ଶୀତଳଷଷ୍ଠୀରେ ଦେବ ଦମ୍ପତିଙ୍କ ସହର ପରିକ୍ରମା, ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼

ମାଲକାନଗିରି ୨୬।୫: ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ ଶିବ ପାର୍ବତୀ ବିବାହ ଓ ଶିତଳଷଷ୍ଠୀ ଉତ୍ସବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଶୀତଳ ଷଷ୍ଠୀ ଉପଲକ୍ଷେ ଗୁରୁବାର ରାତ୍ରରେ ସମଗ୍ର ଜିଲ୍ଲା ଉତ୍ସବମୁଖର ହୋଇ ଉଠିଥିଲା। ଏଥିପାଇଁ ସବୁଠି ଆଧ୍ୟାତ୍ମିକତା ବାତାବରଣ ଦେଖାଦେଇଥିଲା। ଵିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ତଲସହି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବ ପାର୍ବତୀଙ୍କ ମହାଆଡ଼ମ୍ବରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶିବ ଓ ପାର୍ବତୀଙ୍କ ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯାଇ ବିବାହ ମଣ୍ଡପ ନିକଟକୁ ପାଛୋଟି ଅଣାଯାଇଥିଲା। କନ୍ୟା ପିତା ଏ ଈଶ୍ୱର ରାଓ ,ମାତା ଏ ସନ୍ଧ୍ୟା ରାଓ ହୋଇଥିବା ବଳେ ବର ପିତା ଶୁଶାନ୍ତ ଖଟେଇ, ମାତା ସୁନିତା ଖଟେଇ ବିବାହ କାର୍ଯ୍ୟରେ ସଂକଳ୍ପ କରିଥିଲେ।

ମନ୍ଦିର ମୁଖ୍ୟପୂଜକ ମନୋରଂଜନ ଦାଶ ଓ ପୁରୋହିତ ଅଭିଷେକ ଶତପଥି ପୂଜାର୍ଚ୍ଚନା ସହିତ ବିବାହ କାର୍ଯ୍ୟ ସାରିଥିଲେ । ଗୁରୁବାର ରାତ୍ରରେ ଦେବ ଦମ୍ପତିଙ୍କୁ ସୁସଜିତ ବିମାନରେ ସ୍ଥାପନ କରି ବିରାଟ ଶୋଭାଯାତ୍ରାରେ ମାଲକାନଗିରି ସହର ପରିକ୍ରମା କରାଯାଇଥିଲା । ଦେବ ଦମ୍ପତିଙ୍କୁ ଦର୍ଶନ ପାଇଁ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ। ଗତ ତିନିଦିନ ଧରି ଦେବ ଦମ୍ପତିଙ୍କ ଵିଵାହ ଉତ୍ସବ ପାଇଁ ପ୍ରତିଦିନ ଦୁଇ ଓଳି ପ୍ରସାଦ ସେବନ ଓ ନରନାରାୟଣ ସେବାର ବ୍ୟବସ୍ଥା ହୋଇଥିଲା। ଏହି ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଫୁଲକୁମାର ପଣ୍ଡା ସମ୍ପାଦକ ସୀମାଞ୍ଚଳ ପଣ୍ଡା ଓ କମିଟିର ସଦସ୍ୟମାନେ ସୁଚାରୁ ଭାବେ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ। ପ୍ରତିଦିନ ରାତ୍ରରେ ମନ୍ଦିର ପରିସରରେ ଭଜନ ସମାରୋହ ପରିବେଷଣ ହୋଇଥିଲା।