିଲେ ବିଜେପି ନେତା ଅରୁଣ ଜେଟଲୀ । ସୁପ୍ରିମକୋର୍ଟ ମାମଲାର ପୁନଃ ଶୁଣାଣି କରିବା ସହିତ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଥିଲେ । ପରେ ୨୦୦୭ରେ ପୁଣି ନିର୍ବାଚନ ଲଢି ବିଜୟୀ ହୋଇଥିଲେ ସିଦ୍ଧୁ ।
୨୦୧୮ ମେ ୧୫ ତାରିଖରେ ସେକ୍ସନ୍ ୩୨୩ ଆଧାରରେ ସିଦ୍ଧୁଙ୍କ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । କିନ୍ତୁ ଜାଣିଶୁଣି ହତ୍ୟା କରିନଥିବାରୁ ଧାରା ୩୦୪ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇନଥିଲେ । ସେଥିରେ ସିଦ୍ଧୁଙ୍କ ଠାରୁ ଜରିମାନା ଆଦାୟ କରି ଖଲାସ କରିଥିଲେ କୋର୍ଟ ।
୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ରିଭ୍ୟୁ ପିଟିସନ୍ ଉପରେ ଶୁଣାଣି କରିବାକୁ ରାଜି ହୋଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ୨୦୨୨ ମାର୍ଚ୍ଚ ୨୫ ତାରିଖରେ ରିଭ୍ୟୁ ପିଟିସନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।
ଶେଷରେ ୨୦୨୨ ମେ ୧୯ ତାରିଖରେ ସିଦ୍ଧୁଙ୍କୁ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।