ଭୁବନେଶ୍ୱର, ୨୩/୦୩: ଓୟୁଏଟି କୃଷି  ମହାବିଦ୍ୟାଳୟର ଗୋଦାବରୀଶ ଛାତ୍ରାବାସରେ ଥିବା  ଗାଧୁଆ ଘର ପାଣି ନିଷ୍କାସନ ଜାଲି ଭିତରୁ ଏକ ନାଗ  ସାପ ଉଦ୍ଧାର ହୋଇଛି । 

ଶୁକ୍ରବାର ବିଳମ୍ବିତ ରାତିରେ  ଜଣେ ଛାତ୍ର ପରିସ୍ରା କରିସାରି ଗୋଡ ଧୋଇବା ପାଇଁ  ଗାଧୁଆ ଘରକୁ ଗଲା ବେଳେ ଉକ୍ତ ସାପକୁ ଦେଖିଥିଲେ।  ପାଣି ନଳା ପାଖରେ ଥିବା ଜାଲି ଭିତରେ ସାପ ମୁଣ୍ଡ ଭର୍ତ୍ତି  କରିଥିବା ଦେଖି ଛାତ୍ର ଭୟରେ ବାହାରକୁ ଦଉଡ଼ି ଆସି  ହଷ୍ଟେଲର ଅନ୍ୟପିଲାଙ୍କୁ ଡାକ ପକାଇଥିଲେ । ଖବର ପାଇ  ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ ଅରୁଣ ବରାଳ ଘଟଣାସ୍ଥଳରେ  ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ପ୍ରାୟ ୪ ଫୁଟ ଲମ୍ୱ  ନାଗ ସାପର ମୁଣ୍ଡ ଷ୍ଟିଲ୍‌ ଜାଲିରେ ଫସିଥିଲା । ତେଣୁ  ଶାବଳ ସହାୟତାରେ ଉକ୍ତ ଜାଲିକୁ ତାଡି ସେହି ଅବସ୍ଥାରେ  ହିଁ ସାପକୁ ବ୍ୟାଗ୍‌ରେ ଭର୍ତ୍ତି କରି ନେଇ ଆସିଥିଲେ  ଅରୁଣ । ଶନିବାର ସକାଳେ ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ  ଶୁଭେନ୍ଦୁ ମଲ୍ଲିକ ଏବଂ ଅରୁଣ ମିଶି ମେଟାଲ୍‌ କଟର  ସାହାଯ୍ୟରେ ଷ୍ଟିଲ ଜାଲିକୁ କାଟି ସାପକୁ ଉଦ୍ଧାର କରିଥିଲେ ।