ବ୍ୟୁରୋ ୨୩/୦୭ : ସଞ୍ଚୟ ଏପରି ଏକ ଅଭ୍ୟାସ, ଯାହା ବ୍ୟକ୍ତିଙ୍କୁ ଆର୍ଥିକ ମଜଭୁତ କରିବା ସହ ଭବିଷ୍ୟତକୁ ସୁରକ୍ଷିତ କରିଥାଏ । ସେଥିପାଇଁ ଏକ ଆର୍ଥିକ ଲକ୍ଷ୍ୟ ରଖିବା ଜରୁରି । ତେଣିକି ଏହା ଘର କିଣିବା ହେଉ ଅବା କାର୍ କିଣିବା କିମ୍ବା ପିଲାଙ୍କ ଶିକ୍ଷା ପାଇଁ ଅର୍ଥ ଯୋଗାଡ଼ କରିବା ଆଦି ଦିଗରେ ଲକ୍ଷ୍ୟ ସ୍ଥିର ରଖିବା ଆବଶ୍ୟକ । ସଞ୍ଚୟ କରିବା ଦ୍ୱାରା ଆର୍ଥିକ ଅଭାବ ଓ ଚାକିରି ନଥିବା ସମୟରେ ଏହି ଅର୍ଥ ସହଯୋଗ କରିଥାଏ । କରୋନା ମହାମାରୀ ପରି ଆକସ୍ମିକ ସ୍ଥିତି ସମସ୍ତଙ୍କୁ ଶିକ୍ଷା ଦେଇଛି ସଞ୍ଚୟ କେତେ ଜରୁରି । ମଜଭୁତ ସଞ୍ଚୟ ହିଁ ପ୍ରତ୍ୟେକ ବ୍ୟକ୍ତିର ସୁରକ୍ଷା କବଚ । ଅର୍ଥ ଅସୁବିଧା ସମୟରେ ସାହାରା ହୋଇଥାଏ । ଏପରିକି ଚାକିରି ଯାଇଥିବା ସମୟରେ ମଧ୍ୟ ଏହା ଆର୍ଥିକ ସ୍ଥିତିକୁ ସ୍ଥିର ରଖିଥାଏ । ତେଣୁ ରୋଜଗାର ଯେତେ ହେଉନା କାହିଁକି ସଞ୍ଚୟ ନିଶ୍ଚୟ କରିବା ଆବଶ୍ୟକ । ସେଥିପାଇଁ ଆପଣାଇପାରିବେ ନିମ୍ନ ଦିଗଗୁଡିକୁ...
ଅଯଥା ଖର୍ଚ୍ଚରେ ଲଗାମ ଲଗାନ୍ତୁ
ଆବଶ୍ୟକ ନଥିବା ଜିନିଷ କିଣିବାରୁ ଦୂରେଇ ରୁହନ୍ତୁ । ଯେପରିକି ଯଦି ମାସକୁ ୪ ଦିନ ବାହାରେ ଖାଉଥାନ୍ତି, ତେବେ ଏହାକୁ କମ୍ କରିପାରିବେ । ଦାମୀ ପୋଷାକ କିଣିବାଠାରୁ ଦୂରେଇ ରହିବା ସହ କ୍ରେଡିଟ୍ କାର୍ଡର ବ୍ୟବହାର କମ୍ କରିବା ଆଦି ।
ବଜେଟ୍ ପ୍ରସ୍ତୁତ କରନ୍ତୁ
ପ୍ରତି ମାସରେ ନିଜର ବଜେଟ୍ ପ୍ରସ୍ତୁତ କରି ସେହି ଅନୁସାରେ ପରିଚାଳିତ ହେବା ଜରୁରି । ଆବଶ୍ୟକ ଖର୍ଚ୍ଚକୁ ପ୍ରାଥମିକତା ଦେବା ହିଁ ସୌକ୍ ପୂରଣ କରିବା କଥା ଚିନ୍ତା କରନ୍ତୁ । ଏହା ସହିତ ନିବେଶ ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର ।
ନିବେଶ କରନ୍ତୁ
ପ୍ରତି ମାସର ବେତନରୁ କିଛି ଅଂଶ ବ୍ୟାଙ୍କରେ ନିଶ୍ଚୟ ସଞ୍ଚୟ କରିବା ଆବଶ୍ୟକ । ଏହାବ୍ୟତୀତ ଷ୍ଟକ୍ ମାର୍କେଟ୍, ମ୍ୟୁଚୁଆଲ୍ ଫଣ୍ଡ୍, ସେଭିଙ୍ଗ୍ ଫଣ୍ଡ, ଏସ୍ଆଇପି ଓ ପିପିଏଫ୍ ଆଦି ଭିନ୍ନ ଭିନ୍ନ ସ୍ଥାନରେ ନିବେଶ କରିପାରିବେ । ପିପିଏଫରେ ନିବେଶ କରିବା ସୁରକ୍ଷିତ ଏବଂ କରମୁକ୍ତ ।
ଅଧିକ ପଢନ୍ତୁ ;- Digital Education : ଡିଜିଟାଲ ଭିତ୍ତିଭୂମିରେ ସରକାରୀ ସ୍କୁଲ ପଛୁଆ, ୩୧,୮୬୫ ସ୍କୁଲରେ ଏଯାଏ ହୋଇନି ସ୍ମାର୍ଟ କ୍ଲାସ୍ରୁମ୍
ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ନିଅନ୍ତୁ
ଆପଣ ଚାହିଁଲେ ଆର୍ଥିକ ପରାମର୍ଶଦାତା ବା ପ୍ଲାନର୍ଙ୍କ ସହାୟତା ନେଇପାରିବେ । ଯିଏ ଆପଣଙ୍କ ଅର୍ଥକୁ ଠିକ୍ ଦିଗରେ ନିବେଶ ପାଇଁ ପରାମର୍ଶ ଦେଇପାରିବେ ।
ବେତନରୁ କେତେ ପ୍ରତିଶତ ସଞ୍ଚୟ କରିବା ଦରକାର
ଯଦି ଆପଣ ଅଧିକ ଅର୍ଥ ଖର୍ଚ୍ଚ କରୁଥାନ୍ତି, ତେବେ ପ୍ରତି ମାସରେ ୨୦ ପ୍ରତିଶତ ଅର୍ଥ ସଞ୍ଚୟ କରିବା ଉଚିତ୍ । ଅବଶ୍ୟ ଏହା ପ୍ରତ୍ୟେକ ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ । ଯଦି ୨୫ ବର୍ଷ ବୟସରୁ ସଞ୍ଚୟ ଆରମ୍ଭ କରୁଥାନ୍ତି, ତେବେ ୧୫ ପ୍ରତିଶତ ସଞ୍ଚୟ କରିବା ଉଚିତ୍ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବଢାଇବା ଉଚିତ୍ । ଯଦି ୨୦ ପ୍ରତିଶତ ସଞ୍ଚୟ ସମ୍ଭବ ହେଉନାହିଁ, ତେବେ ୫ ବା ୧୦ ପ୍ରତିଶତ ସଞ୍ଚୟ କରିବା ସହ ନିବେଶ ମଧ୍ୟ କରନ୍ତୁ ।