ସିଦ୍ଧୁ ମୁସେୱାଲାଙ୍କୁ ଅତି ନିକଟରୁ ଗୁଳି ମାରିଥିବା ଅଭିଯୁକ୍ତ ଗିରଫ, ୧୯ ବର୍ଷର ଅଙ୍କିତ ପାଇଁ ଥିଲା ଏହା ପ୍ରଥମ ହତ୍ୟା ମାମଲା

ନୂଆଦିଲ୍ଲୀ,୪।୭: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ଏବେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମନାକୁ ଆସିଛି। ଏବେ ସିଦ୍ଧୁ ମୁସେୱାଲାଙ୍କୁ ଖୁବ୍ ନିକଟରୁ ଗୁଳି କରି ହତ୍ୟା କରିଥିବା ସୁଟର ଅଙ୍କିତ ସିରସାକୁ ପୋଲିସ ଗିରଫ କରିଛି। ବଡ କଥା ହେଉଛି ମୁସେୱାଲାଙ୍କ ପୂର୍ବରୁ ୧୯ ବର୍ଷୀୟ ଅଙ୍କିତ ସିରସା କାହାକୁ ମାରିନଥିଲା। ଅର୍ଥାତ ମୁସେୱାଲାଙ୍କୁ ସେ ପ୍ରଥମ ଥର ପାଇଁ ହତ୍ୟା କରିଥିଲା।
ମିଳିଥିବା ସୂଚନା ଅନୁସାରେ, ଅଙ୍କିତ ସିରସା ଚାରି ମାସ ପୂର୍ବରୁ ଲରେନ୍ସ ବିଷ୍ମୋଇ ଗ୍ୟାଙ୍ଗ ଜଏନ୍ କରିଥିଲା। ସେ ନବମ ଶ୍ରେଣୀ ପାସ୍ କରିଥିଲା ଓ ଏହାପରେ ଅପରାଧ ଦୁନିଆକୁ ଆସିଥିଲା। ଉଲ୍ଲେଖନୀୟ ଯେ, ଅଙ୍କିତ ଓ ତା’ର ସାଥୀକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ରବିବାର ରାତି(୩ ଜୁଲାଇ)ରେ ହିଁ ଗିରଫ କରିଥିଲା। ଦୁହିଁଙ୍କୁ ଦିଲ୍ଲୀରେ କାଶ୍ମୀର ଗେଟ୍ ପାଖରୁ ଗିରଫ କରାଯାଇଥିଲା। ଅଙ୍କିତ ସହିତ ଗିରଫ ଅନ୍ୟ ସୁଟରର ନାଁ ହେଉଛି ସଚିନ ଚୌଧୁରୀ। ସେ ଅଙ୍କିତକୁ ସାହାଯ୍ୟ କରିଥିଲା। ଅଙ୍କିତ ହରିୟାଣାର ସିରସାର ହୋଇଥିବା ବେଳେ ସଚିନର ଘର ଭିଓ୍ବନୀରେ ଥିଲା।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଅନୁସାରେ, ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଆହୁରି ଦୁଇ ଜଣ ଲୋକ ତାଙ୍କ ଟାର୍ଗେଟରେ ଥିଲେ। ହତ୍ୟା ପରେ ଏହି ଦୁହିଁଙ୍କର ବିଦେଶ ପଳାଇବାର ଯୋଜନା ଥିଲା। ଅଙ୍କିତ ହେଉଛି ସେହି ସୁଟର ଯିଏକି ସିଦ୍ଧୁ ମୁସେୱାଲାଙ୍କୁ ଅତି ନିକଟରୁ ଗୁଳି ମାରିଥିଲା। ଅନ୍ୟ ଅଭିଯୁକ୍ତ ଜଣକ ହେଉଛି ପ୍ରିୟବତ ଫୌଜି, ସେ ଅଙ୍କିତ ସହିତ ଗାଡିରେ ଥିଲା। ଦୁହେଁ ଏକାଠି ଫେରାର ହୋଇଯାଇଥିଲେ। ପ୍ରିୟବ୍ରତ ପୂର୍ବରୁ ଗିରଫ ହୋଇ ସାରିଛି। ଏହା ପୂର୍ବରୁ ଦୁହେଁ ଗୁଜରାଟରେ ଲୁଚିଥିଲେ। ୭ ଜୁନ୍ ପର୍ଯ୍ୟନ୍ତ କଚ୍ଛରେ ଥିଲେ। ପ୍ରିୟବ୍ରତ ସେତେବେଳେ ବିନା ମାସ୍କରେ ବୁଲୁଥିବା ବେଳେ ତାକୁ ଗିରଫ କରାଯାଇଥିଲା।