କ୍ୱାର୍ଟରରେ ସିନ୍ଧୁ,ସାଇନା, ଶ୍ରୀକାନ୍ତ

ଜାକର୍ତ୍ତା, ୨୪ା୧(ଏଜେନ୍ସି): ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସ ସୁପର ସିରିଜ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ୩ ଷ୍ଟାର୍ ଖେଳାଳି ସାଇନା ନେହୱାଲ୍, ପିଭି ସିନ୍ଧୁ, କେ ଶ୍ରୀକାନ୍ତ ବିଜୟ ଜାରି ରଖି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍ରେ ଅଷ୍ଟମ ସିଡ୍ ସାଇନା ସିଧା ସଳଖ ୨୧-୧୫, ୨୧୧୭ ଗେମ୍ରେ ଇଣ୍ଡୋନେସିଆର ଫିଟ୍ରିଆନି ଫିଟ୍ରିଆନିଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ୪୩ମିନିଟ୍ ଲାଗିଥିଲା । କ୍ୱାର୍ଟରେ ସାଇନା ଥାଇଲାଣ୍ଡର ପର୍ନପୱି ଚୋଚୁୱଙ୍ଗ୍ଙ୍କୁ ଭେଟିବେ । ଅନ୍ୟ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ଦ୍ୱିତୀୟ ସିଡ୍ ସିନ୍ଧୁ ସିଧା ସଳଖ ୨୩-୨୧, ୨୧-୭ ଗେମ୍ରେ ଇଣ୍ଡୋନେସିଆର ଜଜିଆ ମାରିସ୍କା ତୁନଜୁଙ୍ଗ୍ଙ୍କୁ ହରାଇଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ସିନ୍ଧୁଙ୍କୁ ୩୭ମିନିଟ୍ ଲାଗିଥିଲା । ସେ କ୍ୱାର୍ଟରରେ ସ୍ପେନ୍ର କାରୋଲିନ୍ ମାରିନଙ୍କୁ ଭେଟିବେ । ୨୦୧୬ ରିଓ ଅଲିମ୍ପିକ୍ସ ସେମି ଫାଇନାଲ୍ରେ ମାରିନଙ୍କ ଠାରୁ ସିନ୍ଧୁ ପରାଜିତ ହୋଇଥିଲେ । ପୁରୁଷ ସିଙ୍ଗଲ୍ସରେ ଅଷ୍ଟମ ସିଡ୍ ଶ୍ରୀକାନ୍ତ ୨୧-୧୪, ୨୧-୯ ଗେମ୍ରେ ଜାପାନର କେଣ୍ଟା ନିଶିମୋତୋଙ୍କୁ ହରାଇଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ୩୦ମିନିଟ୍ ଲାଗିଥିଲା । ସେ କ୍ୱାର୍ଟରରେ ଇଣ୍ଡୋନେସିଆରୀ ଜନାଥନ କ୍ରିଷ୍ଟିଙ୍କୁ ଭେଟିବେ । ପୁରୁଷ ଡବଲ୍ସରେ ମନୁ ଆଟ୍ରି ଓ ବି ସୁମିତ ରେଡ୍ଡୀ ଯୋଡି ୧୪-୨୧, ୨୧-୧୭, ୧୦-୨୧ ଗେମ୍ରେ ଡେନ୍ମାର୍କର କିମ ଆଷ୍ଟ୍ରପ, ଆଣ୍ଟର୍ସ ସ୍କାରପ ରାସମୁସେନ ଯୋଡିଙ୍କ ଠାରୁ ହାରି ବିଦାୟ ନେଇଥିଲେ ।