ମୁମ୍ବାଇ,୦୪/୦୭; ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିନ୍ହା ଓ ତାଙ୍କ ସ୍ୱାମୀ ଜାହିର ଇକବାଲ୍ । ଏଥର ସେମାନଙ୍କ ନୂଆ ଘରରେ ଲଗାଯାଇଥିବା ଏକ ବିଶେଷ ଫଟୋଫ୍ରେମ୍କୁ ନେଇ ସୋସିଆଲ୍ ମିଡିଆରେ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭାଇରାଲ୍ ହୋଇଥିବା ଫଟୋରେ ଗାୟତ୍ରୀ ମନ୍ତ୍ର ଓ ଇସଲାମ ଧର୍ମର କଲମାକୁ ସମନ୍ୱୟ କରି ପ୍ରସ୍ତୁତ ଏକ ସୁନ୍ଦର ଆର୍ଟୱର୍କ ଦେଖିବାକୁ ମିଳିଛି । ଏହି ଫଟୋ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅନେକ ୟୁଜର୍ ଏହାକୁ ଦୁଇ ଧର୍ମ ମଧ୍ୟରେ ପାରସ୍ପରିକ ସମ୍ମାନ, ସମନ୍ବୟ ଓ ପ୍ରେମର ପ୍ରତୀକ ବୋଲି କହିଥିବା ବେଳେ, କିଛି ୟୁଜର୍ ଏହାକୁ ନେଇ ସମାଲୋଚନା ମଧ୍ୟ କରିଛନ୍ତି ।
ସୋନାକ୍ଷୀ ସିନ୍ହା ଓ ଜାହିର ଇକବାଲ୍ ୨୦୨୪ ମସିହା ଜୁନ୍ରେ ବିବାହ କରିଥିଲେ । ସେମାନଙ୍କ ଅଲଗା ଅଲଗା ଧର୍ମରେ ବିବାହ ସେତେବେଳେ ମଧ୍ୟ ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ନୂଆ ଘରରେ ଲଗାଯାଇଥିବା ଏହି ଆର୍ଟୱର୍କ ପୁଣିଥରେ ଦୁହେଁଙ୍କୁ ଖବରର ଶିରୋନାମାକୁ ଆଣିଛି । ତେବେ ଏହି ବିଷୟରେ ସୋନାକ୍ଷୀ କିମ୍ବା ଜାହିରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ସୋନାକ୍ଷୀ କହିଛନ୍ତି ଯେ, ସେ ଓ ଜାହିର ଅଷ୍ଟ୍ରେଲିଆରେ ଛୁଟି କାଟୁଥିବା ସମୟରେ ସେମାନଙ୍କ ଜଣେ ବନ୍ଧୁ ବିବାହ ଉପହାର ସ୍ୱରୂପ ଏକ ସ୍ୱତନ୍ତ୍ର ଫଟୋ ପ୍ରସ୍ତୁତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେହି ବନ୍ଧୁଙ୍କ ଉଦ୍ଦେଶ୍ୟ ଥିଲା ଦୁଇ ଧର୍ମର ଏକତା, ପ୍ରେମ ଓ ସକାରାତ୍ମକ ଭାବନାକୁ ଏକ କ୍ୟାନଭାସରେ ସୁନ୍ଦର ଭାବେ ଉପସ୍ଥାପନ କରିବା। ପରେ ଜଣେ ଚିତ୍ରକର ଏହି ଧାରଣାକୁ ବାସ୍ତବ ରୂପ ଦେଇ ଗାୟତ୍ରୀ ମନ୍ତ୍ର ଓ କଲମାକୁ ଏକାଠି କରି ଅଦ୍ଭୁତ ଆର୍ଟୱର୍କ ପ୍ରସ୍ତୁତ କରିଥିଲେ। ସେତେବେଳେ ସୋନାକ୍ଷୀ ଲସ୍ ଆଞ୍ଜେଲସ୍ରେ ଥିଲେ । ଫଟୋଫ୍ରେମ୍ ପ୍ରସ୍ତୁତ ହେବା ପରେ ଏହାକୁ ନୂଆ ଘରକୁ ଆଣି ଘରର ଏକ ସ୍ୱତନ୍ତ୍ର ସ୍ଥାନରେ ଲଗାଇଥିଲେ ।
ସୋନାକ୍ଷୀ ପୂର୍ବରୁ ମଧ୍ୟ କହିଥିଲେ ଯେ, ସେମାନଙ୍କ ବିବାହ ସମୟରେ ପୁରୋହିତ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ଘରେ ଆଜାନର ସ୍ୱର ମଧ୍ୟ ଶୁଣିବାକୁ ମିଳିଥିଲା । ତାଙ୍କ ମତରେ, ଏହି ଦୁଇ ପ୍ରାର୍ଥନାର ଆଶୀର୍ବାଦ ଯୋଗୁଁ ଆଜି ସେମାନଙ୍କ ବୈବାହିକ ଜୀବନ ଖୁସିରେ ପରିପୂର୍ଣ୍ଣ ରହିଛି ।
ଭାଇରାଲ୍ ହୋଇଥିବା ଫଟୋକୁ ନେଇ ଅନେକ ପ୍ରଶଂସକ ଦମ୍ପତିଙ୍କ ସୁଖୀ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କିଛି ୟୁଜର୍ ଏହାକୁ ଧର୍ମୀୟ ସମନ୍ୱୟର ଏକ ସୁନ୍ଦର ଉଦାହରଣ ବୋଲି କହିଥିବା ବେଳେ, ଆଉ କିଛି ୟୁଜର୍ ଏହି ଆର୍ଟୱର୍କକୁ ନେଇ ନିଜସ୍ୱ ମତ ଓ ସମାଲୋଚନା କରିଛନ୍ତି । ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି ।