ଭୁବନେଶ୍ୱର,୨୨/୦୩: ପ୍ରତିଭାର ବିକାଶକୁ ତ୍ୱରାନ୍ୱିତ କରିବା,  ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସହଭାଗିତା,  ସ୍ଥାନୀୟ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା  ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ବିଶ୍ୱବିଦ୍ୟାଳୟ ଓ ହାଇଦ୍ରାବାଦ ସ୍ଥିତ  କେଏଫ୍‌ଆଇଏନ୍‌ ଟେକ୍ନୋଲୋଜିସ୍‌  ଲିମିଟେଡ୍‌ ମଧ୍ୟରେ ଶୁକ୍ରବାର ଏକ  ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।  

ଆର୍ଥିକ ସେବା, ଆଇଟି ଏବଂ  ଆଇଟିଇଏସ୍‌ ସମ୍ପର୍କିତ ସେବା  ପ୍ରଦାନ କରୁଥିବା କେଏଫ୍‌ଆଇଏନ୍‌  ଟେକ୍ନୋଲୋଜି ଲିମିଟେଡ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବିକାଶ, ଜ୍ଞାନ ପ୍ରଦାନ  ଏବଂ ନିଯୁକ୍ତ ସୃଷ୍ଟି କରିବା କ୍ଷେତ୍ରରେ  କାର୍ଯ୍ୟ କରୁଛି । ୬୦ ମାସ ଅବଧି ନିମନ୍ତେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର  ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ କର୍ମଶାଳା  ଓ ଦକ୍ଷତା ସୃଷ୍ଟି କାର୍ଯ୍ୟକ୍ରମର ଆୟୋଜନ  କରାଯିବା ସହ ସେମାନଙ୍କୁ ଇନ୍‌ଟର୍ଣ୍ଣସିପ୍‌  ଏବଂ ନିଯୁକ୍ତି ପୂର୍ବର ସୁଯୋଗ ସହିତ  ଦକ୍ଷ ପ୍ରତିଭାମାନଙ୍କୁ ନିଯୁକ୍ତିର ସୁଯୋଗ  ମଧ୍ୟ ପ୍ରଦାନ କରିବ । ଏଥି ସହିତ ଫ୍ୟାକଲ୍ଟି ଡେଭେଲପ୍‌ମେଣ୍ଟ ପ୍ରୋଗ୍ରାମ  ଏବଂ ଶିଳ୍ପ-ଶିକ୍ଷା ମଧ୍ୟରେ ସହଭାଗିତା  ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ  କୁମାର ନନ୍ଦ ଏବଂ କେଏଫ୍‌ଆଇଏନ୍‌  ଟେକ୍ନୋଲୋଜି ଲିମିଟେଡ୍‌ର ଚିଫ୍‌ ପିପୁଲ  ଅଫିସର ସୁଜୟ ପୁଥ୍ରାନ୍‌ଙ୍କ ମଧ୍ୟରେ ଏହି  ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।  

ଏହି ଅବସରରେ ସୋଆର ସ୍ପନ୍‌ସର୍ଡ  ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ କନ୍‌ସଲ୍ଟାନ୍‌ସ (ଏସ୍‌ଆରଆଇସି)ର ଡିନ୍‌ ପ୍ରଫେସର  ପ୍ରଶାନ୍ତ କୁମାର ପାତ୍ର, ଇଣ୍ଡଷ୍ଟ୍ରି  ଏନ୍‌ଗେଜମେଣ୍ଟ ଆଣ୍ଡ କର୍ପୋରେଟ  ରିଲେସନ୍‌ସର ନିର୍ଦ୍ଦେଶକ ରୀପ୍ତି ରଞ୍ଜନ  ଦାଶ, ସିନିୟର ମ୍ୟାନେଜର କର୍ପୋରେଟ ରିଲେସନ୍‌ସ ଅଭିଷେକ ପଟ୍ଟନାୟକ  ଓ ଫ୍ୟାକଲ୍ଟି ଇନ୍‌ଚାର୍ଜ ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଣ୍ଟ ଡକ୍ଟର ମହମ୍ମଦ ଅବ୍‌ଦୁଲ  ରଜାକ୍‌ ଉପସ୍ଥିତ ଥିଲେ । କେଏଫ୍‌ଆଇଏନ୍‌ ଟେକ୍ନୋଲୋଜି  ଲିମିଟେଡ ପକ୍ଷରୁ ଚିଫ୍‌ ଟେକ୍ନିକାଲ  ଅଫିସର ଭେଙ୍କଟ ଗିରି ଭୋଙ୍କାୟାଲା  ଏବଂ ଉପସଭାପତି ତଥା ଡାଟା ଆଣ୍ଡ  ଆନାଲିଟିକ୍ସ-ଆଇଟିର ମୁଖ୍ୟ ସୁବର୍ଣ୍ଣ  ମିଶ୍ର ଏହି ବୁଝାମଣା ସ୍ୱାକ୍ଷର ହେବା  ସମୟରେ ଉପସ୍ଥିତ ଥିଲେ ।