PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ରାଜଧାନୀରେ ଲୁଟେରାଙ୍କ ଆତଙ୍କ: ବ୍ୟବସାୟୀଙ୍କୁ ହାଣି ଲୁଟିଲେ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଲୁଟେରାଙ୍କ କବ୍‌ଜାରେ ପୂରା ରାଜଧାନୀ । ଦିନରାତି ଚଳାଇଛନ୍ତି ବେଧଡ଼କ ଲୁଟ୍‌ପାଟ । ଲୁଟେରାଙ୍କ ଉପାତରେ ଆତଙ୍କିତ ହୋଇ ପଡ଼ିଲେଣି ରାଜଧାନୀବାସୀ । ଲୁଟେରାମାନେ ଖାତିର କରୁନାହାନ୍ତି କମିଶନରେଟ୍‌ ପୁଲିସକୁ । ସତେ ଯେପରି କମିଶନରେଟ୍‌ ପୁଲିସ ଲୁଟେରାଙ୍କ ଆଗରେ ହାତ ଟେକି ଦେଇଛି । ସୋମବାର ବିଳମ୍ବିତ ରାତିରେ ୪ ଲୁଟେରା ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଜଣେ ବ୍ୟବସାୟୀଙ୍କୁ ହାଣି ଲୁଟ୍‌ପାଟ କରିଛନ୍ତି । ଗୁଳି ଚଳାଇ ଖସି ପଳାଇଛନ୍ତି । ଗୁରୁତର ଅବସ୍ଥାରେ ବ୍ୟବସାୟୀ ବମିଖାଲର ମାନସ ମଲ୍ଲିକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି । ହେଲେ ୪ ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ନେଇ ପୁଲିସ ଅଣ୍ଡାଳୁଛି । ମାତ୍ର ଦୁର୍ବୃତ୍ତଙ୍କୁ ଧରିବା ତ ଦୂରର କଥା ସେମାନଙ୍କ ସନ୍ଧାନ ପାଇନାହିଁ ।
ଘଟଣାରୁ ଜଣାଯାଇଛି, ମାନସ ତାଙ୍କ ସାଙ୍ଗ ସଞ୍ଜୟ ଯାଦବଙ୍କ ସହ ଗତକାଲି ରାତି ୧ଟାରେ ନିଜ କାର୍‌ରେ କଳ୍ପନା ଛକରୁ ଫେରୁଥିଲେ । ସେମାନେ ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ପହଞ୍ଚିଥିବା ବେଳେ ଦୁଇଟି ବାଇକ୍‌ରେ ୪ ଦୁର୍ବୃତ୍ତ ଆସି କାର୍‌କୁ ଅଟକାଇଥିଲେ । ମାନସ କାର୍‌ ଡୋର ଖୋଲି ବାହାରିବା ବେଳେ ଜଣେ ଲୁଟେରା ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପିଥିଲା । ପ୍ରଥମେ ମାନସ ଓ ଲୁଟେରାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ପରେ ଅନ୍ୟ ୩ ଜଣ ମିଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସଞ୍ଜୟ ପ୍ରତିବାଦ କରିବାରୁ ଲୁଟେରାମାନେ ତାଙ୍କୁ ଆକ୍ରମଣ କରିବା ବେଳେ ସେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ । ୪ ଲୁଟେରା ମାନସଙ୍କୁ ଆକ୍ରମଣ କରିବା ସହ କାର୍‌କୁ ଭଙ୍ଗାରୁଜା କରିଥିଲେ । ଏପରିକି ଭୟଭୀତ କରିବା ପାଇଁ ଫାଙ୍କା ଗୁଳିଚାଳନା କରି ସେଠାରୁ ପଳାଇଥିଲେ । ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ମାନସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ମାନସଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଛି । ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ନେଇ ଯାଞ୍ଚ ଚଳାଇଛି । ହେଲେ ଲୁଟେରାଙ୍କ ପତ୍ତା ପାଇନାହିଁ ।
ମାସକ ଭିତରେ ଲୁଟେରାମାନେ ରାଜଧାନୀରୁ ୧୦ରୁ ଅଧିକ ଲୁଟ୍‌ପାଟ କଲେଣି । ଗତକାଲି ରାତିରେ ପିତାପଲ୍ଲୀ-ଚନ୍ଦକା ରାସ୍ତାର ପଳାଶପୁର ନିକଟକରେ ଏକ ଟ୍ରକ୍‌ ଚାଳକଙ୍କ ଠାରୁ ଲୁଟ୍‌ପାଟ ହୋଇଥିଲା । ୩ ଲୁଟେରା ବନ୍ଧୁକ ଦେଖାଇ ୬ ହଜାର ଟଙ୍କା ଲୁଟି ନେଇଥିଲେ ।
ସେହିପରି ୧୮ତାରିଖ ଦିନ ଦ୍ୱିପ୍ରହରରେ ରାଜଧାନୀର ଭିଭିଆଇପି ଅଞ୍ଚଳ କୁହାଯାଉଥିବା କ୍ୟାପିଟାଲ୍‌ ଥାନା ଅନ୍ତର୍ଗତ ୟୁନିଟ୍‌-୬ ବନଦୁର୍ଗା ମନ୍ଦିର ନିକଟରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌ ଲୁଟ୍‌ ହୋଇଥିଲା । ୟୁନିଟ୍‌-୬ ସରକାରୀ କ୍ୱାର୍ଟର୍ସରେ ରହୁଥିବା ନିବେଦିତା ମିଶ୍ର ବନଦୁର୍ଗା ଛକରୁ ଚାଲି ଚାଲି ଘରକୁ ଫେରୁଥିବାବେଳେ ଦୁଇ ଲୁଟେରା ଆସି ତାଙ୍କ ବେକରୁ ୨ ଭରି ଓଜନର ସୁନାଚେନ୍‌ ଲୁଟି ନେଇଥିଲେ । ଆଜି ପର୍ଯ୍ୟନ୍ତ କ୍ୟାପିଟାଲ୍‌ ଥାନା ପୁଲିସ ଉକ୍ତ ଲୁଟେରାଙ୍କୁ ଠାବ କରିପାରି ନାହିଁ ।
ସେହିଦିନ ଜୟଦେବ ବାଟିକା ନିକଟରୁ ମଧ୍ୟ ଟଙ୍କପାଣି ରୋଡ୍‌ର ଦମ୍ପତିଙ୍କ ଠାରୁ ଦୁଇ ଲୁଟେରା ସୁନାଚେନ୍‌ ଝାମ୍ପି ନେଇଥିଲେ । କୌଣସି ଗୋଟିଏ ହେଲେ ଲୁଟ୍‌ ମାମଲାରେ କମିଶନରେଟ୍‌ ପୁଲିସ ଲୁଟେରାଙ୍କ ପତ୍ତା ପାଇନି ।
୧୯ ତାରିଖରେ ଖଣ୍ଡଗିରିରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ଲୁଟ୍‌ପାଟ ହୋଇଥିଲା । ବେଙ୍ଗାଲୁର୍‌ର ରାଧିକା ସୁବ୍ରମଣ୍ୟମ ତାଙ୍କ ପରିବାର ସହ ଖଣ୍ଡଗିରି ବୁଲିବାକୁ ଆସିଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ । ଅବଶ୍ୟ ଦୁଇ ଲୁଟେରାଙ୍କ ସହ ସେ ସାହସର ସହ ଲଢ଼ିବାରୁ ଲୁଟେରା ଖସି ପଳାଇଥିଲେ । ମୋଟାମୋଟି କହିବାକୁ ଗଲେ ରାଜଧାନୀବାସୀଙ୍କୁ ସୁରକ୍ଷା ଯୋଗାଇବାରେ କମିଶନରେଟ୍‌ ପୁଲିସ ସଂପୂର୍ଣ୍ଣ ଫେଲ୍‌ ମାରିଛି ।

ସମ୍ବନ୍ଧିତ ଖବର