ନୂଆଦିଲ୍ଲୀ, ୨୭।୬: ମହାକାଶରେ ପ୍ରତିଦିନ କିଛି ନା କିଛି ରହସ୍ୟମୟ ଘଟଣା ଘଟିଥାଏ । ହେଲେ ଯେତେବେଳେ କୌଣସି ବିଶାଳକାୟ ଗ୍ରହାଣୁ ପୃଥିବୀ ନିକଟକୁ ଆସେ, ସେତେବେଳେ ସାରା ବିଶ୍ୱର ଚିନ୍ତା ବଢ଼ିଯାଏ । ଚଳିତ ସପ୍ତାହାନ୍ତ (ଉଇକେଣ୍ଡ)ରେ ମହାକାଶ ପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକର ଖବର ସାମ୍ନାକୁ ଆସିଛି । ପ୍ୟାରିସର ପ୍ରସିଦ୍ଧ ଏଫିଲ୍ ଟାୱାର୍‌ଠାରୁ ମଧ୍ୟ ଅନେକ ଗୁଣ ବଡ଼ ଏକ ବିଶାଳକାୟ ଗ୍ରହାଣୁ ଆଜି ଆମ ପୃଥିବୀର ଅତି ନିକଟ ଦେଇ ଗତି କରିବାକୁ ଯାଉଛି । ବୈଜ୍ଞାନିକମାନେ ଏହି ମହାକାଶ ପଥରକୁ (152637) 1997 NC1 ବୋଲି ନାମିତ କରିଛନ୍ତି । ପ୍ରାୟ ୨୯ ବର୍ଷ ପୂର୍ବେ ଆବିଷ୍କାର କରାଯାଇଥିବା ଏହି ଗ୍ରହାଣୁ ଆଜି ଅର୍ଥାତ ୨୭ ଜୁନ୍ ୨୦୨୬ରେ ପୃଥିବୀର ସବୁଠାରୁ ନିକଟତର ହେବ । ତେବେ ଆଶ୍ୱସ୍ତିର କଥା ହେଉଛି, ଏହା ପୃଥିବୀଠାରୁ ଏକ ସୁରକ୍ଷିତ ଦୂରତାରେ ଗତି କରିବ ।  

କେତେ ବଡ଼ ଏହି ମହାକାଶ ଦାନବ ?

ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ଆକଳନ ଅନୁଯାୟୀ, ଆଷ୍ଟେରଏଡ୍ '1997 NC1'ର ଚଉଡ଼ା ପ୍ରାୟ ୭୧୦ ମିଟରରୁ ୧୬୦୦ ମିଟର ମଧ୍ୟରେ ରହିଛି । ଯଦି ଏହାର ତୁଳନା ଏଫିଲ୍ ଟାୱାର୍ ସହିତ କରାଯାଏ, ତେବେ ଏହା ତା’ଠାରୁ ଅନେକ ଗୁଣ ବଡ଼ ଏବଂ ଉଚ୍ଚ । ଏହାର ବିଶାଳତା ଯୋଗୁଁ ବୈଜ୍ଞାନିକ ଏବଂ ଜ୍ୟୋତିର୍ବିଜ୍ଞାନୀମାନେ ବେଶ୍ ଉତ୍ସାହିତ ଅଛନ୍ତି । କିନ୍ତୁ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ଏହାଦ୍ୱାରା ପୃଥିବୀ ପ୍ରତି କୌଣସି ବିପଦ ନାହିଁ ଏବଂ ଏହା କୌଣସି କ୍ଷତି ପହଞ୍ଚାଇବ ନାହିଁ । ଅନ୍ତର୍ଜାତୀୟ ସମୟ (UTC) ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୧:୧୪ ମିନିଟ୍‌ରେ ଏହି ବିଶାଳ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତମ ବିନ୍ଦୁରେ ପହଞ୍ଚିଛି । ଏହି ସମୟରେ ପୃଥିବୀଠାରୁ ଏହାର ଦୂରତା ପ୍ରାୟ ୨୬ ଲକ୍ଷ କିଲୋମିଟର ଥିଲା । ଦେଖିବାକୁ ଗଲେ ଏହି ଦୂରତା କମ୍ ମନେହୋଇପାରେ, କିନ୍ତୁ ପ୍ରକୃତରେ ଏହା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଥିବା ଦୂରତାଠାରୁ ପ୍ରାୟ ୭ ଗୁଣ ଅଧିକ । ସେଥିପାଇଁ ବୈଜ୍ଞାନିକମାନେ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହୁଛନ୍ତି । ମହାକାଶରେ ଛୋଟ ଛୋଟ ଗ୍ରହାଣୁ ଗତି କରିବା ଏକ ସାଧାରଣ କଥା, କିନ୍ତୁ ଏତେ ବଡ଼ ଆକାରର ବସ୍ତୁ ପୃଥିବୀ ନିକଟକୁ ଆସିବା କେଇ ବର୍ଷରେ ଥରେ ଘଟିଥାଏ । ୧୯୯୭ରେ ପ୍ରଥମ କରି ଚିହ୍ନଟ ହୋଇଥିବା ଏହି ଗ୍ରହାଣୁ ଏହାପରେ ପୁଣି ବର୍ଷ ୨୦୮୮ରେ ପୃଥିବୀର ଏତେ ନିକଟକୁ ଆସିବ ।

