ରାଜକନିକା, ୨୫/୦୫ : ମଦ ପିଇବାକୁ ଟଙ୍କା ନଦେବାରୁ ନିଜ ମା’କୁ ପିଟିପିଟି ମାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ପାତୁଳି ଗ୍ରାମରେ । ଶନିବାର ବିଳମ୍ବିତ ରାତିରେ ମଦ ପାଇଁ ବୃଦ୍ଧା ମା’ ହାରାମଣି ସାହୁ (୭୫)ଙ୍କୁ ଠେଙ୍ଗାରେ ପିଟିପିଟି ଲହୁଲୁହାଣ କରିଦେଇଥିଲା ପୁଅ ବିଜୟ ସାହୁ (୩୯) । ଘଟଣାସ୍ଥଳରେ ହିଁ ହାରାମଣିଙ୍କର ମୃତ୍ୟୁ ହୋଇଯାଇଥିଲା । ବୃଦ୍ଧ ବାପା ତଥା ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଯବାନ ନବଘନ ସାହୁ ଏନେଇ ଥାନାରେ ଅଭିଯୋଗ କରିବା ପରେ ରାଜକନିକା ପୁଲିସ ବିଜୟକୁ ଗିରଫ କରିଛି।

ପାତୁଳି ଗ୍ରାମର ନବଘନ ସାହୁଙ୍କ ଅବିବାହିତ ମଝିଆ ପୁଅ ବିଜୟ ସବୁବେଳେ ମଦ ପିଇ ଘରେ ଗଣ୍ଡଗୋଳ କରିଥାଏ । ନବଘନଙ୍କ ପେନ୍‌ସନ୍‌ ଟଙ୍କକୁ ସେ ମଦ ପିଇ ଉଡାଇବା ସହ ଘରେ ପ୍ରତିଦିନ ବାପାମା’ଙ୍କ ସହ ପାଟିତୁଣ୍ଡ କରିଥାଏ । ଗାଁ ଲୋକଙ୍କୁ୍‌ ମଧ୍ୟ ଗାଳିଗୁଲଜ କରେ । ବିଜୟର ଏଭଳି ଉତ୍ପାତରେ ଅତିଷ୍ଠ ନବଘନଙ୍କ ବଡ଼ପୁଅ ଅନୀଲ ନିଜ ଭାଗ ସଂପତ୍ତି ବିକ୍ରି କରି ବାହାରେ ରହୁଥିବା ବେଳେ ଗତ ବର୍ଷ ସାନପୁଅର ମୃତ୍ୟୁ ହୋଇଯାଇଛି । ଏଭଳି ସ୍ଥିତିରେ ବାପାମା’ଙ୍କ ପାଖରେ ରହୁଥିବା ବିଜୟ ସବୁବେଳେ ମଦ ପାଇଁ ଟଙ୍କା ଦେବାକୁ ଜୁଲମ୍‌ କରୁଥିଲା । ଶନିବାର ରାତିରେ ନବଘନ ଓ ହାରାମଣି ଖାଇ ବିଶ୍ରାମ କରୁଥିବାବେଳେ ନିଶାସକ୍ତ ବିଜୟ ସେଠାରେ ପହଞ୍ଚି ମା’କୁ ଟଙ୍କା ମାଗିଥିଲା । ଦମ୍ପତି ଟଙ୍କା ଦେବାକୁ ମନା କରିବାରୁ ବିଜୟ ଉତ୍‌କ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲା । ହାରାମଣି ଏହାର ବିରୋଧ କରିବାରୁ ବିଜୟ ଘରେ ଥିବା ଏକ ଠେଙ୍ଗାରେ ମା’କୁ ପିଟିଥିଲା । ନବଘନ ମଧ୍ୟ ବିଜୟ କବଳରୁ ହାରାମଣିଙ୍କୁ ରକ୍ଷା କରିପାରିଲେ ନାହିଁ । ଠେଙ୍ଗା ଆକ୍ରମଣରେ ଲହୁଲୁହାଣ ହୋଇ ହାରାମଣି ଘଟଣାସ୍ଥଳରେ ପ୍ରାଣ ହରାଇଲେ । ଏନେଇ ବାପା ନବଘନ ଥାନାରେ ଅଭିଯୋଗ କରିବା ପରେ ରାଜକନିକା ପୁଲିସ ପାତୁଳି ଗାଁରେ ପହଞ୍ଚି ହାରାମଣିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବିଜୟକୁ ଥାନାରେ ରଖି ପଚରାଉଚରା କରୁଛି । 

ଏହି ଖବରଟିକୁ ପଢନ୍ତୁ- Domestic Violence : ଯାଆଁଳା ଝିଅ ହେବାରୁ ଦଣ୍ଡ, ଗାଁ ଦାଣ୍ଡରେ ପୁଅ-ବୋହୂଙ୍କୁ ଘୋଷାରି ମାଡ଼ ମାରି ଘରୁ ବିଦା କଲେ ପରିବାର ଲୋକ