ଭୁବନେଶ୍ୱର,୨୮/୦୬: ଆଗରେ ଚାଲିଛି ମା’ ଜିନ୍ନତ । ପଛରେ ନିର୍ଭୟରେ ବୁଲୁଛନ୍ତି ୪ ଶାବକ । ମା’ ସହ ଏକାଲୟରେ ଚାଲିଛନ୍ତି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଶିମିଳିପାଳରେ । ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀ ଜିନ୍ନତ ଛୁଆମାନଙ୍କୁ ନେଇ ଜଙ୍ଗଲରେ ବୁଲୁଥିବା ବେଳର ଫଟୋ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ ସୋସିଆଲ ମିଡିଆ ‘ଏକ୍ସ'ରେ ପୋଷ୍ଟ କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ବ୍ୟାଘ୍ରପ୍ରେମୀ ଓ ପରିବେଶବିତ୍ମାନେ ଏହି ଦୃଶ୍ୟକୁ ଖୁବ ପସନ୍ଦ କରିଛନ୍ତି ।
ଚାରି ବାଘ ଶାବକମାନଙ୍କ ବୟସ ୨ ମାସରୁ କମ୍ ହେବ ଏବଂ ସେମାନେ ଧୀରେଧୀରେ ବଡ଼ ହେଉଛନ୍ତି । ସେମାନେ ମା’ ଜିନ୍ନତ ସହ ବୁଲୁଛନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାଘୁଣୀ ଜିନ୍ନତ ଏବଂ ତା'ର ଶାବକମାନଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ଶିମିଳିପାଳ କର୍ତ୍ତୃପକ୍ଷ ଅଭୟାରଣ୍ୟ ଭିତରେ ୨୦ କିଲୋମିଟର ପରିଧି ମଧ୍ୟରେ ୨୦ରୁ ଅଧିକ ଟ୍ରାପ୍ କ୍ୟାମେରା ଲଗାଇଛନ୍ତି । ଏହା ସହିତ ବାଘୁଣୀ ଜିନ୍ନତର ଗତିବିଧି ଜାଣିବା ପାଇଁ ତାକୁ ଏକ ସାଟେଲାଇଟ୍ କଲାର୍ ପିନ୍ଧାଯାଇଛି ଏବଂ ଭିଏଚଏଫ୍ ଟ୍ରାକିଂ ସିଗ୍ନାଲ୍ ମାଧ୍ୟମରେ ତଦାରଖ କରାଯାଉଛି ।
Zeenat and her zinnies…
— Susanta Nanda IFS (Retd) (@susantananda3) June 27, 2026
Simlipal Park Authorities have released this camera trapped image of tigress Zeenat & her cubs, born out of 1st inter state translocation to save the Tiger Reserve from genetic collapse. pic.twitter.com/IMX6cWngYH
ପ୍ରକାଶ ଥାଉକି, ମରାଠୀ ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ଶିମିଳିପାଳରେ ଛଡ଼ାଯାଇଥିଲା । ସେହିବର୍ଷ ଜିନ୍ନତ ପ୍ରାୟ ୩୦୦ କିଲୋମିଟର ଯାତ୍ରା କରି ରାଜ୍ୟ ସୀମା ପାର କରି ଓଡ଼ିଶା, ଝାଡ଼ଖଣ୍ଡ ଡେଇଁ ପଶ୍ଚିମବଙ୍ଗ ପଳାଇଥିଲା । ପରେ ଏକ ବିଶେଷଜ୍ଞ ବନ୍ୟପ୍ରାଣୀ ଟିମ୍ ତାକୁ ଟ୍ରାକ କରି ଶିମିଳିପାଳକୁ ଫେରାଇ ଆଣିଥିଲେ । ଚଳିତମାସ ଆରମ୍ଭରେ ଜିନ୍ନତ ମା’ ହୋଇଥିଲା ।
ଅଧିକ ପଢ଼ନ୍ତୁ :- Odisha Liquor license: ‘ଉତ୍ତର ଭାରତ ଲିକର୍ ସିଣ୍ଡିକେଟ୍’ ହାତରେ ଓଡ଼ିଶାର ମଦ ଲାଇସେନ୍ସ, ଅଧାରୁ ଛାଡ଼ିଲେ କୋଟିକୋଟି ଟଙ୍କା ବୁଡ଼ିବ!