ମାଲକାନଗିରି, ୧୦/୧୧ (ଆପ୍ର ) : କମ ମୂଲ୍ୟରେ ଡିଜେଲ ଯୋଗାଇ ଦିଆଯିଵ କହି ୬୦ ହଜାର ଟଙ୍କା ଜଣେ ଠିକାଦରଙ୍କ ଠାରୁ ଠକେଇ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲା ଧାମରା ଥାନା ପାଇକ ସାହିର ଚନ୍ଦନ ଦାସ (୨୯) ।ତାଙ୍କ ନିକଟରୁ ଏଟିଏମ କାର୍ଡ,ମୋବାଇଲ ଫୋନ ଓ କିଛି ଟଙ୍କା ପୁଲିସ ଜବତ କରିଛି।
ମାଲକାନଗିରି ଜିଲ୍ଲା ଓର୍କେଲ୍ ଥାନା ବାଲିମେଳା ଛକ ରେ ରହୁଥିବା କୃଷ୍ଣ ମୋହନ ମଲ୍ଲିକ (୩୭) ଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନ କରିଥିଲେ। ତାର୍ଲାକୋଟା ନିର୍ମାଣ ସ୍ଥଳର ସୁପରଭାଇଜର ଭାବେ ପରିଚୟ ଦେଇ କହିଥିଲେ ଯେ ସେମାନଙ୍କ ନିର୍ମାଣ ସ୍ଥଳରେ ପ୍ରାୟ ୨୫୦୦ ଲିଟର ଡିଜେଲ ମହଜୁଦ ଅଛି। ଲିଟର ପିଛା ମାତ୍ର ୬୦ ଟଙ୍କା ମୂଲ୍ୟ ରେ ଡିଜେଲ ବିକ୍ରୀ କରିଦେବେ କହି ଲୋଭ ଦେଖାଇ ଥିଲେ। କମ ମୂଲ୍ୟରେ ଡିଜେଲ ମିଳି ଯାଉଥିବାରୁ ସେ ରାଜି ହୋଇଯାଇଥିଲେ। ଗତ ୧ ତାରିଖ ଦିନ ହ୍ୱାଟ୍ସଆପ୍ ନମ୍ବରକୁ ଏକ QR କୋଡ୍ ପଠାଇ ୬୦,୦୦୦/- ଟଙ୍କା ମାଗିଥିଲେ। ତା'ପରେ ସେ ଉକ୍ତ QR କୋଡ୍ରେ ୬୦,୦୦୦/- ଟଙ୍କା ଟ୍ରାନ୍ସଫର କରିଥିଲେ। ପରେ ଉକ୍ତ ମୋବାଇଲ୍ ନମ୍ବରରେ ଠିକାଦାରବାରମ୍ବାର କଲ୍ କରିଥିଲେ କିନ୍ତୁ ଉକ୍ତ ନମ୍ବରଟି ବନ୍ଦ ହୋଇଯାଇଥିଲା। ପରେ ଠକେଇର ଶିକାର ହୋଇଥିବା ଜାଣି ସେ ଓରକେଲ ଥାନାରେ ଏତଲା ଦେଇଥିଲେ। ଓରକେଲ ଥାନା ଅଧିକାରୀ ଧୀରନ୍ ପଟ୍ଟନାୟକ ଏକ ଟିମ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।