ଏହା ବି ପଢ଼ନ୍ତୁ... Venezuela Earthquake: ଭୂକମ୍ପ ବିଭୀଷିକା ମଧ୍ୟରେ ପୁଣି ଦୋହଲିଲା ଭେନେଜୁଏଲା, ୪.୯ ତୀବ୍ରତାର ଭୂକମ୍ପ ରେକର୍ଡ

ଘରେ ବସି କେମିତି ଦେଖିବେ ଏହି ଲାଇଭ୍ ଶୋ’ ?

ସାଧାରଣ ଲୋକଙ୍କ ପାଇଁ ଖାଲି ଆଖିରେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବା ସମ୍ଭବ ନୁହେଁ। ଏହାକୁ ଦେଖିବାର ସବୁଠାରୁ ସହଜ ଏବଂ ସର୍ବୋତ୍ତମ ଉପାୟ ହେଉଛି ଅନଲାଇନ୍ ଲାଇଭ୍ ଷ୍ଟ୍ରିମ୍ । 'ଦି ଭର୍ଚ୍ଚୁଆଲ୍ ଟେଲିସ୍କୋପ୍ ପ୍ରୋଜେକ୍ଟ' ପକ୍ଷରୁ ଆନ୍ତର୍ଜାତୀୟ ସମୟ ରାତି ୨୩:୦୦ (UTC) ରୁ ଏହାର ସିଧାପ୍ରସାରଣ କରାଯାଉଛି । ପ୍ରସିଦ୍ଧ ଆଷ୍ଟ୍ରୋଫିଜିସିଷ୍ଟ ଜିଆନଲୁକା ମାସି ଏହି ଲାଇଭ୍ ସେସନର ହୋଷ୍ଟ କରିବେ । ଯଦି ଆକାଶ ସଫା ରହେ ଏବଂ ଆପଣଙ୍କ ପାଖରେ ଏକ ଛୋଟ ଟେଲିସ୍କୋପ୍ ଥାଏ ଯାହା ପ୍ରାୟ ୧୦୦ ମିମି ଆପର୍ଚର, ତେବେ ଆପଣ ଏହାକୁ ଦେଖିପାରିବେ । ଆକାଶରେ ଏହା କୌଣସି ଚମକୁଥିବା ତାରା ଭଳି ନୁହେଁ, ବରଂ ଅନ୍ୟ ତାରାମାନଙ୍କ ମଝିରେ ଧୀରେ ଧୀରେ ଗତି କରୁଥିବା ଏକ ଛୋଟ ଆଲୋକ ବିନ୍ଦୁ ଭଳି ଦେଖାଯିବ । କିନ୍ତୁ ଏହି ସପ୍ତାହାନ୍ତରେ ପୂର୍ଣ୍ଣମୀ ଥିବାରୁ ଚନ୍ଦ୍ରର ପ୍ରଖର ଆଲୋକ ଏବଂ ସହରଗୁଡ଼ିକର ଆଲୋକ ପ୍ରଦୂଷଣ ଯୋଗୁଁ ଏହାକୁ ସିଧାସଳଖ ଦେଖିବା କଷ୍ଟକର ହୋଇପାରେ । ତେଣୁ ଅନଲାଇନ୍ ଫିଡ୍ ଦେଖିବା ହିଁ ସବୁଠାରୁ ଭଲ ବିକଳ୍ପ । ବିଶ୍ୱର ସମସ୍ତ ପ୍ରମୁଖ ସ୍ପେସ୍ ଏଜେନ୍ସି ସ୍ପଷ୍ଟ କରିଛନ୍ତି ଯେ ଆଷ୍ଟେରଏଡ୍ 1997 NC1 ପୃଥିବୀଠାରୁ ବହୁ ଦୂରରେ ରହିବ । ଏହି ଘଟଣା ଭୟ କରିବାର ନୁହେଁ, ବରଂ ଆଧୁନିକ ବିଜ୍ଞାନର ଶକ୍ତିକୁ ଦେଖିବାର ଏକ ବଡ଼ ସୁଯୋଗ, ଯେଉଁଠି ଆମେ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ମହାକାଶର ପଥର ଉପରେ ମଧ୍ୟ ସଠିକ୍ ନଜର ରଖିପାରୁଛେ ।