ଖଇରା, ୨୪।୬: ପ୍ରଶାସନିକ ଅବହେଳା ଓ ଦୁର୍ନୀତି ନେଲା ଜଣେ ଶିକ୍ଷକଙ୍କ ଜୀବନ । ଦୀର୍ଘ ୬ ମାସ ଧରି ଦରମା ନମିଳିବାରୁ ମାନସିକ ଭାରସାମ୍ୟ ହରାଇ ଶେଷରେ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି ଶିକ୍ଷକ । ଏଭଳି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରୁ । ମୃତ ଶିକ୍ଷକ ଜଣକ ହେଉଛନ୍ତି ବାଲେଶ୍ୱର କଅଁଳଖୁଣ୍ଟା ଗାଁର ଲକ୍ଷ୍ମୀଧର ମହାନ୍ତି । ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀଧର ମହାନ୍ତି କୋରାପୁଟ ଜିଲ୍ଲା ଦୁରୂଖାଗୋଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ପ୍ରାୟ ୬ ମାସ ତଳେ ତାଙ୍କର ବଦଳି ଖଇରା ବ୍ଲକ ସୁଜାଗଡ଼ ପ୍ରାଥମିକ ବିଦ୍ୟାଳୟକୁ ହୋଇଥିଲା । ତେବେ ବଦଳି ହେବା ପରଠାରୁ କୋରାପୁଟ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରାଯାଉନଥିଲା । ଯାହାଫଳରେ ଗତ ୬ ମାସ ହେବ ତାଙ୍କର ଦରମା ବନ୍ଦ ରହିଥିଲା ।
ଏହା ବି ପଢ଼ନ୍ତୁ... Puri Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ରାଜେନ୍ଦ୍ରାଭିଷେକ’ ଓ ରଥ ପରିକ୍ରମା ନୀତି, କାଲି ରୁକ୍ମିଣୀ ବିବାହ ଉତ୍ସବ
ଦରମା ଗଣ୍ଡାକ ପାଇଁ ଲକ୍ଷ୍ମୀଧର ବାରମ୍ବାର କୋରାପୁଟ ଗୁହାରି କରିବାକୁ ଦୌଡ଼ୁଥିଲେ ମଧ୍ୟ ସେଠାରେ କେହି ତାଙ୍କ କଥା ଶୁଣିନଥିଲେ । ଓଲଟା କାର୍ଯ୍ୟାଳୟର କିଛି କର୍ମଚାରୀ କାମ କରାଇଦେବା ପାଇଁ ତାଙ୍କୁ ଲାଞ୍ଚ ମାଗୁଥିବା ନେଇ ମଧ୍ୟ ସଙ୍ଗୀନ ଅଭିଯୋଗ ହୋଇଛି । ପରିବାର ପ୍ରତିପୋଷଣ ଓ ଆର୍ଥିକ ଅନଟନକୁ ନେଇ ଲକ୍ଷ୍ମୀଧର ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଆଜି ସକାଳେ ହଠାତ୍ ଅତ୍ୟଧିକ ମାନସିକ ଚାପ ଯୋଗୁଁ ଲକ୍ଷ୍ମୀଧରଙ୍କୁ ହୃଦ୍ଘାତ ହୋଇଥିଲା ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମୃତ ଶିକ୍ଷକଙ୍କ ଭାଇ ଲମ୍ବୋଧର ମହାନ୍ତି ଏହି ମୃତ୍ୟୁ ପାଇଁ ସିଧାସଳଖ ଶିକ୍ଷା ବିଭାଗ ଓ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ଦାୟୀ କରିଛନ୍ତି । ଏନେଇ ସେ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଖଇରା ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।