ନୂଆଦିଲ୍ଲୀ,୩୦/୧୦: ବିହାରର ସିୱାନ ଜିଲ୍ଲାରେ ଅଭାବନୀୟ ଘଟଣା। ଦାରୁଣ୍ଡା ଥାନା ଅଞ୍ଚଳରେ ନିୟୋଜିତ ଏଏସଆଇଙ୍କୁ ହତ୍ୟା ଅଭିଯୋଗ। ହତ୍ୟା ପରେ ତାଙ୍କ ମୃତଦେହକୁ ଦୁର୍ବୁତ୍ତମାନେ ଏକ ଶୂନଶାନ ସ୍ଥାନରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ତେବେ ମୃତ ଏଏସଆଇ ଜଣକ ଅନିରୁଦ୍ଧ କୁମାର ବୋଲି ସୂଚନା ମିଳିଛି।

ସିରସା ନାବକା ଟୋଲା ଗାଁର ଲୋକମାନେ ମୃତଦେହ ଦେଖିବା ମାତ୍ରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।  ରିପୋର୍ଟ ଅନୁସାରେ, ଗତକାଲି ରାତିରେ ଏଏସଆଇ ଅନିରୁଦ୍ଧ କୁମାର ସାଧାରଣ ପୋଷାକ ପିନ୍ଧି କୌଣସି କାମରେ ବାହାରକୁ ଯାଇଥିଲେ। ବାଟରେ ଦୁର୍ବୁତ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରାଥମିକ ଦୃଷ୍ଟିରୁ ଏହା ଜଣାପଡୁଛି ଯେ,ହତ୍ୟାକାଣ୍ଡ ଏକ ଧାରୁଆ ଅସ୍ତ୍ରରେ କରାଯାଇଛି।
ପୁଲିସର କହିବା ଅନୁଯାୟୀ, ହତ୍ୟାକାଣ୍ଡଟି ଅତ୍ୟନ୍ତ ନିର୍ମମ ଭାବରେ କରାଯାଇଛି, ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଦୁର୍ବୁତ୍ତମାନେ ଏହାକୁ ପୂର୍ବରୁ ଯୋଜନା କରିଥିଲେ।ଏଏସଆଇଙ୍କ ହତ୍ୟା ସମଗ୍ର ପୁଲିସ ବିଭାଗରେ ଭୟର ବାତାବରଣ ସୃଷ୍ଟି କରିଛି। ଦାରୁଣ୍ଡା ଥାନା ଇନଚାର୍ଜ କହିଛନ୍ତି ଯେ, ମୃତଦେହଟି ଏଏସଆଇ ଅନିରୁଦ୍ଧ କୁମାରଙ୍କ ବୋଲି ଚିହ୍ନଟ ହୋଇଛି। ପୁଲିସ ଟିମ ବର୍ତ୍ତମାନ ଆଖପାଖ ଅଞ୍ଚଳରେ ଚଢାଉ କରୁଛନ୍ତି ଏବଂ ସନ୍ଦିଗ୍ଧ ଲୋକଙ୍କୁ ଖୋଜୁଛନ୍ତି। ଜିଲ୍ଲା ପୁଲିସ ଅଧିକ୍ଷକ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି  ଏବଂ  ଯଥାଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।