ଭୁବନେଶ୍ୱର, ୧୪।୩: ଯୁଦ୍ଧ ଆଳରେ ଚାଲିଛି ରନ୍ଧନଗ୍ୟାସର କଳାବଜାର । ଏ ପୁଣି ଏମିତି ସେମିତି ନୁହେଁ, ଆଖି ତରାଟିଦେବା ଭଳି ବେପାର । କିଛି ଅସାଧୁ ଖାଉଟି ଏହି ମୌକାରେ ଚୌକା ମାରିବାକୁ ବସିଛନ୍ତି । ପରିବାର ଲୋକଙ୍କ ନାଁରେ ଏକାଧିକ ଗ୍ୟାସ ମଗାଇ ତାକୁ ଉଚ୍ଚ ଦରରେ ବିକୁଛନ୍ତି । ୯୦୦ କି ୧୦୦୦ ନୁହେଁ, ୧୮ଶହରୁ ୨ହଜାର ଟଙ୍କାରେ ଚାଲିଛି ବେପାର । ଏବେ ଅଧିକାଂଶ ହୋଟେଲ, ଦୋକାନମାନଙ୍କରେ ବ୍ୟବସାୟିକ ସିଲିଣ୍ଡର ବଦଳରେ ଘରୋଇ ସିଲିଣ୍ଡର ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି, ସେମାନେ ଏହି ଘରୋଇ ସିଲିଣ୍ଡର ପାଉଛନ୍ତି କେଉଁଠୁ । ଏଭଳି ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ବେପାର ଚାଲିଥିବା ବେଳେ ଏଥିପ୍ରତି କାହାରି ନିଘା ନାହିଁ । ବେଫିକର ହୋଇପଡ଼ିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ହାତଗଣତି କିଛି ଦୋକାନରେ ଚଢଉ କରୁଛି । ହେଲେ ସେପଟେ ଚାଲିଛି ଅସଲ ଖେଳ ।

ଏହା ବି ପଢ଼ନ୍ତୁ... ମହିଳା ସମ୍ପର୍କିତ ଅପରାଧରେ ରାଜଧାନୀର ରେକର୍ଡ, ୧୩୯% ବଢିଛି ହିଂସା​​​​​​​

ଶୁକ୍ରବାର ସକାଳୁ ସକାଳୁ ସ୍ଥାନୀୟ ସାଲିଆସାହି ପଛପଟ ୨୦୦ ଫୁଟିଆ ରୋଡ୍ରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼ । ରାସ୍ତା ଉପରେ ପାଖାପାଖି ୧ହଜାର ଗ୍ୟାସ ସିଲିଣ୍ଡର ଥୁଆ ହୋଇଥିଲା । ଲୋକେ ରାତିରୁ ଆସି ଗ୍ୟାସ ନେବାକୁ ଲମ୍ବା ଲାଇନ୍ ଲଗାଇଥିଲେ । ହେଲେ କିଏ ଖାଉଟି, କିଏ ବେପାରୀ ତାହା ବୁଝାପଡ଼ୁନଥିଲା । ବ୍ୟବସାୟିକ ହେଉ ଅବା ଘରୋଇ ସିଲିଣ୍ଡର ଯାହା ମିଳିବ ତାକୁ ନେବେ ବୋଲି ସେମାନେ କହୁଥିଲେ । ଜଣେ ବ୍ୟକ୍ତି କହିଥିଲେ, ଏଠି ଗ୍ୟାସ ସିଲିଣ୍ଡର ନେବାକୁ ଆସିନାହାନ୍ତି, ବରଂ ବିକିବାକୁ ଆସିଛନ୍ତି । କେବଳ ସେହି ଗୋଟିଏ ସ୍ଥାନ ନୁହେଁ, ରାଜଧାନୀର ଅନ୍ୟ ଗ୍ୟାସ ଦୋକାନ ଓ ଏଜେନ୍ସିଙ୍କ ପାଖରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ପରିବାରରେ ଏକାଧିକ ସଦସ୍ୟଙ୍କ ନାଁରେ ଖାତା ରହିଛି ଓ ସେମାନଙ୍କ କେବେ ବି ଅଧିକ ଟାଙ୍କି ଆବଶ୍ୟକ ନଥାଏ, ଏବେ ସେମାନେ ସଦସ୍ୟଙ୍କ ପିଛା ଦୁଇଟି ଲେଖାଏଁ ଗ୍ୟାସ ଟାଙ୍କି ବୁକ୍ କରୁଛନ୍ତି । ସେହିଅନୁସାରେ, ବେପାର ଚାଲିଛି । ଏଥିରେ କେବଳ ଏହିମାନେ ସଂପୃକ୍ତ ନୁହନ୍ତି, ବରଂ ଗ୍ୟାସ ଏଜେନ୍ସି ଓ କମ୍ପାନୀ ବି ସମ୍ପୃକ୍ତ ରହିଛନ୍ତି । ଯୋଗାଣ ବିଭାଗ ଏଦିଗରେ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି ।