ଭୁବନେଶ୍ୱର, ୧୪।୩: ରାଜ୍ୟରେ କିଶୋରୀଙ୍କୁ ଜରାୟୁ କର୍କଟ ସୁରକ୍ଷା ପାଇଁ ଦିଆଯାଉଛି ଏଚ୍ପିଭି ଟିକା । ହେଲେ ଟିକା କିଶୋରୀଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଉଛି । କୋଭିଡ୍ ଟିକା ଯେପରି ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଉଛି । ଠିକ୍ ସେହିଭଳି ଏଚ୍ପିଭି ଟିକା ମଧ୍ୟ ଦେଖାଇବ । ଏଥିରେ କିଶୋରୀଙ୍କ ଗର୍ଭ ଧାରଣ କ୍ଷମତା ହ୍ରାସ ପାଇବ । ଏହି କେବଳ ଔଷଧ ନିର୍ମାଣକାରୀ କମ୍ପାନିକୁ ଫାଇଦା ଦେବା ଲାଗି ସରକାର ଟିକା ଦେଉଛନ୍ତି । କିଛି ଲୋକ ସାମାଜିକ ଗଣମାଧ୍ୟମରେ ଏଭଳି ମିଛ ପ୍ରଚାର ଚଳାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଲୋକଙ୍କ ଭିତରେ ଟିକାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ଅସ୍ୱୀକାର କରିଛନ୍ତି ।

ଏହା ବି ପଢ଼ନ୍ତୁ... ଗ୍ୟାସ୍ କଳାବଜାର ପଛରେ ଖାଉଟି, ପରିବାର ସଦସ୍ୟ ନାଁରେ ଆଣି ଚଢ଼ା ଦରରେ ବିକୁଛନ୍ତି ସିଲିଣ୍ଡର

କିଶୋରୀଙ୍କୁ ଜରାୟୁ କର୍କଟରୁ ରକ୍ଷା କରିବା ପାଇଁ ଗତ ମାସରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଏଚ୍ପିଭି ଟିକାକରଣ । ଓଡ଼ିଶାରେ ୩ଲକ୍ଷରୁ ଅଧିକ ୧୪ରୁ୧୫ ବର୍ଷ କିଶୋରୀଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି । ଟିକାକରଣ ଆରମ୍ଭ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଅପପ୍ରଚାର ଆରମ୍ଭ ହୋଇଛି । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶାଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଚ୍ପିଭି ଟିକା ଏକ ନୂଆ ଟିକା ନୁହେଁ । ଏହା ବହୁ ପୂର୍ବରୁ ରହିଛି । ଅଧିକ ଦାମ୍ ରହିଥିବା କାରଣରୁ ଅନେକ ଟିକା ନେବାକୁ କୁଣ୍ଠାବୋଧ କରୁଥିଲେ । ଏହି ଟିକା ବିରୋଧରେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରାଯାଉଥିବା ନଜରକୁ ଆସିନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଅପରପକ୍ଷରେ ରାଜ୍ୟରେ ଏଚ୍ପିଭି ଟିକାକରଣ ଆସନ୍ତା ୩ ମାସ ପାଇଁ ଚାଲିବ । ଏହାଭିତରେ ୧୫ ହଜାରରୁ ଅଧିକ କିଶୋରୀ ଟିକା ନେଇ ସାରିଲେଣି । ଆଗକୁ ମଧ୍ୟ ଏହି ଟିକା ନିୟମିତଭାବେ ଦିଆଯିବ ।