ନୂଆଦିଲ୍ଲୀ ୦୯/୧୨: ଭୋପାଳର ଏକ ଫ୍ୟାମିଲି କୋର୍ଟ ନଭେମ୍ବର ୨୮ ତାରିଖରେ ଏକ ଦମ୍ପତିଙ୍କୁ ପାରସ୍ପରିକ ସହମତିରେ ଛାଡ଼ପତ୍ର ଲାଗି ଅନୁମତି ଦେଇଥିଲେ । ସେମାନେ ୧୨ ବର୍ଷ ପୂର୍ବରୁ ବିବାହ କରିଥିବାବେଳେ ସେମାନଙ୍କର ଏକ ପୁଅ ବି ଅଛି । ତେବେ ସୋସିଆଲ ମିଡିଆ ରିଲ୍ସ ସେମାନଙ୍କର ଛାଡ଼ପତ୍ରର କାରଣ ହୋଇଥିବା ଜଣାପଡି଼ଛି । ପତିଙ୍କୁ ପତ୍ନୀଙ୍କର ସୋସିଆଲ ମିଡିଆରେ ରିଲ୍ସ କରିବା ପସନ୍ଦ ନଥିଲା । ପତ୍ନୀ ଏହାଦ୍ୱାରା ହେଉଥିବା ମୋଟାଅଙ୍କର ରୋଜଗାରକୁ ହରାଇବାକୁ ଚାହୁଁନଥିବାରୁ ମତଭେଦ ଆରମ୍ଭ ହୋଇଥିଲା । ପରେ ତାହା ଚରମ ରୂପ ନେଇ ଛାଡ଼ପତ୍ରରେ ପରିଣତ ହୋଇଛି ।

ଅନ୍ୟ ଜଣେ ପତି ତାଙ୍କ ପତ୍ନୀ ରିଲ୍‌ସରେ କିଛି ନୂଆ ଦେଖାଇବା ଲାଗି ପ୍ରତିଦିନ ନୂଆ ପୋଷାକ କିଣୁଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ହେଲା, ଏଥିଯୋଗୁ ଘର ଖର୍ଚ୍ଚ ବଢ଼ିଯାଇଛି । ସେହିଭଳି ଜଣେ ବ୍ୟକ୍ତି ରିଲ୍ସ ନିଶା ଯୋଗୁ ପତ୍ନୀ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଉନଥିବା ଅଭିଯୋଗ କରିଛନ୍ତି । ସେପଟେ ଜଣେ ପତ୍ନୀ ସ୍ୱାମୀ ରିଲ୍ସ ବନାଇବାକୁ ନ ଦେବା ସହିତ ବୁଲାଇବାକୁ ନେଉନଥିବା ଅଭିଯୋଗ ଆଣିଛନ୍ତି । ଏଭଳି ବହୁ ମାମଲା ଆସୁଛି ଯେଉଁଥିରେ ସୋସିଆଲ ମିଡିଆ ରିଲ୍ସ, ଲାଇକ୍‌ ଓ ଫଲୋଅର୍ସଙ୍କ ଚକ୍କରରେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି । 

ବିଶେଷଜ୍ଞଙ୍କ ଅନୁସାରେ, ଚଳିତବର୍ଷ ମଧ୍ୟପ୍ରଦେଶର ୫ଟି ବଡ଼ ସହରରେ ଥିବା ଫ୍ୟାମିଲି କୋର୍ଟରେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦର ପ୍ରାୟ ୧୬ ହଜାର ମାମଲା ରେକର୍ଡ କରାଯାଇଛି । ସେଥିମଧ୍ୟରୁ ୬୦ ପ୍ରତିଶତ ଅର୍ଥାତ୍‌ ୯ ହଜାର ମାମଲାରେ ବିବାଦର କାରଣ ହେଲା ସୋସିଆଲ ମିଡିଆ । ଫ୍ୟାମିଲି କୋର୍ଟର କାଉନସିଲର ଶୈଲ ଅବସ୍ତି କହିଛନ୍ତି, ସୋସିଆଲ ମିଡିଆ ସହିତ ଆମେ ସମସ୍ତେ ପ୍ରାୟତଃ ଅଭ୍ୟସ୍ତ ହୋଇଗଲୁଣି । କିନ୍ତୁ ଆମର ଅଜାଣତରେ ଏହା ଆମର ପାରିବାରିକ ଜୀବନକୁ ନଷ୍ଟ କରିଚାଲିଛି । ଏହାଯୋଗୁ ଅତି ଛୋଟ ଛୋଟ କଥାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ହେଉଛି । ଯେପରିକି ପତ୍ନୀ ସୋସିଆଲ୍‌ ମିଡିଆରେ ଅତ୍ୟଧିକ ସକ୍ରିୟ ରହିବା । ଫ୍ରେଣ୍ଡ ଲିଷ୍ଟରେ ଦମ୍ପତି ଅଜଣା ଲୋକଙ୍କୁ ରଖିବା, ମୋବାଇଲ୍‌ରେ ଦିନରାତି ଗପିବା, ଦମ୍ପତି ପରସ୍ପର ମଧ୍ୟରେ ମୋବାଇଲ୍‌ର ପାସୱାର୍ଡ ସେୟାର ନ କରିବା, ସୋସିଆଲ ମିଡିଆରେ ପରସ୍ପର ଉପରେ ନଜର ରଖିବା ଯୋଗୁ ଛାଡ଼ପତ୍ର ହେଉଥିବା ସେ ପ୍ରକାଶ କରିଛନ୍ତି ।